ଇଂଲଣ୍ଡ-ଇଣ୍ଡିଜ୍‌ ପ୍ରଥମ ଟେଷ୍ଟ୍‌: ଆରମ୍ଭରୁ ବର୍ଷା ବାଧକ, ଇଂଲଣ୍ଡ ୧/୩୫ (୧୭.୪ ଓଭର)

ଇଂଲଣ୍ଡ-ଇଣ୍ଡିଜ୍‌ ପ୍ରଥମ ଟେଷ୍ଟ୍‌: ଆରମ୍ଭରୁ ବର୍ଷା ବାଧକ, ଇଂଲଣ୍ଡ ୧/୩୫ (୧୭.୪ ଓଭର)

The Guardian

ସାଉଥମ୍ପଟନ୍: ଗୋଟିଏ ପଟେ ସାରା ବିଶ୍ବରେ କୋଭିଡ୍‌-୧୯ ମହାମାରୀର ପ୍ରାଦୁର୍ଭାବ ବଢ଼ି ଚାଲିଥିଲା ବେଳେ ଅନ୍ୟପଟେ ଇଂଲଣ୍ଡକୁ ଫେରିଛି ଆନ୍ତର୍ଜାତିକ କ୍ରିକେଟ୍‌। ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ବୁଧବାରଠୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ୍‌। ଫଳରେ ତିନି ଟେଷ୍ଟ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବା ଲାଗି ୱେଷ୍ଟଇଣ୍ଡିଜ୍‌ ଦଳର ଏହି ଇଂଲଣ୍ଡ ଗସ୍ତକୁ କରୋନା ପରବର୍ତୀ ପ୍ରଥମ ଆନ୍ତର୍ଜାତିକ କ୍ରିକେଟ୍‌ର ମାନ୍ୟତା ମିଳିଛି। ମାର୍ଚ୍ଚ ୧୫ରୁ ଏପର୍ଯ୍ୟନ୍ତ ପ୍ରାୟ ୪ ମାସ ଧରି କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା କ୍ରିକେଟ୍‌ ଏବେ ପଡ଼ିଆକୁ ଫେରିଛି। ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ଟେ‌ଷ୍ଟ୍‌ ଶୃଙ୍ଖଳାରୁ ଏଭଳି ପ୍ରତ୍ୟାବର୍ତନ ଘଟିଛି। ଏଠାରେ ଉଭୟ ଦଳ ପ୍ରଥମ ଟେଷ୍ଟ୍‌ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। କୋଭିଡ୍‌-୧୯ କଟକଣା ଯୋଗୁଁ ଫାଙ୍କା ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳାଯାଇଛି। ବଲ୍‌ରେ ଲାଳର ପ୍ରୟୋଗ କରାଯାଉନି କି ପଡ଼ିଆରେ ପୂର୍ବ ଭଳି ଖେଳାଳିମାନେ ଉତ୍ସବ ପାଳନ କରୁନାହାନ୍ତି। ତେବେ ପ୍ରତ୍ୟାବର୍ତନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌କୁ ବର୍ଷା ହିଁ ସ୍ବାଗତ କରିଛି। ସାଉଥମ୍ପଟନ୍‌ରେ ପ୍ରବଳ ବର୍ଷା ପ୍ରଥମ ଦିନ ‌ଖେଳ ଆରମ୍ଭରୁ ବାଧକ ସାଜିଛି। ବର୍ଷା ଯୋଗୁଁ ଟସ୍‌ ପଡ଼ିବାରେ ବିଳମ୍ବ ହୋଇଥିଲା।

ଏପରିକି ଗୋଟିଏ ବି ବଲ୍‌ ବୋଲିଂ ନହୋଇ ଖେଳାଳିମାନେ ମଧ୍ୟାହ୍ନ ବିରତିକୁ ଯାଇଥିଲେ। ବିରତି ପରେ ବର୍ଷା ସାମାନ୍ୟ ଥମି ଯାଇଥିବାରୁ ଟସ୍‌ ପଡ଼ିଥିଲା। ଘରୋଇ ଇଂଲଣ୍ଡର କାମଚଳା ଅଧିନାୟକ ବେନ୍‌ ଷ୍ଟୋକ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଟସ୍‌ ଜିତିବାର ସୌଭାଗ୍ୟ ପାଇଥିଲେ ଷ୍ଟୋକ୍ସ। ତେବେ ଓଦା ପଡ଼ିଆ ପାଇଁ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଏଥିରେ ୩ ଓଭର ବୋଲିଂ ହୋଇଥିଲା ବେଳେ ଇଂଲଣ୍ଡ ଡୋମିନିକ୍‌ ଶିବ୍‌ଲେଙ୍କ ୱିକେଟ୍‌ ହରାଇଥିଲା। ଆନ୍ତର୍ଜାତିକ ପ୍ରତ୍ୟାବର୍ତନ ମ୍ୟାଚ୍‌ର ପ୍ରଥମ ୱିକେଟ୍‌ ଇଣ୍ଡିଜ୍‌ ଦ୍ରୁତ ବୋଲର ସାନନ୍‌ ଗାବ୍ରିଏଲ୍‌ଙ୍କୁ ମିଳିଥିଲା। ସେ ୧୦ଟି ବଲ୍‌ ବୋଲିଂ କରିବା ପରେ ଏହି ସଫଳତା ପାଇଥିଲେ। ଶିବ୍‌ଲେ ୪ ବଲ୍‌ର ସାମ୍ନା କରି ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍‌ ଫେରିଯାଇଥିଲେ। ଏହା ପୂର୍ବରୁ କେମାର ରୋଚ୍‌ଙ୍କ ପ୍ରଥମ ଓଭରର ଚତୁର୍ଥ ବଲ୍‌ରେ ଏକ ଏଲ୍‌ବିଡବ୍ଲୁ ଆବେଦନକୁ ଅମ୍ପାୟାର ଖାରଜ କରିଦେଇଥିଲେ। ୩ ଓଭରରେ ଗୋଟିଏ ୱିକେଟ୍‌ ହରାଇ ଇଂଲଣ୍ଡ ୧ ରନ୍‌ କରିଥିଲା ବେଳେ ପୁନର୍ବାର ବର୍ଷା ଫେରିଥିଲା। ପୁଣି ମ୍ୟାଚ୍‌ ବନ୍ଦ ରହିଥିଲା। ଚା’ପାନ ବିରତିର ଅଳ୍ପ ସମୟ ପୂର୍ବରୁ ବର୍ଷା ଥମିବାରୁ ଖେଳ ପୁଣି ଆରମ୍ଭ ହୋଇଥିଲା। ଶିବ୍‌ଲେଙ୍କ ଆଉଟ୍‌ ପରେ କ୍ରିଜ୍‌କୁ ଆସିଥିଲେ ଜୋଏ ଡେନ୍‌ଲି। ସେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋରି ବର୍ନସଙ୍କ ସହ ଅତ୍ୟନ୍ତ ସତର୍କତାରେ ପାଳିକୁ ଆଗକୁ ବଢ଼ାଇଥିଲେ। ଉଭୟେ ଦ୍ବିତୀୟ ୱିକେଟ୍‌ରେ ୩୪ ରନ୍ ଯୋଡ଼ିଥିଲା ବେଳେ ବର୍ଷାର ଖେଳ ପୁଣି ଆରମ୍ଭ ହୋଇଯାଇଥିଲା। ସେତେବେଳକୁ ୧୭.୪ ଓଭର ବୋଲିଂ ହୋଇଥିଲା ବେଳେ ଇଂଲଣ୍ଡ ୧/୩୫ କରିଥିଲା। ବର୍ନସ ୨୦ ଏବଂ ଡେନ୍‌ଲି ୧୪ ରନ୍‌ରେ ଅପରାଜିତ ରହିଥିଲେ। ସେହିଠାରେ ହିଁ ପ୍ରଥମ ଦିବସର ଷ୍ଟମ୍ପ୍‌ସ ପ୍ରତ୍ୟାହାର କରିନିଆଯାଇଥିଲା।

ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଉଭୟ ଦଳର ଖେଳାଳି ଏବଂ ଅମ୍ପାୟାର ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏଥି ସହିତ ନିଜ ନିଜ ସାର୍ଟରେ ବିଏଲ୍‌ଏମ୍‌ (ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର) ଆନ୍ଦୋଳନ ବାର୍ତାର ଲୋଗୋ ପରିଧାନ କରିଥିଲେ। ଏପରିକି ଉଭୟ ଦଳର ଖେଳାଳି ଓ ଅମ୍ପାୟାର କୋଭିଡ୍‌-୧୯ ମାର୍ଗଦର୍ଶିକା ମୁତାବକ ସାମାଜିକ ଦୂରତା ବଜାୟ ରଖି ପଡ଼ିଆ ଭିତରେ ଆଣ୍ଠେଇ ବସି ବ୍ଲାକ୍‌ ଲାଇଭ୍‌ସ ମ୍ୟାଟରକୁ ସମର୍ଥନ ଜଣାଇଥିଲେ। ଏଥି ସହିତ ଉଭୟ ଦଳ ଗତ ସପ୍ତାହରେ ପରଲୋକ ଗମନ କରିଥିବା ସାର୍‌ ଏଭର୍ଟନ୍‌ ୱିକ୍ସଙ୍କ ସମ୍ମାନାର୍ଥେ ଏକ ମିନିଟ୍‌ର ନିରବ ପ୍ରାର୍ଥନା ମଧ୍ୟ କରିଥିଲେ।

ଇଂଲଣ୍ଡ ଏକାଦଶ: ରୋରି ବର୍ନସ, ଡୋମିନିକ୍‌ ସିବ୍‌ଲେ, ଜୋଏ ଡେନ୍‌ଲି, ଜାକ୍‌ କ୍ରଲି, ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଓଲି ପୋପେ, ଜୋସ୍‌ ବଟ୍ଟଲର୍‌ (ୱିକେଟ୍‌ରକ୍ଷକ), ଡୋକିନିକ୍‌ ବେସ୍‌, ଜୋଫ୍ରା ଆର୍ଚର, କ୍ରିସ୍‌ ୱକ୍‌ସ, ମାର୍କ ଉଡ୍‌, ଜେମ୍‌ସ ଆଣ୍ଡରସନ୍‌।

ୱେଷ୍ଟଇଣ୍ଡିଜ୍‌ ଏକାଦଶ: ଜନ୍‌ କାମ୍ପବେଲ୍‌, କ୍ରେଗ୍‌ ବ୍ରାଥ୍‌ୱେଟ୍‌, ସମର ବ୍ରୁକ୍ସ, ସାଇ ହୋପ୍‌, ରସ୍ତନ ଚେଜ୍‌, ଜର୍ମିନ୍‌ ବ୍ଲାକ୍‌ଉଡ୍‌, ସେନ୍‌ ଡୌରିକ୍‌ (ୱିକେଟ୍‌ରକ୍ଷକ), ଜାସନ୍‌ ହୋଲ୍‌ଡର (ଅଧିନାୟକ), ଅଲ୍‌ଜାରି ଜୋସେଫ୍‌, କେମାର ରୋଚ୍‌, ସାନନ୍ ଗାବ୍ରିଏଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe