ମୁମ୍ବାଇ: ଭାରତୀୟ ଦଳର ପ୍ରଶିକ୍ଷକ ପଦ ଗ୍ରହଣ କରିବା ପରେ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ଆଶାଜନକ ସଫଳତା ପାଇ ନାହାନ୍ତି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡଠାରୁ ଟେଷ୍ଟ୍ ଶୃଙ୍ଖଳା ହାରିବା ପରେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଟିମ୍ ଇଣ୍ଡିଆ ତାଙ୍କ ପ୍ରଶିକ୍ଷଣରେ ପରାଜିତ ହୋଇଛି। ତେଣୁ ଦଳର ବରିଷ୍ଠ ଖେଳାଳିଙ୍କ ସହ ତାଙ୍କ ଉପରେ ମଧ୍ୟ ବିସିସିଆଇର ସ୍ବତନ୍ତ୍ର ନଜର ରହିଛି। ଏପରିକି ପାକିସ୍ତାନ ଓ ୟୁଏଇରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ତାଙ୍କ ସହ କରିଥିବା ଚୁକ୍ତିର ସମୀକ୍ଷା ବିସିସିଆଇ କରିପାରେ। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ଓ ପ୍ରତିଷ୍ଠିତ ଭାଷ୍ୟକାର ଆକାଶ ଚୋପ୍ରା ଚାମ୍ପିଅନ୍ସ ଟ୍ରଫିରେ ଭାରତ ଖରାପ କଲେ ଗମ୍ଭୀରଙ୍କ ପଦ ଚାଲିଯିବକି?
ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଏଥରର ଚାମ୍ପିଅନ୍ସ ଟ୍ରଫି ସାଧାରଣ ନୁହେଁ। ୨୦୧୩ ମସିହାର ଚାମ୍ପିଅନ୍ସ ଟ୍ରଫି ମଧ୍ୟ ସାଧାରଣ ନଥିଲା। କାରଣ ସେଠାରୁ ଭାରତୀୟ କ୍ରିକେଟ୍ରେ ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା। ଏଥର ଭାରତୀୟ ଦଳ ପରିବର୍ତ୍ତନ କାଳରେ ରହିଛି। ଏଣୁ କିଛି ବରିଷ୍ଠ ଖେଳାଳି ପରୀକ୍ଷାରେ ରହିବେ। ଗମ୍ଭୀର ବିଦା ହେବେ ବୋଲି ଆପଣ ଯାହା ପଚାରୁଛନ୍ତି, ତାର ଉତ୍ତର ରଖି ମୁଁ କହିବି ଗମ୍ଭୀରଙ୍କୁ ବିସିସିଆଇ ଆଉ ଗୋଟିଏ ଶୃଙ୍ଖଳା ଲାଗି ସୁଯୋଗ ଦେବ। ସମ୍ଭବତଃ ଇଂଲଣ୍ଡ ଗସ୍ତ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରହିବ। ଇଂଲଣ୍ଡରେ ଯଦି ଭାରତ ଭଲ ନକରେ ତାହେଲେ, ଗମ୍ଭୀର ପ୍ରଶିକ୍ଷକ ପଦରେ ରହିବା କଷ୍ଟକର ହୋଇଯିବ।
Follow Us