ଦୂତିଙ୍କ ପରିବାର ବିଚଳିତ, କ୍ୟାରିଅରକୁ ନେଇ ସନ୍ଦିହାନ

ଦୂତିଙ୍କ ପରିବାର ବିଚଳିତ, କ୍ୟାରିଅରକୁ ନେଇ ସନ୍ଦିହାନ

ଯାଜପୁରରୋଡ଼: ଅନ୍ତର୍ଜାତିକ ଧାବିକା ଦୂତି ଚାନ୍ଦଙ୍କ ସମଲିଙ୍ଗୀ ବିବାହ ପ୍ରସ୍ତାବକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ କ୍ୟାରିୟରକୁ ନେଇ ‌ବାପା ମା’ ଓ ବଡ଼ ଭଉଣୀ ସରସ୍ବତୀ ଚାନ୍ଦ ବିଚଳିତ ହୋଇପଡ଼ିଛନ୍ତି। ସେମାନେ ବଡ଼ ଆଶଙ୍କାରେ ରହିଛନ୍ତି। ଦୂତିଙ୍କ ଆଥଲେଟିକ କ୍ୟାରିୟର ଉପରେ ଏହା ସାଂଘାତିକ ପ୍ରଭାବ ପକାଇବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ଦୂତି ନିଜ କ୍ୟାରିଅର ପ୍ରତି ଧ୍ୟାନ ଦେବା ସହିତ ବ୍ୟକ୍ତିଗତ ଆକ୍ରୋଶରୁ ଊର୍ଦ୍ଧ୍ବରେ ରହି ସମାଜସେବାରେ ବ୍ରତୀ ହେବାକୁ ତାଙ୍କ ମା’ ଅଖୁଜୀ ଚାନ୍ଦ ଆହ୍ବାନ କରିଛନ୍ତି।
ଯେଉଁ ଝିଅର ସଫଳତା ପାଇଁ ପ୍ରଦୀପ ଜାଳି ଦିନ ଦିନ ଠାକୁରଙ୍କ ପାଖରେ ଅଧିଆ ପଡୁଥିଲେ ସେଇ ମା’ ମନରୁ ଆଜି ଯେମିତି ସରାଗ ସବୁ ତୁଟି ଯାଇଛି। ମନ ମରି ଯାଇଛି। ବଡ଼ ଦୁଃଖ ଓ ଅବସୋସର ସହ ଝିଅର କଥାକୁ କହିବା ବେଳେ ବାରମ୍ବାର କୋହ ଉଠିଯାଉଥିବା ଦେଖାଯାଇଥିଲା।
ରସୁଲପୁର ବ୍ଲକ ପ୍ରଥମ ଖଣ୍ଡି ପଞ୍ଚାୟତ ଚକଗୋପାଳପୁର ଗ୍ରାମର ଅଖୁଜୀ ଚାନ୍ଦ ଓ ଚକ୍ରଧର ଚାନ୍ଦଙ୍କର ୬ ଝିଅ ମଧ୍ୟରୁ ୨ ଝିଅ ସରସ୍ବତୀ ଓ ଦୂତୀ ଦୁହେଁ ଦୌଡ଼ରାଣୀ ଭାବେ ସୁନାମ ଅର୍ଜନ କରିଛନ୍ତି। ଏସୀୟ କ୍ରୀଡ଼ାରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରି ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷ ପାଇଁ ସୁନାମ ଆଣିଥିବା ଦୂତିଙ୍କ ପାଇଁ ଯେମିତି ଆଜି ପରିବାର ଓ ପରିଜନଙ୍କ ମଧ୍ୟରେ ପୂର୍ବର ସରାଗ ନାହିଁ। ବଡ଼ ବିଚଳିତ ଲାଗୁଛନ୍ତି ସମସ୍ତେ। ପରିବାରର କଥାକୁ ଏତେସ୍ତରକୁ ଯେଉଁମାନେ ନେଇଛନ୍ତି ସେମାନଙ୍କୁ ଭଗବାନ କ୍ଷମା ଦେବେ ନାହିଁ ବୋଲି ବଡ଼ ଭଉଣୀ ସରସ୍ବତୀ ଚାନ୍ଦ କହିବା ସମୟରେ କଣ୍ଠରୋଧ ହୋଇ ଆସୁଥିଲା।
ଭଉଣୀ ବିରୋଧରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ କରିପାରୁ ନଥିଲେ। ଦୂତିଙ୍କୁ ୨୫ ଲକ୍ଷ ଟଙ୍କା ଦାବି କରିଥିବା ଏବଂ ବାରମ୍ବାର ବ୍ଲାକମେଲିଂ କରୁଥିବା କଥାକୁ ସେ ଗ୍ରହଣ କରିପାରି ନଥିଲେ। କ’ଣ ପାଇଁ ଦୂତି ଏମିତି କହୁଛି ସେନେଇ ତାଙ୍କୁ ହସ ଲାଗୁଥିବା ସେ କହିଥିଲେ। ତାଙ୍କର ଅର୍ଥର ଆବଶ୍ୟକତା ନଥିବା ବେଳେ ସେ କାହିଁକି ଅର୍ଥ ଦାବି କରିବେ ବୋଲି କହିଥିଲେ। ପାରିବାରିକ କଥାକୁ ନେଇ ଗତକାଲି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବାର କ’ଣ ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ପରିବାରର କଥା ପରିବାର ମଧ୍ୟରେ ସୀମିତ ରହିବା ଦରକାର। ମାତ୍ର କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚାପରେ ପଡ଼ି ଦୂତି ଏଭଳି କରୁଥିବା ଏବଂ ନିଜର ଭୁଲକୁ ଘଣ୍ଟ ଘୋଡ଼ାଇବା ପାଇଁ ଏଭଳି ନାଟକ କରୁଥିବା ସେ କହିଛନ୍ତି। ଏହି ନାଟକର ଯବନିକା ଖୁବଶୀଘ୍ର ପଡ଼ିବ ବୋଲି ସେ କହିଥିଲେ।
ଦୂତିଙ୍କ ବାପା ନିର୍ବିକାର ଥିଲେ। ତାଙ୍କ ପାଟି‌ରୁ ପଦେ ବି କଥା ବାହାରୁ ନଥିଲା। ମା’ ଅଖୁଜୀ ବଡ଼ କଷ୍ଟରେ ଥିବା ପ୍ରକାଶ କରିଥିଲେ। ଝିଅ ଯାହା କରୁଛି କିଛି ଠିକ କରୁନାହିଁ ବୋଲି କହିଥିଲେ। ଶେଷରେ ଭାଗବାନ ତାକୁ ସଦ୍‌ବୁଦ୍ଧି ଦିଅନ୍ତୁ ଓ ସେ ଭଲବାଟକୁ ଫେରିଆସୁ ବୋଲି କହିଥିଲେ ଆଖୁଜୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe