ଇଡେନ୍‌ ଟେଷ୍ଟ୍‍ ଅମୀମାଂସିତ ମୁହାଁ: ଧାଓ୍ଵନ ଶତକରୁ ବଞ୍ଚିତ: ଭାରତ ୧୭୧/୧

Advertisment
ଇଡେନ୍‌ ଟେଷ୍ଟ୍‍ ଅମୀମାଂସିତ ମୁହାଁ: ଧାଓ୍ଵନ ଶତକରୁ ବଞ୍ଚିତ: ଭାରତ ୧୭୧/୧

କୋଲ୍‌କାତା: ପ୍ରଥମ ଦୁଇ ଦିନ ବର୍ଷା ଧୋଇନେବା ପରେ ପରବର୍ତୀ ଦୁଇ ଦିନ ଖେଳ ସମ୍ପୂର୍ଣ୍ଣ ସମ୍ଭବ ହୋଇଛି। ଏଥି ସହିତ ଇଡେନ୍‌ ଗାର୍ଡେନ୍‌ସରେ ଚାଲିଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍‍ ଅମମୀମାଂସିତ ମୁହାଁ ହୋଇଛି। ରଙ୍ଗନା ହେରାଥ୍‌ଙ୍କ ଆକର୍ଷଣୀୟ ଅର୍ଧଶତକ ବଳରେ ଶ୍ରୀଲଙ୍କା ପ୍ରଥମ ପାଳିରେ ୧୨୨ ରନ୍‌ରେ ଅଗ୍ରଣୀ ପାଇଥିଲା। କିନ୍ତୁ ଭାରତର ପ୍ରାରମ୍ଭିକ ଯୋଡ଼ି ଶିଖର ଧାଓ୍ଵନ ଓ ଲୋକେଶ ରାହୁଲଙ୍କ ଶତକୀୟ ଭାଗୀଦାରି (୧୬୬) ବଳରେ ଭାରତ ଚତୁର୍ଥ ଦିନ ସୁଦ୍ଧା ୧ ଓ୍ଵିକେଟ୍‌ରେ ୧୭୧ ରନ୍‌ ସଂଗ୍ରହ କରିଛି। ଘରୋଇ ଦଳ ୯ ଓ୍ଵିକେଟ୍‌ ହାତରେ ଥାଇ ୪୯ ରନ୍‌ରେ ଆଗୁଆ ହୋଇଥିଲେ ମଧ୍ୟ ମ୍ୟାଚ୍‌ରୁ ଫଳଫଳା ବାହାରିବା ସମ୍ଭାବନା କ୍ଷୀଣ ରହିଛି।

ଶ୍ରୀଲଙ୍କା ରବିବାର ସକାଳେ ୧୬୫/୪ରୁ ଖେଳିଥିଲା। ଅଧିନାୟକ ଦୀନେଶ ଚାନ୍ଦିମାଳ ଓ ଓ୍ଵିକେଟ୍‌ରକ୍ଷକ ନିରୋଶନ ଡିକ୍‌େଓ୍ଵଲା ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ ମହମ୍ମଦ ସାମି ଏବଂ ଭୁବନେଶ୍ୱର କୁମାର ୯ ବଲ୍‌ ଭିତରେ ୩ ଓ୍ଵିକେଟ୍‌ ବାହାର କରି ଶ୍ରୀଲଙ୍କାକୁ ୨୦୦/୪ରୁ ୨୦୧/୭ରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ କିନ୍ତୁ ପୂର୍ବତନ ଅଧିନାୟକ ତଥା ଅଫସ୍ପିନର ରଙ୍ଗନା ହେରାଥ୍‌ଙ୍କ ବ୍ୟାଟିଂ ଭାରତୀୟ ବୋଲରଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ଦିଲରୁଓ୍ଵାନ ପେରେରା (୫, ୩୪ ବଲ୍‌) ଏବଂ ସୁରଙ୍ଗା ଲକମଲ୍‌ (୧୬)ଙ୍କୁ ସାଥୀ କରି ହେରାଥ୍‌ ଯଥାକ୍ରମେ ଅଷ୍ଟମ ଓ ନବମ ଓ୍ଵିକେଟ୍‌ ପାଇଁ ୪୩ ଓ ୪୬ ରନ୍‌ ଯୋଡ଼ିବା ଶ୍ରୀଲଙ୍କାକୁ ଅଧିକ ସୁରକ୍ଷିତ ସ୍ଥିତି ଆଡ଼କୁ ନେଇଯାଇଥିଲା। ହେରାଥ୍‌ (୬୭, ୧୦୫ ବଲ୍‌, ୯ ଚୌକା)ଙ୍କୁ ମହମ୍ମଦ ସାମିଙ୍କ ହାତରେ କ୍ୟାଚ୍‌ କରାଇ ଭୁବନେଶ୍ୱର କୁମାର ଏହି ଭାଗୀଦାରି ଭାଙ୍ଗିଥିଲେ। ଲାକମଲଙ୍କୁ ବୋଲ୍‌ଡ କରି ସାମି ଶ୍ରୀଲଙ୍କା ପାଳିରେ ପୂର୍ଣ୍ଣଛେଦ ପକାଇଥିଲେ। ଶନିବାର ଆହତ ହୋଇ ଓ୍ଵିକେଟଶୂନ୍ୟ ରହିଥିବା ସାମି ରବିବାର କିନ୍ତୁ ନିଜ ଘରୋଇ ପଡ଼ିଆରେ ଚମକ ଦେଖାଇ ପତନ ହୋଇଥିବା ୬ ଓ୍ଵିକେଟ୍‌ରୁ ଏକା ୪ ଓ୍ଵିକେଟ୍‌ ନେଇଥିଲେ। ଭୁବନେଶ୍ୱର କୁମାର ମଧ୍ୟ ୪ ଓ୍ଵିକେଟ୍‌ ଦଖଲ କରିଥିଲେ। ଶ୍ରୀଲଙ୍କା ପାଳି ୨୯୪ ରନ୍‌ର ଶେଷ ହେବାରୁ ଭାରତ ପ୍ରଥମ ପାଳିରେ ୧୨୨ ରନ୍‌ ପଛୁଆ ରହିଥିଲା।

ଭାରତ କିନ୍ତୁ ଦ୍ୱିତୀୟ ପାଳିରେ ଚମତ୍କାର ଆରମ୍ଭ କରିଥିଲା। ବିଶେଷ କରି ଲୋକେଶ ରାହୁଲଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦଳକୁ ଭଲ ଆରମ୍ଭ ଦେଇଥିଲା। ଏହି ଧାରାରେ ସାମିଲ ହୋଇ ବିସ୍ଫୋରକ ରୂପ ଦେଖାଇଥିଲେ ଧାଓ୍ଵନ। ପ୍ରଥମ ଓ୍ଵିକେଟ୍‌ ପାଇଁ ଉଭୟ ୩୭ ଓଭରରେ ୧୬୬ ରନ୍‌ ଉଠାଇବା ପରେ ଦିନର ତୃତୀୟ ଶେଷ ଓଭରରେ ଶିଖର ଧାଓ୍ଵନ (୯୪, ୧୧୬ ବଲ୍‌, ୧୧ ଚୌକା, ଚୌକା) ଆଉଟ୍‌ ହୋଇ ଶତକର ସୁବର୍ଣ୍ଣ ସୁଯୋଗ ହରାଇଥିଲେ। ଦାସୁନ ସଣକାଙ୍କ ବଲ୍‌ ଅଫ୍‌ ଷ୍ଟମ୍ପ୍‌ ବାହାରେ ପଡ଼ିଥିବାବେଳେ ଧାଓ୍ଵନ ଏହାକୁ ଡ୍ରାଇଭ୍‌ କରିଥିଲେ। କିନ୍ତୁ ଅଲଟ୍ରା ଏଜ୍‌ ସହିତ ବଲ୍‌ ଓ୍ଵିକେଟରକ୍ଷକ ଡିକ୍‌େଓ୍ଵଲାଙ୍କ ଗ୍ଲୋଭ୍‌ସରେ ପଡ଼ିଥିଲା। ବୋଲର ଆବେଦନ କରି ନଥିଲେ ମଧ୍ୟ ଅମ୍ପାୟାର ନିଜେଲ ଲଙ୍ଗ୍‌ ଆଉଟ୍‌ ଘୋଷଣା କରିଥିଲେ। ଧାଓ୍ଵନ ଏହାକୁ ରିଭ୍ୟୁ କରିଥିଲେ ନିଷ୍ଫଳ ରହିଥିଲେ। ଚତୁର୍ଥ ଦିନ ଖେଳ ବନ୍ଦ ବେଳକୁ ଲୋକେଶ ରାହୁଲ (୭୩*, ୧୧୩ ବଲ୍‌, ୮ ଚୌକା) ଏବଂ ଚେତେଶ୍ୱର ପୂଜାରା (୨*, ୯ ବଲ୍‌) ଖେଳୁଥିଲେ।

୧୫ ମିନିଟ୍‌, ୧୯ ଓଭର

ଚତୁର୍ଥ ଦିନ ଖେଳ ଆଲୋକ ଅଭାବରୁ ମାତ୍ର ୧୫ ମିନିଟ୍‌ ଆଗରୁ ବନ୍ଦ ହୋଇଥିଲା। କିନ୍ତୁ ମୋଟ ଉପରେ ୧୮.୩ ଓଭର କମ୍‌ ବୋଲିଂ ହୋଇଥିଲା। ପ୍ରଥମ ଦୁଇ ଦିନ ବର୍ଷା ଧୋଇ ନେଇଥିବାରୁ ପ୍ରତ୍ୟେକ ଦିନ ଅଧଘଣ୍ଟା ଆଗରୁ ମ୍ୟାଚ୍‌ ଆରମ୍ଭ ହେଉଛି। କିନ୍ତୁ ଉଭୟ ଦଳର ବୋଲିଂ ଓ କ୍ଷେତ୍ରରକ୍ଷଣ ମନ୍ଥର ଥିବାରୁ ନିର୍ଧାରିତ ଓଭର ସମ୍ଭବ ହୋଇପାରି ନାହିଁ। ଏଥି ପାଇଁ ଉଭୟ ଦଳର ବୋଲରଙ୍କୁ ଦାୟୀ କରାଯାଉଛି।

ପେସ୍‌ ୧୦, ସ୍ପିନ୍‌ ୦

ସ୍ପିନ୍‌ ଯୋଡ଼ି ଅଶ୍ୱିନ୍‌-ଜାଦେଜା ସାମ୍ପ୍ରତିକ ସମୟରେ ବହୁ ମ୍ୟାଚ୍‌ ବିଜୟ ଦେଇଛନ୍ତି। କିନ୍ତୁ ଏମାନଙ୍କୁ ପଛରେ ପକାଇ ୩୪ ବର୍ଷ ପରେ ଭାରତର ପେସ୍‌ ବାହିନୀ ଘରୋଇ ମାଟିରେ ସମସ୍ତ ୧୦ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ଏହା ତୃତୀୟ ଉଦାହରଣ। ଭୁବନେଶ୍ୱର କୁମାର, ସହମ୍ମଦ ସାମି ଏବଂ ଉମେଶ ଯାଦବ ମିଳିତ ଭାବେ ଶ୍ରୀଲଙ୍କା ପାଳିର ସମସ୍ତ ଓ୍ଵିକେଟ୍‌ ନେଇଛନ୍ତି। ୧୯୮୩ରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଅହମ୍ମଦାବାଦରେ କପିଳଦେବ ୯ ଏବଂ ବଲବିନ୍ଦର ସାନ୍ଧୁ ୧ ଓ୍ଵିକେଟ୍‌ ନେଇଥିଲେ। ୧୯୮୨ରେ ଇଂଲଣ୍ଡ ବିପକ୍ଷ ଓ୍ଵାଙ୍ଖ୍‌ଡେ ଟେଷ୍ଟ୍‍ରେ କପିଳ ଦେବ ଓ ମଦନ ଲାଲ ୫ ଲେଖାଏଁ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ।

ପ୍ରଥମ ଦୁଇ ଦିନିକିଆ ସମୟରେ ପରିବର୍ତନ

ନୂଆଦିଲ୍ଲୀ: କାକରର ପ୍ରଭାବକୁ ଏଡାଇବା ଏବଂ ଥଣ୍ଡା ପରିବେଶରୁ ରକ୍ଷା ପାଇବା ପାଇଁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚ୍‌ର ସମୟରେ ପରିବର୍ତନ କରାଯାଇଛି। ଏହି ଦୁଇଟି ମ୍ୟାଚ୍‌ ଡିସେମ୍ବର ୧୦ ଓ ୧୩ ତାରିଖରେ ଯଥାକ୍ରମେ ଧର୍ମଶାଳା ଓ ମୋହାଲିରେ ଖେଳାଯିବ। ଏହି ଦୁଇଟି ମ୍ୟାଚ୍‌ ଅପରାହ୍ନ ୧.୩୦ ମିନିଟ୍‌ରୁ ଆରମ୍ଭ ହେବ ବୋଲି ପୂର୍ବରୁ ସୂଚୀ ସ୍ଥିର ହୋଇଥିଲା ବେଳେ ପରିବର୍ତିତ ସମୟ ଅନୁଯାୟୀ ପୂର୍ବାହ୍ନ ୧୧.୩୦ରୁ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରବିବାର ପ୍ରକାଶ କରିଛି। ଉଭୟ ଆୟୋଜକ ସଂଘ ହିମାଚଳ ପ୍ରଦେଶ କ୍ରିକେଟ୍‌ ସଂଘ ଓ ପଞ୍ଜାବ କ୍ରିକେଟ୍‌ ସଂଘ ସହ ପରାମର୍ଶ ପରେ ବିସିସିଆଇ ସମୟରେ ପରିବର୍ତନ କରିଛି ବୋଲି କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ ବିବୃତି ରଖିଛନ୍ତି। ତେବେ ବିଶାଖାପାଟଣାରେ ଡିସେମ୍ବର ୧୭ ତାରିଖରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ପୂର୍ବ ସୂଚୀ ଅନୁଯାୟୀ ହେବ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପେରେରାଙ୍କ ବିବାଦୀୟ ରିଭ୍ୟୁ

ରବିବାର ଚତୁର୍ଥ ଦିନ ସକାଳେ ଦିଲରୁଓ୍ଵାନ ପେରେରା ଆଉଟ୍‌ ହେବା ପରେ କରିଥିବା ରିଭ୍ୟୁ ଏକ ବିବାଦର ସୂତ୍ରପାତ କରିଛି। ୫୭ତମ ଓଭରରେ ମହମ୍ମଦ ସାମିଙ୍କ ବୋଲିଂ ବେଳେ ଅମ୍ପାୟାର୍‌ ନିଜେଲ ଲଙ୍ଗ ତାଙ୍କୁ ଏଲ୍‌ବିଡବଲ୍ୟୁ ଆଉଟ୍‌ ସଙ୍କେତ ଦେବା ପରେ ସେ ପ୍ରଥମେ ସାଥୀ ବ୍ୟାଟସମ୍ୟାନ୍‌ ରଙ୍ଗନା ହେରାଥଙ୍କ ଆଡ଼କୁ ଚାହିଁଥିଲେ ଏବଂ ପ୍ୟାଭିଲିଅନ୍‌ ଆଡ଼କୁ ଚାଲିବା ଆରମ୍ଭ କରିଥିଲେ। ହଠାତ୍‌ ଡ୍ରେସିଂ ରୁମ୍‌ ଆଡ଼କୁ ଅନାଇବା ସହିତ ରିଭ୍ୟୁ ଆବେଦନ କରିଥିଲେ। ଏହା କ୍ରିକେଟ୍‌ ଆଚରଣ ସିଂହତା ବିରୋଧୀ ଥିବାରୁ ବିବାଦରେ ଫସିଯାଇଥିଲେ। ଡ୍ରେସିଂ ରୁମ୍‌ରୁ ସଙ୍କେତ ମିଳିଥିବାର ସନ୍ଦେହ କ୍ରମେ ଘନୀଭୂତ ହୋଇଥିଲା। କିନ୍ତୁ ପେରେରା ଡ୍ରେସିଂ ରୁମ୍‌ରୁ କୌଣସି ସଙ୍କେତ ପାଇଥିଲେ କି ନା ଟିଭି କ୍ୟାମେରାରେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ରିଭ୍ୟୁରେ ପେରେରା ସଫଳ ହୋଇଥିଲେ ଏବଂ ବ୍ୟାଟିଂ କରିଥିଲେ। ମାତ୍ର ୫ ରନ୍‌ କରିଥିଲେ ମଧ୍ୟ ହେରାଥଙ୍କ ସହ ଅଷ୍ଟମ ଓ୍ଵିକେଟ୍‌ ଲାଗି ୪୩ ରନ୍‌ ଯୋଡ଼ିବାରେ ବହୁମୂଲ୍ୟ ଅବଦାନ ରଖିଥିଲେ। ଅବଶ୍ୟ ସାମି ହିଁ ତାଙ୍କ ଓ୍ଵିକେଟ୍‌ ନେଇଥିଲେ। ପେରେରାଙ୍କ ଫିକା ମସ୍ତିସ୍କ ଭାବନାକୁ ଏବେ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସହ ତୁଳନା କରାଯାଇଛି। ଗତ ମାର୍ଚ ମାସରେ ବାଙ୍ଗାଲୋର୍‌ ଟେଷ୍ଟ୍‍ରେ ସ୍ମିଥ୍‌ ଏଭଳି ଚିଟ୍‌ଗେଟ୍‌ ବିବାଦରେ ପଡ଼ିଥିଲେ।

୨୦୧୬-୧୭ର ଆଇସିସି ଷ୍ଟାଣ୍ଡାର୍ଡ ଟେଷ୍ଟ୍‍ ମ୍ୟାଚ୍‌ ଖେଳ ପରିସ୍ଥିତି ଅନୁସାରେ ଯଦି ଜଣେ କ୍ଷେତ୍ରରକ୍ଷକ ଦଳ ଅଧିନାୟକ କିମ୍ବା ବ୍ୟାଟସମ୍ୟାନ୍‌କୁ ପଡ଼ିଆ ବାହାରୁ ସଙ୍କେତ ପାଇଥିବା ଅମ୍ପାୟାର୍‌ ଅନୁଭବ କରିବେ ତେବେ ରିଭ୍ୟୁ ଆବେଦନକୁ ତୁରନ୍ତ ବ୍ୟାଜ୍ୟାପ୍ତ କରିପାରିବେ। ସମ୍ପୃକ୍ତ ଖେଳାଳି କେବଳ ପଡ଼ିଆ ଭିତର ଖେଳାଳିଙ୍କଠାରୁ ନିର୍ଧାରିତ ସମୟ ମଧ୍ୟରେ ପରାମର୍ଶ ନେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe