ପାକିସ୍ତାନକୁ ଜିତାଇଲେ ହାଫିଜ୍‌ ଓ ହାଇଦର

ଇଂଲଣ୍ଡ ୫ ରନ୍‌ରେ ପରାସ୍ତ, ଟ୍ବେଣ୍ଟି-୨୦ ଶୃଙ୍ଖଳା ୧-୧ରେ ଶେଷ

ପାକିସ୍ତାନକୁ ଜିତାଇଲେ ହାଫିଜ୍‌ ଓ ହାଇଦର

Hindustan Times

ମାଞ୍ଚେଷ୍ଟର : ଇଂଲଣ୍ଡ ଗସ୍ତକୁ ଟ୍ବେଣ୍ଟି-୨୦ ବିଜୟରେ ଶେଷ କରିଛି ପାକିସ୍ତାନ। ଟେଷ୍ଟ୍ ଶୃଙ୍ଖଳାକୁ ୦-୧ରେ ହାରି ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଯାଇଥିବା ଏହି ଦଳ ତୃତୀୟ ତଥା ଶେଷ ମୁକାବିଲାକୁ ରୋମାଞ୍ଚକର ଭାବେ ୫ ରନ୍‌ରେ ଜିତି ଶୃଙ୍ଖଳା ୧-୧ରେ ଅମୀମାଂସିତ ରଖିବା ସହ ସମ୍ମାନଜନକ ବିଜୟରେ ଗସ୍ତ ଶେଷ କରିବାର ଯୁଗଳ ଲକ୍ଷ୍ୟ ହାସଲ କରିଛି। ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌କୁ ଇଂଲଣ୍ଡ ୫ ୱିକେଟ୍‌ରେ ଜିତି ନେଇଥିଲା। ପ୍ରଥମ ମ୍ୟାଚ୍‌କୁ ବର୍ଷା ଧୋଇ ନେବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଖେଳାଯାଇଥିବା ତୃତୀୟ ମୁକାବିଲା ଶୃଙ୍ଖଳା ନିର୍ଣ୍ଣାୟକ ହୋଇଥିଲା। ପାକିସ୍ତାନ ଶୃଙ୍ଖଳା ବଞ୍ଚାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ବେଳେ ଇଂଲଣ୍ଡ ଆଉ ଏକ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଥିଲା। ତେବେ ପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଉଭୟ ବ୍ୟାଟ୍ ଓ ବଲ୍‌ରେ ତୁଳନାତ୍ମକ ଭାବେ ଭଲ ପ୍ରଦର୍ଶନ କରି ପ୍ରତୀକ୍ଷିତ ବିଜୟ ହାସଲ କରିବା ସହ ଲଗାତାର ଶୃଙ୍ଖଳା ହାରିବା ଆଶଙ୍କାକୁ ଦୂର କରିଥିଲା। ପାକିସ୍ତାନ ୧୯୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ବେଳେ ଇଂଲଣ୍ଡ ୧୮୫/୮ରେ ଅଟକି ଯାଇଥିଲା।

ଇଂଲଣ୍ଡ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପାକିସ୍ତାନ କିଛି ପ୍ରାରମ୍ଭିକ ଝଟ୍‌କା ସତ୍ତ୍ବେ ଅଭିଜ୍ଞ ତାରକା ମହମ୍ମଦ ହାଫିଜଙ୍କ ଅପରାଜିତ ୮୬ ଏବଂ ପଦାର୍ପଣକାରୀ ହାଇଦର ଅଲ୍ଲୀଙ୍କ ୫୪ ରନ୍ ବଳରେ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍ ବିନିମୟରେ ୧୯୦ ରନ୍‌ର ଆହ୍ବାନପୂର୍ଣ୍ଣ ସ୍କୋର କରି ନେଇଥିଲା। ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ଇଂଲଣ୍ଡ ପାଇଁ ଏହି ଲକ୍ଷ୍ୟ ସେତେଟା କଷ୍ଟକର ହେବ ନାହିଁ ବୋଲି ଆଶା କରାଯାଉଥିଲା। ତେବେ ଦଳ ମାତ୍ର ୧ ରନ୍‌ରେ ପାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ (୦) ଏବଂ ୨୬ ରନ୍‌ରେ ତୃତୀୟ ସ୍ଥାନରେ ଖେଳିଥିବା ଡେୱିଡ୍ ମଲାନ (୭)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଅନ୍ୟତମ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଟମ୍ ବଣ୍ଟନ (୪୬) ଭଲ ବ୍ୟାଟିଂ କରୁଥିଲେ। ହେଲେ ଠିକଣା ସମୟରେ ନିଜ ୱିକେଟ୍ ଫିଙ୍ଗିଦେବା ସହ ଅଧିନାୟକ ଇଏନ ମୋର୍ଗାନ (୧୦)ଙ୍କୁ ରନ୍ ଆଉଟ୍ କରିବାର ଅକ୍ଷମଣୀୟ ଭୁଲ କରିଥିଲେ। ଅବଶ୍ୟ ଅଲରାଉଣ୍ଡର ମୋଇନ ଅଲ୍ଲୀ (୬୧) ଲଢ଼ୁଆ ହେଲେ ସାହସିକ ଅର୍ଧଶତକ ଅର୍ଜନ କରି ଦଳ ପାଇଁ ଆଶା ସଂଚାର କରିଥିଲେ। ତେବେ ପାକିସ୍ତାନର ଅଭିଜ୍ଞ ବୋଲର ୱାହାବ ରିଆଜ ତାଙ୍କୁ କଟ୍ ଆଣ୍ଡ ବୋଲ୍ଡ କରି ନିଜ ଦଳ ପାଇଁ ବିଜୟ ସୁଯୋଗ ସୃଷ୍ଟି କରିଥିଲେ। ଶେଷ ଦୁଇ ବଲ୍‌ରେ ବିଜୟ ପାଇଁ ୧୨ ରନ୍‌ ଦରକାର ଥିଲା ବେଳେ ଟମ୍ କରନ ପ୍ରଥମକୁ ଛକା ମାରିଥିଲେ। ତେବେ ଦ୍ବିତୀୟକୁ ମିସ୍ କରିବା ପରେ ଇଂଲଣ୍ଡ ୫ ରନ୍‌ରେ ପରାଜିତ ହୋଇଥିଲା। ମହମ୍ମଦ ହାଫିଜ ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୨୦ ଓଭରରେ ୧୯୦/୪ (ମହମ୍ମଦ ହାଫିଜ୍ ୮୬*, ହାଇଦର ଅଲ୍ଲୀ ୫୪, କ୍ରିସ୍ ଜୋର୍ଡାନ ୨/୨୯, ଟମ୍ କରନ ୧/୩୨)। ଇଂଲଣ୍ଡ ୨୦ ଓଭରରେ ୧୮୫/୮ (ମୋଇନ ଅଲ୍ଲୀ ୬୧, ଟମ୍ ବଣ୍ଟନ୍ ୪୬, ୱାହାବ ରିଆଜ ୨/୨୬, ସାହିନ ସାହ ଆଫ୍ରିଦି ୨/୨୮)।

ପଦାର୍ପଣରେ ହାଇଦରଙ୍କ କୀର୍ତ୍ତିମାନ
ଇଂଲଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ରେ ପଦାର୍ପଣ କରିଥିବା ପାକିସ୍ତାନ ଯୁବ ବ୍ୟାଟ୍ସମ୍ୟାନ୍ ହାଇଦର ଅଲ୍ଲୀ ନିଜ ପ୍ରଥମ ମ୍ୟାଚ୍‌ରେ ହିଁ ନୂଆ କୀର୍ତ୍ତିମାନ କରିଛନ୍ତି। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପଦାର୍ପଣରେ ପାକିସ୍ତାନ ପକ୍ଷରୁ ସେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିଛନ୍ତି। ୧୯ ବର୍ଷୀୟ ହାଇଦର ଏହି ମ୍ୟାଚ୍‌ରେ ୫୪ ରନ୍ କରି ପ୍ରଥମ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଭାବେ ଟ୍ବେଣ୍ଟି-୨୦ ପଦାର୍ପଣରେ ଅର୍ଧଶତକ ମଧ୍ୟ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ଟ୍ବେଣ୍ଟି-୨୦ ପଦାର୍ପଣରେ ପାକିସ୍ତାନ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ରନ୍ କରିବାର କୀର୍ତ୍ତିମାନ ଉମର ଅମିନଙ୍କ ନାଁରେ ଥିଲା। ଅମିନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିବା ନିଜ ପ୍ରଥମ ଟ୍ବେଣ୍ଟି-୨୦ରେ ୪୭ ରନ୍ କରିଥିଲେ। ହାଇଦର ନିଜ ୩୩ ବଲ୍ ପାଳିରେ ୫ ଚୌକା ଓ ୨ ଛକା ମାରିଥିଲେ। ଅଭିଜ୍ଞ ମହମ୍ମଦ ହାଫିଜଙ୍କ ସହ ୧୦୦ ରନ୍‌ର ଭାଗୀଦାରି କରି ପାକିସ୍ତାନ ବିଜୟରେ ହାଇଦର ପ୍ରମୁଖ ଭୁମିକା ତୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe