ପାକିସ୍ତାନକୁ ହରାଇଲା ଇଂଲଣ୍ଡ, ଦ୍ବିତୀୟ ଟି-୨୦ରେ ୪ ଅର୍ଧଶତକ

Advertisment
ପାକିସ୍ତାନକୁ ହରାଇଲା ଇଂଲଣ୍ଡ, ଦ୍ବିତୀୟ ଟି-୨୦ରେ ୪ ଅର୍ଧଶତକ

ମାଞ୍ଚେଷ୍ଟର୍‌: ବ‌ିସ୍ଫୋରକ ବ୍ୟାଟିଂର ନିଖୁଣ ନିଦର୍ଶନ ଭିତରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଶେଷ ହୋଇଛି। ପ୍ରଥମ ମ୍ୟାଚ୍‌ ବର୍ଷା କାରଣରୁ ଆଧାରୁ ବାତିଲ ହୋଇଥିବାବେଳେ ରବିବାର ଇଂଲଣ୍ଡ ସହଜରେ ୫ ୱି‌କେଟ୍ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନ ୧୯୫ ରନ୍‌ର ଲଢ଼ୁଆ ସ୍କୋର୍ କରିଥିଲେ ମଧ୍ୟ ଇଂଲଣ୍ଡ ୫ ବଲ୍ ପୂର୍ବରୁ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଏଥି ସହ ୩ ମ୍ୟାଚ୍‌ ଶୃଙ୍ଖଳାରେ ଇଅନ ମୋର୍ଗାନଙ୍କ ଦଳ ୧-୦ରେ ଆଗୁଆ ହୋଇଛି। ମଙ୍ଗଳବାର ତୃତୀୟ ତଥା ଶେଷ ଟି-୨୦ ଖେଳାଯିବ।

ରବିବାର ଇଂଲଣ୍ଡ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି‌ ନେଇଥିଲା। ପାକିସ୍ତାନ ପାଇଁ ପ୍ରାରମ୍ଭିକ‌ ଯୋଡ଼ି ବାବର ଆଜମ (୫୬, ୪୪ ବଲ, ୭ ଚୌକା) ଏବଂ ଫକର ଜମାନ୍ (୩୬, ୨୨ ବଲ, ୫ ଚୌକା, ୧ ଛକା) ୭୨ ରନ୍ ଭାଗୀଦାରି କରି ଦୃଢ଼ ମୂଳଦୁଆ ପକାଇଥିଲେ। ଆଦିଲ ରସିଦ୍‌ ଉଭୟଙ୍କ ୱିକେଟ୍ ନେବା ପରେ ଅଭିଜ୍ଞ ମହମ୍ମଦ ହାଫିଜ୍ (୬୯, ୩୬ ବଲ, ୫ ଚୌକା, ୪ ଛକା) ମାତ୍ର ୨୬ ବଲରୁ ଅର୍ଧଶତକ ପୂର୍ଣ୍ଣ କରି ଦଳକୁ ବଡ଼ ସ୍କୋର୍‌ ପ୍ରଦାନରେ ପ୍ରମୁଢ଼ ଭୂମିକା ତୁଲାଇଥିଲେ। ସୋଏବ୍ ମଲ୍ଲିକ (୧୪, ୧୧ ବଲ) ବିଶେଷ ପ୍ରଭାବ ପକାଇ ପାରିନଥିଲେ। ଇଂଲଣ୍ଡ ପକ୍ଷରୁ ଆଦିଲ୍ ରସିଦ୍ (୨/୩୨) ସଫଳ ‌ବୋଲର ଥିଲେ। ଟମ୍ କରନ୍‌ ଓ କ୍ରିସ୍ ଜୋର୍ଡାନ୍‌ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ଇଂଲଣ୍ଡ ପାଇଁ ମଧ୍ୟ ଏହାର ପ୍ରାରମ୍ଭିକ ଯୋଡ଼ି ଟମ୍ ବେଣ୍ଟନ୍‌ (୨୦, ୧୬ ବଲ, ୧ ଛକା) ଏବଂ ଜନି‌ ବେୟାରଷ୍ଟୋ (୪୪, ୨୪ ବଲ, ୪‌ ଚୌକା, ୨ ଛକା) ପ୍ରଥମ ୱିକେଟ୍ ପାଇଁ ୬୬ ରନ୍ ଉଠାଇଥିଲେ। ଏହା ପରେ ଅଧିନାୟକ ଇଅନ୍ ମୋର୍ଗନ୍ (୬୬, ୩୩ ବଲ, ୬‌ ଚୌକା, ୪ ଛକା) ଏବଂ ଡେଭିଡ୍ ମଲାନ୍ (୫୪*, ୩୬ ବଲ, ୬ ଚୌକା, ୧ ଛକା) ଶତକୀୟ ଭାଗୀଦାରି କରି ଦଳକୁ ସହଜ ବିଜୟ ଦେଇଥିଲେ। ଏହି ଯୋଡ଼ି ତୃତୀୟ ୱିକେଟ୍ ପାଇଁ ୧୦.୨ ଓଭରରେ ୧୧୨ ରନ୍ ଯୋଡ଼ି ପାକିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ପାକିସ୍ତାନର ତାରକା ବୋଲର ସାହିନ୍ ସାହା ଆଫ୍ରିଦୀଙ୍କୁ ଚୌକା ମାରି ମଲାନ୍ ନିଜ ୫ ବଲ୍ ପୂର୍ବରୁ ୫ ୱିକେଟ୍‌ରେ ଇଂଲଣ୍ଡକୁ ବିଜୟୀ କରାଇଥିଲେ। ମୋର୍ଗାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୨୦ ଓଭରରେ ୧୯୫/୪ (ମହମ୍ମଦ ହାଫିଜ-୬୯, ବାବର ଆଜମ-୫୬, ଫକର ଜମାନ୍-୩୬, ଆଦିଲ ରସିଦ୍-୨/୩୨, କ୍ରିସ୍ ଜୋର୍ଡାନ-୧/୪୧, ଟମ୍ କରନ୍-୧/୪୬)। ଇଂଲଣ୍ଡ ୧୯.୧ ଓଭରରେ ୧୯୯/୫ (ଇଅନ୍ ମୋର୍ଗାନ୍-୬୬, ଜନି ବେୟାରଷ୍ଟୋ-୪୪, ଡେଭିଡ୍‌ ମଲାନ୍-୫୪*, ସଦାବ ଖାନ୍-୩/୩୪, ହାରିସ୍‌ ରଉଫ୍-୨/୩୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe