ଅଷ୍ଟ୍ରେଲିଆକୁ ପୁଣି ହରାଇଲା ଇଂଲଣ୍ଡ: ଟେଷ୍ଟ୍‍ ପ୍ରତିଶୋଧ ଦିନିକିଆରେ

Advertisment
ଅଷ୍ଟ୍ରେଲିଆକୁ ପୁଣି ହରାଇଲା ଇଂଲଣ୍ଡ: ଟେଷ୍ଟ୍‍ ପ୍ରତିଶୋଧ ଦିନିକିଆରେ

ସିଡ୍‌ନି: ଆସେସ୍‌ ଟେଷ୍ଟ୍‍ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ନେଇଛି ଇଂଲଣ୍ଡ। ୪-୦ରେ ଆସେସ୍‌ ଜିତିଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ଏବେ ୫ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳାରେ ୩-୦ରେ ଆଗୁଆ ହୋଇଯାଇଛି। ରବିବାର ଖେଳାଯାଇଥିବା ତୃତୀୟ ଦିନିକିଆରେ ୧୬ ରନ୍‌ର ରୋମାଞ୍ଚକ ବିଜୟ ସହ ଇଅନ୍‌ ମୋର୍ଗାନ୍‌ଙ୍କ ଦଳ ୨ ମ୍ୟାଚ୍‌ ପୂର୍ବରୁ ଏହି ଗୌରବ ଅର୍ଜନ କରିଛି। ଘରୋଇ ପରିବେଶରେ ଏକ ଦିନିକିଆ ଶୃଙ୍ଖଳାର ପ୍ରଥମ ୩ ମ୍ୟାଚ୍‌ ହାରିଯିବା ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଅବସର ଥିଲା। ରବିବାର ଅଲରାଉଣ୍ଡ୍‌ ପ୍ରଦର୍ଶନ ତଥା ଲଢ଼ୁଆ ପ୍ରତ୍ୟାବର୍ତନ ବଳରେ ଇଂଲଣ୍ଡ ବିଜୟୀ ହୋଇଥିଲା। ଓ୍ଵିକେଟରକ୍ଷକ ଜୋସ୍‌ ବଟଲର୍‌ ଏବଂ କ୍ରିସ୍‌ ଓ୍ଵକ୍‌ସଙ୍କ ଶତକୀୟ ସପ୍ତମ ଭାଗୀଦାରି ବଳରେ ଭ୍ରମଣକାରୀ ଦଳ ସିଡ୍‌ନିରେ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୩୦୨ ରନ୍‌ କରିଥିଲା। ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇ ଇଂଲଣ୍ଡ ୧୮୯/୬ରେ ସଂଘର୍ଷ କରିଥିଲା। କିନ୍ତୁ ଜୋସ୍‌ ବଟ୍ଟଲର୍‌ଙ୍କ ବିସ୍ଫୋରକ ଶତକ (୧୦୦*, ୮୩ ବଲ୍‌, ୬ ଚୌକା, ୪ ଛକା) ମ୍ୟାଚ୍‌କୁ ନୂଆ ଦିଶା ଦେଇଥିଲା। ୮ ନମ୍ବର ବ୍ୟାଟସମ୍ୟାନ୍‌ କ୍ରିସ୍‌ ଓ୍ଵକ୍‌ସ (୫୩*, ୩୬ ବଲ୍‌, ୫ ଚୌକା, ୨ ଛକା) ବିସ୍ଫୋରକ ଅର୍ଧଶତକ ହାସଲ କରିବା ସହିତ ବଟଲର୍‌ଙ୍କ ସହ ମିଶି ୧୧୩ ରନ୍‌ ସଂଯୋଗ କରିଥିଲେ। ଏହି ନିର୍ଣ୍ଣାୟକ ଭାଗୀଦାରି ପାଇଁ ଇଂଲଣ୍ଡ ଶେଷ ୧୦ ଓଭରରେ ୧୦୨ ରନ୍‌ ଯୋଡ଼ିଥିଲା। ପାଳିର ଶେଷ ବଲ୍‌ରେ ହିଁ ବଟଲର୍‌ ନିଜର ପଞ୍ଚମ ଦିନିକିଆ ଶତକ ପୂର୍ଣ୍ଣ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ଡେଭିଡ୍‌ ଓ୍ଵାର୍ନର (୮), କାମେରନ୍‌ ହ୍ଵାଇଟ୍‌ (୧୭)ଙ୍କୁ ୪୪ରନ୍‌ ଭିତରେ ହରାଇଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଆରୋନ୍‌ ଫିଞ୍ଚ୍‌ (୬୨, ୫୩ ବଲ୍‌, ୩ ଚୌକା, ୩ ଛକା) ଏବଂ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ (୪୫, ୬୬ ବଲ୍‌, ୧ ଚୌକା) ତୃତୀୟ ଓ୍ଵିକେଟ୍‌ ପାଇଁ ୬୯ ରନ୍‌ ଯୋଡ଼ିଥିଲେ। ଏହା ପରେ ମିଚେଲ୍‌ ମାର୍ସ (୫୫, ୬୬ ବଲ୍‌, ୪ ଚୌକା), ମାର୍କସ ଷ୍ଟୋଇନିସ୍‌ (୫୬, ୪୩ ବଲ୍‌, ୩ ଚୌକା, ୨ ଛକା) ଏବଂ ଟିମ୍‌ ପାଇନ୍‌ (୩୧, ୩୫ ବଲ୍‌, ୧ ଚୌକା) ଲଢ଼ିଥିଲେ ମଧ୍ୟ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ପାରିନଥିଲେ। ଘରୋଇ ଅଷ୍ଟ୍ରେଲିଆ ୨୮୬/୬ରେ ସୀମିତ ରହିଯାଇଥିଲା। ବଟ୍‌ଲର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୫୦ ଓଭରରେ ୩୦୨/୬ (ଜନି ବେୟାରଷ୍ଟୋ-୩୯, ଜୋସ୍‌ ବଟଲର୍‌-୧୦୦*, କ୍ରିିସ୍‌ ଓ୍ଵକ୍‌ସ-୫୩*, ଜୋସ୍‌ ହାଜେଲ୍‌ଉଡ୍‌-୨/୫୮)। ଅଷ୍ଟ୍ରେଲିଆ ୫୦ ଓଭରରେ ୨୮୬/୬ (ମାର୍କସ ଷ୍ଟୋଇନିସ୍‌ -୫୬, ମିଚେଲ୍‌ ମାର୍ସ-୫୫, ଟିମ୍‌ ପାଇନ୍‌-୩୧*, ମାର୍କ ଉଡ୍‌-୨/୪୬, ଆଦିଲ୍‌ ରସିଦ୍‌-୨/୫୧, କ୍ରିସ୍‌ ଓ୍ଵକ୍‌ସ-୨/୫୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe