CricTracker.com
ସିଡ୍ନି : ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳର ଅଲରାଉଣ୍ଡର୍ ଏଲିସ୍ ପେରି ଓ ସେହି ଦେଶର ରଗ୍ବି ଖେଳାଳି ମ୍ୟାଟ୍ ଟୋମୁଆ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ସେମାନଙ୍କର ବିବାହ ବିଚ୍ଛେଦ ହୋଇଛି। ଟୋମୁଆଙ୍କୁ ଛାଡ଼ପତ୍ର ଦେଇଥିବା ପେରି ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଘୋଷଣା କରିଛନ୍ତି। ଏହି ଦୁଇ ଚର୍ଚିତ କ୍ରୀଡ଼ା ସେଲିବ୍ରେଟି ୨୦୧୪ ମସିହା ଅଗଷ୍ଟ ମାସରେ ନିର୍ବନ୍ଧ କରିବା ପରେ ଡିସେମ୍ବର ୨୦୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ହେଲେ ପାଞ୍ଚବର୍ଷର ବୈବାହିକ ଜୀବନ ପରେ ଉଭୟ ଆଉ ପରସ୍ପର ସହ ରହିବାକୁ ଚାହୁନାହାନ୍ତି।
ପେରି ଓ ଟୋମୁଆଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଗତ ଫେବ୍ରୁଆରି ମାସରେ ଆୟୋଜିତ ଅଷ୍ଟ୍ରେଲୀୟ କ୍ରିକେଟ୍ ପୁରସ୍କାର ଉତ୍ସବରୁ ଜଣାପଡ଼ିଥିଲା। ଏହି ଉତ୍ସବରେ ଯୋଗଦେବା ଅବସରରେ ପେରି ତାଙ୍କ ବିବାହ ମୁଦି ପିନ୍ଧି ନଥିଲେ। ପେରି ତୃତୀୟ ଥର ପାଇଁ ବେଲିଣ୍ଡା କ୍ଲାର୍କ ପୁରସ୍କାର ପାଇଥିଲେ ମଧ୍ୟ ଟୋମୁଆ ତାଙ୍କ ସହ ନଥିଲେ। ଶନିବାର ଉଭୟ ଏକ ଯୁଗ୍ମ ପ୍ରେସ୍ ବାର୍ତ୍ତା ପ୍ରକାଶ କରି ବିବାହ ବିଚ୍ଛେଦ ହୋଇଥିବା ସ୍ବୀକାର କରିଛନ୍ତି। ଏଥିରେ ସେମାନେ ଲେଖିଛନ୍ତି ଯେ ଆମ ଦୁଇ ଜଣଙ୍କ ହିତ ଦୃଷ୍ଟିରୁ ଏହା ହିଁ ସବୁଠାରୁ ଭଲ ନିଷ୍ପତ୍ତି ବୋଲି ଆମେ ଭାବୁଛୁ। ଆମକୁ ଏକୁଟିଆ ଛାଡ଼ି ଦେବାକୁ ସମସ୍ତଙ୍କୁ ଅନୁରୋଧ କରୁଛୁ।
Follow Us