ଲଣ୍ଡନ ମେୟରଙ୍କ ନିର୍ବାଚନୀ ପ୍ରତିଶ୍ରୁତି, ‘ମୋତେ ଭୋଟ ଦିଅ, ଲଣ୍ଡନ୍‌ରେ ଆଇପିଏଲ୍‌ କରିବି’

Advertisment
ଲଣ୍ଡନ ମେୟରଙ୍କ ନିର୍ବାଚନୀ ପ୍ରତିଶ୍ରୁତି, ‘ମୋତେ ଭୋଟ ଦିଅ, ଲଣ୍ଡନ୍‌ରେ ଆଇପିଏଲ୍‌ କରିବି’

ଲଣ୍ଡନ : ଭାରତରେ ଏବେ କେତେକ ରାଜ୍ୟରେ ନିର୍ବାଚନ ଚାଲିଛି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାମାନେ ବିଭିନ୍ନ ପ୍ରକାରର ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ପୁଣି ନିର୍ବାଚନ ଜିତିବାକୁ ଲଣ୍ଡନର ମେୟର ସାଦିକ ଖାଁ ଲଣ୍ଡନବାସୀଙ୍କୁ ଏକ ଅଭିନବ ପ୍ରଲୋଭନ ଦେଖାଇଛନ୍ତି। ଭବିଷ୍ୟତରେ ଲଣ୍ଡନରେ ବିଶ୍ବର ଅନ୍ୟତମ ଲୋକପ୍ରିୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଆଇପିଏଲ୍‌ ଆୟୋଜନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ଶୁକ୍ରବାର ଏକ ବିଜ୍ଞପ୍ତିରେ ସେ କହିଛନ୍ତି ଯେ ଲଣ୍ଡନବାସୀ ଭାରତୀୟ କ୍ରିକେଟ୍‌ ତାରକା ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତଙ୍କୁ ଲଣ୍ଡନର ଷ୍ଟାଡିୟମଗୁଡ଼ିକରେ ଖେଳୁଥିବା ଦେଖିବାକୁ ଆଗ୍ରହୀ। ଆଇପିଏଲ୍‌ ଆୟୋଜନ କରି ଲଣ୍ଡନବାସୀଙ୍କ ଏହି ସ୍ବପ୍ନ ପୂରଣ ହୋଇପାରିବ ଓ ତା’ସହିତ ପର୍ଯ୍ୟଟନ ଓ ରାଜସ୍ବ ବଢ଼ିବ।

କରୋନା ମହାମାରୀ ପରେ ଏକ ଉନ୍ନତ ଲଣ୍ଡନ ଗଢ଼ିବା ପାଇଁ ସେ କରିଥିବା ଯୋଜନାର ଏହା ଏକ ଅଂଶ ବୋଲି ଖାଁ କହିଛନ୍ତି। ଲଣ୍ଡନରେ ବିଶ୍ବର ଦୁଇଟି ଶ୍ରେଷ୍ଠ କ୍ରିକେଟ୍‌ ଷ୍ଟାଡିୟମ ରହିଛି। ଗୋଟିଏ ହେଉଛି ଦି ଲର୍ଡସ ଓ ଅନ୍ୟଟି ଦି କିଆ ଓଭାଲ। ଏଣୁ ଆଇପିଏଲ୍‌ ଆୟୋଜନ କରିବାକୁ ଲଣ୍ଡନ ଏକ ପ୍ରକୃଷ୍ଟ ସ୍ଥାନ।

କିଛିଦିନ ପୂର୍ବେ ସରେର ଅଧ୍ୟକ୍ଷ ରିଚାର୍ଡ ଥମ୍ପସନ କହିଥିଲେ ଯେ ଲଣ୍ଡନରେ ଆଇପିଏଲ ଆୟୋଜନ କଲେ ଇଂଲଣ୍ଡରେ କ୍ରିକେଟ୍‌ ଆହୁରି ଲୋକପ୍ରିୟ ହେବ। ଏହା ସହିତ ଇଂଲଣ୍ଡ ଏଣ୍ଡ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)ଲକ୍ଷ ଲକ୍ଷ ପାଉଣ୍ଡର ରାଜସ୍ବ କମାଇବ। ଏହା ବୋର୍ଡର ବଢ଼ିଚାଲିଥିବା କ୍ଷତିକୁ ଭରଣା କରିବାର ସୁଯୋଗ ଆଣିଦେବ।

ପୂର୍ବରୁ ବିଶ୍ବକପ୍‌ ଓ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଇସିବି ବିପୁଳ ଲାଭ କରିପାରିଥିଲା। ଆଇପିଏଲ୍‌ ଆୟୋଜନ କରି ମଧ୍ୟ ଏହି ଧରଣର ଲାଭ କମାଇହେବ ବୋଲି ସେ କହିଛନ୍ତି। ଏହାଦ୍ବାରା ବୋର୍ଡ କରୋନା ଯୋଗୁଁ ସହିଥିବା କ୍ଷତିର ଭରଣା କରିବାକୁ ସକ୍ଷମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe