ଅଷ୍ଟ୍ରେଲିଆକୁ ଅନାୟାସରେ ହରାଇଲା ଇଂଲଣ୍ଡ

Advertisment
ଅଷ୍ଟ୍ରେଲିଆକୁ ଅନାୟାସରେ ହରାଇଲା ଇଂଲଣ୍ଡ

ଦୁବାଇ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ବ୍ୟାଟିଂରେ ବିସ୍ଫୋରକ ଆରମ୍ଭରୁ ଫାଇଦା ଉଠାଇ ଇଂଲଣ୍ଡ ଶନିବାର ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ହରାଇ ତୃତୀୟ ବିଜୟ ସହ ସେମିଫାଇନାଲରେ ଗୋଟିଏ ପାଦ ରଖି‌ ଦେଇଛି। ଶକ୍ତିଶାଳୀ ମନେ ହେଉଥିବା ଅଷ୍ଟ୍ରେଲିଆର ବ୍ୟାଟିଂ ଇଂଲିସ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିବାରୁ ଏହି ମୁକୁଟବିହୀନ ଦଳ ମାତ୍ର ୧୨୫ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଜବାବରେ ଜୋସ୍ ବଟଲରଙ୍କ ଦମ୍‌ଦାର୍‌ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଅନାୟାସରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଗ୍ରୁପ୍‌-୧ରେ ଇଂଲଣ୍ଡ ୩ରୁ ୩ ବିଜୟ ସହ ୬ ପଏଣ୍ଟ୍ ପାଇଥିବାରୁ ସେମିଫାଇନାଲ୍‌ ପ୍ରବେଶକୁ ଏକ ପ୍ରକାର ନିଶ୍ଚିତ କରିଛି। ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍‌ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମ ପରାଜୟ ବରଣ କରିଛି। ଖରାପ୍‌ ଏନ୍‌ଆର୍‌ଆର୍‌ ପାଇଁ ମଧ୍ୟ ତୃତୀୟ ସ୍ଥାନକୁ ଖସିଆସିଛି।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଅଷ୍ଟ୍ରେଲିଆ ପାଳିରେ ଅଧିନାୟକ ଆରୋନ୍‌ ଫିଞ୍ଚ୍ ସର୍ବାଧିକ ୪୪ ରନ୍ (୪୯ ବଲ୍‌, ୪ ଚୌକା) କରିଥିଲେ। ଶୀର୍ଷକ୍ରମରେ ୪ ଜଣ (ଡେଭିଡ୍ ୱାର୍ଣ୍ଣର, ଷ୍ଟିଭେନ୍‌ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟୋଇନିସ୍) ବିଫଳ ହେବାରୁ ୨୧ ରନ୍‌ ଭିତରେ ୪ ୱିକେଟ୍‌ ହରାଇଥିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆକୁ ଆଉ ପ୍ରତ୍ୟାବର୍ତନର ସୁଯୋଗ ଦେଇନଥିଲେ ଇଂଲିସ୍ ବୋଲର। ୩ ଦ୍ରୁତ ବୋଲର୍‌ କ୍ରିସ୍‌ ୱକ୍ସ, କ୍ରିସ୍ ଜୋର୍ଡାନ, ଟାଇମଲ୍ ମିଲ୍ସ ମିଳିତ ଭାବେ ୭ ୱିକେଟ୍ ଅକ୍ତିଆର କରିଥିଲେ। ଦୁଇ ସ୍ପିନର୍‌ ଆଦିଲ ରସିଦ୍ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍‌ ମିଳିତ ଭାବେ ୮ ଓଭରରେ ମାତ୍ର ୩୪ ରନ୍‌ ବ୍ୟୟ କରିବା ଅଷ୍ଟ୍ରେଲିଆକୁ ବାନ୍ଧି ରଖିଥିଲା। ୧୨୬ ରନ୍‌ ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୫୦ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଜୋସ୍ ବଟଲର୍‌ଙ୍କ ବିସ୍ଫୋରକ ବ୍ୟାଟିଂ (୭୧* ରନ୍, ୩୨ ବଲ୍, ୫ ଚୌକା, ୫ ଛକା) ଇଂଲଣ୍ଡକୁ ଶୀର୍ଷରେ ଦୃଢ଼ କରିଦେଇଥିଲା। ହ୍ୟାଟ୍ରିକ୍‌ରୁ ବଞ୍ଚିତ କ୍ରିସ୍ ଜୋର୍ଡାନ (୪-୦-୧୭-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ବେଳେ ଜୋସ୍ ବଟଲରଙ୍କୁ ପ୍ରଭାବୀ‌ ‌ଖେଳାଳି ବିବେଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe