ଓ୍ଵର୍ସେଷ୍ଟର: ମହମ୍ମଦ ସିରାଜ୍ (୨୯-୫-୭୯-୪) ଓ ସାହବାଜ୍ ନଦିମ୍ (୧୫-୩-୪୬-୩)ଙ୍କ ଚମତ୍କାର ବୋଲିଂ ସତ୍ତ୍ୱେ ଇଂଲଣ୍ଡ ଲାୟନ୍ସ ଦଳ ଚଳିତ ଭାରତ ‘ଏ’ ବିପକ୍ଷ ଏକମାତ୍ର ଅଣଆନୁଷ୍ଠାନିକ ଟେଷ୍ଟରେ ୪୨୩ ରନ୍ରେ ପ୍ରଥମ ପାଳି ଶେଷ କରିଛି। ଇଂଲଣ୍ଡ ଦଳ ମଙ୍ଗଳବାର ଆଉ ୧୧୩ ରନ୍ ଯୋଡ଼ି ଅବଶିଷ୍ଟ ୮ ଓ୍ଵିକେଟ୍ ହରାଇଥିଲା। ଆଲେଷ୍ଟର କୁକ୍ ୧୮୦ ଓ ଡେଭିଡ୍ ମଲାନ୍ ୭୪ ରନ୍ରେ ପ୍ୟାଭିଲିୟନ୍ ଫେରିଥିଲେ। ଦ୍ୱିତୀୟ ଓ୍ଵିକେଟ୍ରେ ଗବିନ୍ସଙ୍କ ସହ ୧୫୫ ରନ୍ ଯୋଡ଼ିଥିବା କୁକ୍ ତୃତୀୟ ଓ୍ଵିକେଟ୍ରେ ମଲାନ୍ଙ୍କ ସହ ୮୧ ରନ୍ ଯୋଡ଼ି ଦଳର ସ୍ଥିତି ଦୃଢ଼ କରିଥିଲେ। ଜବାବରେ ଭାରତ ‘ଏ’ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ୱେ ଦ୍ୱିତୀୟ ଦିବସ ସୁଦ୍ଧା ୧୪୪ ରନ୍ରେ ୪ ଓ୍ଵିକେଟ୍ ହରାଇଛି। ପୃଥ୍ଵୀ ସ (୬୨) ଏକା ଅର୍ଧଶତକ ହାସଲ କରି ଆଉଟ୍ ହୋଇଥିଲା ବେଳେ ମୁରଲୀ ବିଜୟ (୮), ମୟଙ୍କ ଅଗ୍ରଓ୍ଵାଲ୍ (୦) ଓ ଅଧିନାୟକ କରୁଣ ନାୟାର (୪) ନିରାଶ କରିଥିଲେ। ତେବେ ଆଜିଙ୍କ୍ୟ ରହାଣେ (୨୬) ଓ ଓ୍ଵିକେଟ୍ରକ୍ଷକ ଋଷଭ ପନ୍ତ୍ (୩୭) ଅପରାଜିତ ରହି ପାଳିକୁ ସଜାଡ଼ି ଚାଲିଛନ୍ତି। ଦୁହେଁ ଅବିଭାଜିତ ପଞ୍ଚମ ଓ୍ଵିକେଟ୍ରେ ୫୧ ରନ୍ ଯୋଡ଼ି ସାରିଛନ୍ତି।
ଇଂଲଣ୍ଡ ଲାୟନ୍ସ ୪୨୩, ଭାରତ ‘ଏ’ ୧୪୪/୪
Advertisment
Follow Us