୫୦୦ତମ ଟେଷ୍ଟ୍‌ରେ ଇଂଲଣ୍ଡର ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ପାଳି ଓ ୫୩ ରନ୍‌ରେ ହରାଇଲା, ଶୃଙ୍ଖଳାରେ ୨-୧ରେ ଆଗୁଆ

Advertisment
୫୦୦ତମ ଟେଷ୍ଟ୍‌ରେ ଇଂଲଣ୍ଡର ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ପାଳି ଓ ୫୩ ରନ୍‌ରେ ହରାଇଲା, ଶୃଙ୍ଖଳାରେ ୨-୧ରେ ଆଗୁଆ

The Telegraph

ପୋର୍ଟ ଏଲିଜାବେଥ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଇଂଲଣ୍ଡ ଏକ ପାଳି ଓ ୫୩ ରନ୍‌ରେ ବିଜୟୀ ହୋଇଛି। ଲଗାତାର ତୃତୀୟ ଦିନ ବର୍ଷା ଏବଂ ପ୍ରତିକୂଳ ପାଗ ପ୍ରତିବଂଧକ ସୃଷ୍ଟି କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିବା ଇଂଲଣ୍ଡ ବିଜୟ ସୁଯୋଗ ହାତଛଡ଼ା କରିନାହିଁ। ତଥାପି ନିମ୍ନକ୍ରମରେ‌ କେଶବ ମହାରାଜ (୭୧, ୧୦୬ ବଲ୍‌, ୧୦‌ ଚୌକା, ୩ ଛକା) ଏବଂ ପ୍ରଥମ ପଦାର୍ପଣକାରୀ ଡାନ୍‌ ପିଟରସନ୍‌ (୩୯*, ୪୦ ବଲ୍‌, ୬‌ ଚୌକା) ଆକର୍ଷଣୀୟ ବ୍ୟାଟିଂ କରିବାରୁ ଇଂଲଣ୍ଡର ବିଜୟ ବିଳମ୍ବିତ ହୋଇଥିଲା। ଶେଷ ୱିକେଟ୍ ପାଇଁ ଏହି ଯୋଡ଼ି ୯୯ ରନ୍ ସଂଯୋଗ କରିଥିଲେ। ମହାରାଜଙ୍କ ରନ୍‌ ଆଉଟ୍ ସହିତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି ୨୩୭ ରନ୍‌ରେ ଶେଷ ହୋଇଥିଲା। ପୂର୍ବରୁ ଇଂଲଣ୍ଡର ୪୯୯/୯ ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୨୦୯ ରନ୍‌ ସମସ୍ତ ୱିକେଟ୍‌ ହରାଇବାରୁ ଫଲୋଅନ୍‌ ଡାକରା ପାଇଥିଲା। ଏହି ବିଜୟ ସହିତ ଇଂଲଣ୍ଡ ମଧ୍ୟ ୯ ପରେ ପ୍ରଥମ ଥର ପାଇଁ ଦେଶ ବାହାରେ ଏକ ପାଳି ବ୍ୟବଧାନ ବିଜୟ ପାଇଛି। ଶେଷ ଥର ପାଇଁ ୨୦୧୧ ମସିହା ସିଡନି ଟେଷ୍ଟ୍‌ରେ ଇଂଲଣ୍ଡ ପାଳି ବ୍ୟବଧାନରେ ଜିତିଥିଲା। ଭ୍ରମଣକାରୀ ପକ୍ଷରୁ ପ୍ରଥମ ପାଳିରେ ସର୍ବାଧିକ ୧୩୫* ରନ୍‌ କରିଥିବା ମ୍ୟାଚ୍‌ରେ ମୋଟ ୬ କ୍ୟାଚ୍‌ ନେଇଥିବାରୁ‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଇଂଲଣ୍ଡ ୪ ମ୍ୟାଚ୍‌ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଛି। ଗୋଟିଏ ଟେଷ୍ଟ୍‌ରେ ଶତକ ଏବଂ ୬ ୱିକେଟ୍ ନେବାରେ ଓଲି ପୋପ୍‌ ବିଶ୍ବର ଷଷ୍ଠ ଖେଳାଳି ହୋଇଛନ୍ତି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ପୁନଃ ପ୍ରବେଶ କରିବା ପରେ ଦକ୍ଷିଣ ଆଫ୍ରିକା ଚତୁର୍ଥ ଥର ପାଇଁ ଘରୋଇ ମାଟିରେ ପାଳି ବ୍ୟବଧାନରେ ହାରିଛି। ଘରୋଇ ମାଟିରେ ମଧ୍ୟ ଦଳକୁ ୧୦ ବର୍ଷ ପରେ ପ୍ରଥମ ଥର ଏଭଳି ଲଜ୍ଜା ମିଳିଛି।

ସୂଚନାଯୋଗ୍ୟ, ପ୍ରିଟୋରିଆରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ୍‌ରେ ଦକ୍ଷିଣ ଆଫ୍ରିକା ୧୦୭ ରନ୍‌ରେ ବିଜୟୀ ହୋଇଥିବାବେଳେ କେପ୍‌ ଟାଉନ୍‌ରେ ଇଂଲଣ୍ଡ ୧୮୭ ରନ୍‌ରେ ଜିତି ଏହାର ପ୍ରତିଶୋଧ ନେଇଥିଲା। ଏବେ ଚତୁର୍ଥ ଟେଷ୍ଟ୍‌ ଶୁକ୍ରବାରଠାରୁ ଜୋହାନ୍ସବର୍ଗରେ ଖେଳାଯିବ।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୪୯୯/୯, ଘୋଷିତ (ଓଲି ପୋପ୍‌ ୧୩୫*, ବେନ୍‌ ‌ଷ୍ଟୋକ୍ସ ୧୨୦, କେଶବ ମହାରାଜ ୫/୧୮୦, କାଗିସୋ ରବାଦା ୨/୯୭)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୦୯ (କ୍ବିଣ୍ଟନ୍ ଡି’କକ୍‌-୬୩, ଡୋମିନିକ୍‌ ବେସ-୫/୫୧, ଷ୍ଟୁଆର୍ଟ ବ୍ରଡ-୩/୩୦)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପଳି (ଫଲୋଅନ୍): ୮୮.୫ ଓଭରରେ ୨୩୭ (କେଶବ ମହାରାଜ-୭୧, ଡାନ୍‌ ପିଟରସନ୍‌-୩୯*, ଫାଫ ଡୁ’ପ୍ଲେସିସ୍‌-୩୬, ଜୋ ରୁଟ୍‌-୪/୮୭, ମାର୍କ ଉଡ୍‌-୩/୩୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe