ମୁମ୍ବାଇ: ମହିଳା ଆଇପିଏଲ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ କେବଳ ମହିଳାଙ୍କୁ ନେଇ ଏହାର ପ୍ରଶିକ୍ଷକ ମଣ୍ଡଳି ଗଠନ କରିଛି। ପୂର୍ବତନ ଇଂଲଣ୍ଡ ଅଧିନାୟିକା ଚାର୍ଲୋଟ୍ ଏଡୱାର୍ଡସ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ସଦ୍ୟ ଅବସରପ୍ରାପ୍ତ ଭାରତୀୟ କିଂବଦନ୍ତି ଝୁଲଣ ଗୋସ୍ବାମୀଙ୍କୁ ମାର୍ଗଦର୍ଶକ ଓ ବୋଲିଂ ପ୍ରଶିକ୍ଷକ ଭାବେ ଦୈତ ଭୂମିକା ପ୍ରଦାନ କରାଯାଇଛି। ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର୍ ଦେବିକା ପଲସିକରଙ୍କୁ ବ୍ୟାଟିଂ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଉଭୟ ଦିନିକିଆ ଏବଂ ଟେଷ୍ଟ୍ରେ ଦ୍ବିତୀୟ ଅଗ୍ରଣୀ ରନ୍ ସଂଗ୍ରହକାରୀ ଚାର୍ଲୋଟ ଏଡୱାର୍ଡସ ୨୦୧୭ରେ ଅବସର ନେବା ପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ୩ଟି ଘରୋଇ ଦଳର ପ୍ରଶିକ୍ଷକ ଥିଲେ। ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳର ପ୍ରଶିକ୍ଷଣ ମଣ୍ଡଳିରେ ମଧ୍ୟ ସାମିଲ ହୋଇଥିଲେ। ୨୦୦୯ରେ ଟ୍ବେଣ୍ଟି-୨୦ ଓ ଦିନିକିଆ ବିଶ୍ବକପ୍ ବିଜେତା ଇଂଲଣ୍ଡ ଦଳର ନେତୃତ୍ବ ନେଇଥିବା ଚାର୍ଲୋଟ୍ ୨୦୧୩ ମସିହାରେ ଲଗାତାର ମହିଳା ଆସେସ୍ ବିଜୟୀ ଦଳର ଅଧିନାୟିକା ଥିଲେ। ଅନ୍ୟପକ୍ଷରେ ଭାରତ ପାଇଁ ୧ ଟେଷ୍ଟ୍ ଓ ୧୫ ଦିନିକିଆ ଖେଳିଥିବା ଦେବିକା ଭାରତ ଓ ବାଂଲାଦେଶ ପାଇଁ ସହକାରୀ ପ୍ରଶିକ୍ଷକ ଭୂମିତା ତୁଲାଇ ସାରିଛନ୍ତି। ୨୦୧୮ରେ ଏସିଆ କପ୍ ବିଜେତା ବାଂଲାଦେଶ ମହିଳା ଦଳର ପ୍ରଶିକ୍ଷଣ ମଣ୍ଡଳିରେ ସେ ସାମିଲ ଥିଲେ। ‘ଖେଳରେ ଅଧିକାରୁ ଅଧିକ ମହିଳାଙ୍କୁ ଦେଖି ଖୁସି ଲାଗୁଛି। କେବଳ ଖେଳାଳି ଭାବେ ନୁହେଁ, ପ୍ରଶିକ୍ଷକ, ପ୍ରଶାସକ, ସପୋର୍ଟ ଷ୍ଟାଫ୍ ମଧ୍ୟ ମହିଳାଙ୍କ ଦାୟିତ୍ବରେ। ଭାରତରେ ମହିଳା ଖେଳ ପାଇଁ ଏହା ନିଶ୍ଚିତ ଚମତ୍କାର କଥା’ ବୋଲି ପ୍ରକାଶ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର୍ ଲିଗ୍ ଦଳର ମାଲିକାଣୀ ନୀତା ଅମ୍ବାନି।
ଫେବ୍ରୁଆରି ୧୩ରେ ନିଲାମ
ପ୍ରଥମ ସଂସ୍କରଣ ମହିଳା ପ୍ରିମିୟର୍ ଲିଗ୍ (ଡବୁଲ୍ୟପିଏଲ୍) ଲାଗି ଦିନିକିଆ ନିଲାମ ପ୍ରକ୍ରିୟା ଚଳିତ ମାସ ୧୩ ତାରିଖରେ ମୁମ୍ବାଇରେ ହେବ। ମୋଟ ୫ ଦଳ ପାଇଁ ୯୦ ଖେଳାଳି ବିକ୍ରି ହେବେ। ସବୁ ଦଳ ନିକଟରେ ୧୨ କୋଟି ଟଙ୍କା ରହିଛିି। ପ୍ରତ୍ୟେକ ଦଳ ସର୍ବନିମ୍ନ ୧୫ ଓ ସର୍ବାଧିକ ୧୮ ଦଳ କିଣିପାରିବେ। ସହଯୋଗୀ ଦେଶର ଜଣଙ୍କୁ ନେବା ସହ ସର୍ବାଧିକ ୭ ଜଣ ବିଦେଶୀ ଖେଳାଳି ରହିବେ। ଚୂଡାନ୍ତ ଏକାଦଶରେ କିନ୍ତୁ ୫ ଜଣ ଖେଳିପାରିବେ। ପ୍ରତି ଦଳ ୮ ମ୍ୟାଚ୍ ଖେଳିବାକୁ ଥିବାବେଳେ ମୋଟ ୨୨ଟି ମୁକାବିଲା ହେବ। ଶୀର୍ଷ ଦଳ ସିଧାସଳଖ ଫାଇନାଲ୍ ଖେଳିବ। ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ କ୍ବାଲିଫାୟାର୍ ଖେଳି ଦ୍ବିତୀୟ ଫାଇନାଲିଷ୍ଟ ନିର୍ଣ୍ଣୟ କରିବେ।
Follow Us