image source--the hindu
ନୂଆଦିଲ୍ଲୀ: ତାରକା ଓଡ଼ିଆ ଧାବିକା ଦୂତି ଚାନ୍ଦ ଓ ହିମା ଦାସ ଆସନ୍ତା ମେ’ ୧ ଓ ୨ ତାରିଖରେ ପୋଲାଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକ୍ ଯୋଗ୍ୟତାପର୍ଯ୍ୟାୟ ବିଶ୍ବ ଆଥ୍ଲେଟିକ୍ ରିଲେ ପ୍ରତିଯୋଗିତାରୁ ବଞ୍ଚିତ ହେବାର ଆଶଙ୍କା ଉପୁଜିଛି। ଦେଶରେ ସଂପ୍ରତି କରୋନା ମହାମାରୀ ମାମଲାର ଦ୍ରୁତ ସଂକ୍ରମଣ ଯୋଗୁଁ ଆମ୍ଷ୍ଟରଡାମ୍କୁ ଭାରତୀୟ ଦଳର ସଂଯୁକ୍ତ ବିମାନ ବାତିଲ ହୋଇଥିବାରୁ ଏଭଳି ଆଶଙ୍କା ଦେଖାଦେଇଛି। ଅଲିମ୍ପକ୍ କ୍ବାଲିଫାୟରରେ ଅଂଶ ଗ୍ରହଣ କରିବା ପାଇଁ ଭାରତୀୟ ମହିଳା ୪ ଗୁଣା ୧୦୦ ମିଟର ଏବଂ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦଳ ଗୁରୁବାର ଭୋରରୁ ଏକ କେଏଲ୍ଏମ୍ ବିମାନରେ ଆମ୍ଷ୍ଟରଡାମ୍ ଯାତ୍ରା କରିବାର ଥିଲା। ହେଲେ ନେଦରଲାଣ୍ଡ୍ ସରକାର ସୋମବାର ସଂଧ୍ୟାରୁ ଭାରତରୁ ବିମାନ ଯାତ୍ରା ବାତିଲ କରିଦେଇଥିବାରୁ ରିଲେ ଦଳ ପୋଲାଣ୍ଡ୍ ଯିବା ନେଇ ଆଶଙ୍କା ଦେଖାଦେଇଛି। ତଥାପି ଭାରତୀୟ ଆଥ୍ଲେଟିକ୍ସ ଫେଡେରେସନ୍ ବିକଳ୍ପ ବିମାନ ଯୋଗାଡ଼ କରିବା ପ୍ରୟାସରେ ରହିଛି।
ଭାରତରୁ ପୋଲାଣ୍ଡକୁ କୌଣସି ସିଧାସଳଖ ବିମାନ ନଥିବାରୁ କୌଣସି ୟୁରୋପୀୟ ସହର ଦେଇ ପ୍ରତିଯୋଗିତା ସ୍ଥାନ ପୋଲାଣ୍ଡର ସେଲିସିଆରେ ପହଞ୍ଚିବା ଭଳି ବ୍ୟବସ୍ଥା ଉପରେ ଫେଡେରେସେନ୍ ନଜର ରଖିଛି। ଏହାସତ୍ତ୍ବେ ଆମ ଦଳ ବିଶ୍ବ ରିଲେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନେଇ ଗୁରୁତର ସଂକଟ ସୃଷ୍ଟି ହୋଇଛି। ଅଧିକାଂଶ ୟୁରୋପୀୟ ରାଷ୍ଟ୍ର ଭାରତରୁ ବିମାନ ସେବାକୁ ବାତିଲ କରିଦେଇଛନ୍ତି। ଯାହାଫଳରେ ଆମେ ଅଡ଼ୁଆରେ ପଡ଼ିଯାଇଛୁ ଏବଂ ପ୍ରତିଯୋଗିତାରେ ଭାରତୀୟ ଦଳ ଅଂଶଗ୍ରହଣ କରିବା ଆଶଙ୍କା ବଢ଼ିଯାଇଛି ବୋଲି କହିଛନ୍ତି ଫେଡେରେସନ୍ର ଜଣେ ଅଧିକାରୀ। ହେଲେ ଆମେ ସରକାର ଏବଂ ଆମ ରାଷ୍ଟ୍ରଦୁତଙ୍କ ସହ ଏନେଇ ଆଲୋଚନା ଚଳାଇଛୁ। ଯଦି ସେମାନେ କୌଣସି ବି ୟୁରୋପୀୟ ସହରକୁ ବିମାନରେ ଯାତ୍ରା କରିବା ଦିଗରେ ସହଯୋଗ କରିପାରିବେ ତାହାଲେ ଆମ ଆଥ୍ଲେଟ୍ମାନଙ୍କ ଆଶଙ୍କା ଦୂର ହୋଇପାରନ୍ତା। ବିଶେଷକରି ଫ୍ରାଙ୍କ୍ଫୋର୍ଟ ସହରକୁ ବିମାନ ଯାତ୍ରା ସୁଯୋଗ ମିଳିପାରିଲେ ସେଠାରୁ ପୋଲାଣ୍ଡ ଯାଇହେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଏହା ବ୍ୟତୀତ ଆମେ ମଧ୍ୟ ଦୁବାଇ କିମ୍ବା ଅନ୍ୟ କୌଣସି ପଶ୍ଚିମ ଏସୀୟ ସହରକୁ କୌଣସି ସଂଯୋଗ ବିମାନ ପାଇଁ ଉଦ୍ୟମ ଚଳାଇଛୁ ବୋଲି ସେ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ବିଶ୍ବ ଆଥ୍ଲେଟିକ୍ସ ରିଲେ ପ୍ରତିଯୋଗିତାରୁ ଶ୍ରେଷ୍ଠ ୮ ଦଳ ହିଁ ସିଧାସଳଖ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବେ। ଆଉ ଏହିକ୍ରମରେ ଭାରତୀୟ ମହିଳା ୪ ଗୁଣା ୧୦୦ ମିଟର ରିଲେ ଦଳ ଟୋକିଓ ଟିକେଟ ହାସଲ କରିପାରିବ ବୋଲି ଫେଡେରେସନ୍ ଆଶାବାଦୀ ରହିଛି। ଗତ ୨୦୧୯ ଏପ୍ରିଲରେ ଦୋହାରେ ଆୟୋଜିତ ଏସୀୟ ଆଥ୍ଲେଟିକ୍ସ ପ୍ରତିଯୋଗିତା ପରଠାରୁ ଭାରତୀୟ ଧାବକ/ଧାବିକାଙ୍କ ପାଇଁ ବିଶ୍ବ ଆଥ୍ଲେଟିକ୍ସ ରିଲେ ପ୍ରଥମ ବୃହତ୍ ପ୍ରତିଯୋଗିତା ହେବ।
  
 Follow Us