ନ୍ୟୁଜିଲାଣ୍ଡ୍‌କୁ ହରାଇ ଇଂଲଣ୍ଡ ଉଜ୍ଜୀବିତ

Advertisment
ନ୍ୟୁଜିଲାଣ୍ଡ୍‌କୁ ହରାଇ ଇଂଲଣ୍ଡ ଉଜ୍ଜୀବିତ

NDTV Sports

ବ୍ରିସ୍‌ବେନ୍: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକ ଗୁରୁତ୍ବପୂର୍ଣ୍ଣ ସୁପର୍‌-୧୨ ମ୍ୟାଚ୍‌‌ରେ ମଙ୍ଗଳବାର ଦୃଢ଼ ଦାବିଦାର ଇଂଲଣ୍ଡ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ୍‌କୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ନିଜ ସେମିଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିଛି। ଅଧିନାୟକ ଜୋସ୍ ବଟଲର୍‌ ଏବଂ ଆଲେକ୍ସ ହେଲ୍ସ ପ୍ରଥମ ୱିକେଟ୍ ପାଇଁ ୮୧ ରନ୍‌ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇବା ପରେ ଦଳ ୧୭୯ ରନ୍ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ୍‌ ଭଲ ସ୍ଥିତିରେ ଥିଲେ ମଧ୍ୟ ଡେଥ୍‌ ଓଭରରେ ସୁଯୋଗ ହାତଛଡ଼ା କରି ଦେଇଥିଲା। ନିଜ ନିଜର ଚତୁର୍ଥ ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡ୍‌ ପ୍ରଥମ ପରାଜୟ ଏବଂ ଇଂଲଣ୍ଡ ଦ୍ବିତୀୟ ବିଜୟ ପାଇଛି। ଏଥି ସହିତ ଗ୍ରୁପ୍‌-୧ରେ ଦୁଇ ଦଳର ସେମିଫାଇନାଲ୍ ସ‌ୁଯୋଗ ଏବେ ମଧ୍ୟ କାଏମ ରହିଛି। ଅନ୍ତିମ ମ୍ୟାଚ୍‌ ଉପରେ କିନ୍ତୁ ଉଭୟ ଦଳ ନିର୍ଭର କରିବେ। ନ୍ୟୁଜିଲାଣ୍ଡ୍‌ ଖେଳିବ ସହଜ ପ୍ରତିଦ୍ବନ୍ଦ୍ବୀ ଆୟର୍ଲାଣ୍ଡ୍‌ ସହିତ ଏବଂ ଇଂଲଣ୍ଡ ଆଗରେ ରହିବ ଶ୍ରୀଲଙ୍କାର ଆହ୍ବାନ।

ଗାବାରେ ଇଂଲଣ୍ଡ ‌ମଙ୍ଗଳବାର ଟସ୍ ଜିତି ବ୍ୟାଟିଂ କରିଥିଲା। ବଟଲର୍ ଓ ହେଲ୍ସ ଦୃଢ଼ ମୂଳଦୁଆ ପକାଇବା ପରେ ଅବଶ୍ୟ ଇଂଲଣ୍ଡ ଏହାକୁ ତଦନୁଯାୟୀ ଆଗକୁ ବଢ଼ାଇପାରିନଥିଲା। ବଟଲର୍‌ ୪୭ ବଲ୍‌ରୁ ୭୩ ରନ୍‌ ଏବଂ ହେଲ୍ସ ୪୦ ବଲ୍‌ରୁ ୫୨ ରନ୍‌ ସଂଗ୍ରହ କରିଥିଲେ। ଏମାନଙ୍କ ବ୍ୟତୀତ ଲିଆମ୍ ଲିଭିଙ୍ଗଷ୍ଟୋନ୍‌ (୧୪ ବଲରୁ ୨୦ ରନ୍‌)‌ କେବଳ ଦୁଇ ଅଙ୍କ ଛୁଇଁଥିଲେ। ବୋଲ୍ଟ, ସାଉଦି, ଫର୍ଗୁସନ୍‌ ସଭିଏଁ ୪୦ରୁ ଊର୍ଧ୍ବ ରନ୍‌ ବ୍ୟୟ କରିଥିଲେ। ସ୍ପିନ୍‌ ଯୋଡ଼ି ମିଚେଲ୍ ସାଣ୍ଟନର୍ ଓ ଈଶ ସୋଢି କିନ୍ତୁ ମିତବ୍ୟୟୀ ବୋଲିଂ କରିଥିଲେ। ଜବାବରେ କେନ୍‌ ୱିଲିୟମସନ୍ ୪୦ ବଲରୁ ୪୦ ରନ୍‌ କରି ଅସଲ ବେଳକୁ ଆଉଟ୍‌ ହୋଇଯିବା ନ୍ୟୁଜିଲାଣ୍ଡ୍‌କୁ ବିଜୟଠାରୂ ଦୂରେଇ ରଖିଥିଲା। ବଡ଼ ସଟ୍‌ ଖେଳିବାକୁ ଯାଇ ଗ୍ଲେନ୍ ଫିଲିପ୍ସ (୩୬ ବଲ୍‌ରୁ ୬୨ ରନ୍‌) ମଧ୍ୟ ସାମ କରନ୍‌ଙ୍କ ଶିକାର ହୋଇଯାଇଥିଲେ। ଆଉ କେହି କ୍ବିୱି ପାଇଁ ଲଢ଼ି ପାରିନଥିଲେ। ବଟଲର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୨୦ ଓଭରରେ ୧୭୯/୬ (ଜୋସ୍ ବଟଲର୍-୭୩, ଆଲେକ୍ସ ହେଲ୍ସ-୫୨, ଲୋକି‌ ଫର୍ଗୁସନ୍‌-୨/୪୫, ଈଶ ସୋଢ଼ି-୧/୨୩, ମିଚେଲ୍ ସାଣ୍ଟନର୍‌-୧/୨୫, ଟ୍ରେଣ୍ଟ ବୋଲ୍ଟ-୧/୪୦, ଟିମ୍ ସାଉଦି-୧/୪୩)। ନ୍ୟୁଜିଲାଣ୍ଡ ୨୦ ଓଭରରେ ୧୫୯/୬ (ଗ୍ଲେନ୍ ଫିଲିପ୍ସ-୬୨, କେନ୍‌ ୱିଲିୟମସନ୍-୪୦, ସାମ କରନ୍‌-୨/୨୬, କ୍ରିସ୍‌ ୱକ୍ସ-୨/୩୩, ବେନ୍ ‌ଷ୍ଟୋକ୍ସ-୧/୧୦, ମାର୍କ ଉଡ୍‌-୧/୨୫)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe