ଇଂଲଣ୍ଡର ଏକତରଫା ବିଜୟ

ଇଂଲଣ୍ଡର ଏକତରଫା ବିଜୟ

କୋଲକାତା: କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ପଡ଼ିଆରେ ରବିବାର ସଂଧ୍ୟାରେ ଖେଳା ଯାଇଥିବା ଇଂଲଣ୍ଡ-ଚିଲି ଗ୍ରୁପ୍‌ -ଏଫ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଏକତରଫା ବିଜୟ ହାସଲ କରିଥିଲା। ଜାଦନ ସାଞ୍ଚୋ ଦୁଇଟି ଗୋଲ୍‌ ଦେଇ ଏହି ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଇଂଲଣ୍ଡର କଳା କୌଶଳ ଆଗରେ ସଂପୂର୍ଣ୍ଣ ହାର ମାନିଥିବା ଚିଲି ମ୍ୟାଚ୍‌ର ପଞ୍ଚମ ମିନିଟରେ ପ୍ରଥମ ଗୋଲ୍‌ ବରଣ କରିଥିଲା। ଇଂଲଣ୍ଡର ଅଗ୍ରଭାଗ ଖେଳାଳି କାଲମ ହଡସନ୍‌ ଏହି ଗୋଲ୍‌ଟି ଦେଇଥିଲେ। ପ୍ରଥମାର୍ଧର ବଳକା ସମୟରେ ଅବଶ୍ୟ ଚିଲିର ରକ୍ଷଣଭାଗ ଖେଳାଳିମାନେ ଇଂଲଣ୍ଡ ଆକ୍ରମଣକୁ ପ୍ରତିହତ କରିଥିଲେ। ହେଲେ ମଧ୍ୟାନ୍ତରରେ ଗୁରୁମନ୍ତ୍ର ନେଇ ନୂଆ ଉତ୍ସାହର ସହ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦ୍ୱିତୀୟାର୍ଧରେ ଲଗାତାର ତିନିଟି ଗୋଲ୍‌ ଦେଇ ୪-୦ ଗୋଲ୍‌ରେ ବିଜୟ ହାସଲ କରିଥିଲା। ସାଞ୍ଚୋ (୫୧, ୬୦) ୯ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେବା ପରେ ଶେଷ ଗୋଲ୍‌ଟିକୁ ବଦଳ ଖେଳାଳି ଆଞ୍ଜେଲୋ ଗୋମ୍ସ ଦେଇଥିଲେ।

ଆଜି ଭାରତର କଲମ୍ବିଆ ପରୀକ୍ଷା
ପଦାର୍ପଣ ଫିଫା ବିଶ୍ୱକପ୍‌ରେ ଭାରତ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲା। ଆୟୋଜକ ଦେଶ ଭାବେ ଚଳିତ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରିଥିବା ଭାରତ ଭଲ ପ୍ରର୍ଦଶନ ସତ୍ତ୍ୱେ ଅଭିଜ୍ଞ ଆମେରିକାଠୁ ୦-୩ ଗୋଲ୍‌ରେ ହାରି ଯାଇଥିଲା। ସୋମବାର ଭାରତ ପୁଣି ଥରେ ନିଜ ଗ୍ରୁପ୍‌ର ଆଉ ଏକ ଶକ୍ତିଶାଳୀ ଦଳ କଲମ୍ବିଆ ବିପକ୍ଷରେ ପରୀକ୍ଷାର ସମ୍ମୁଖୀନ ହେବ। ଅବଶ୍ୟ କଲମ୍ବିଆ ବି ପରାଜୟରୁ ତା’ର ଅଭିଯାନ ଆରମ୍ଭ କରିଛି।

ଏହି ଦେଶକୁ ପ୍ରଥମ ମୁକାବିଲାରେ ଘାନା ୧-୦ ଗୋଲ୍‌ରେ ପରାସ୍ତ କରିଛି। ନୂଆଦିଲ୍ଲୀର ଜବାହରଲାଲ୍‌ ନେହରୁ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ପୂର୍ବ ପରାଜୟକୁ ଭୁଲି ଖେଳିବ ବୋଲି ପ୍ରଶିକ୍ଷକ ଲୁଇସ୍‌ ଦର୍ଟନ୍‌ ଡି’ମାତୋସ ଆଶା ରଖିଛନ୍ତି। ସେ କହିଛନ୍ତି, ଆମେ ଉନ୍ନତ ପ୍ରଦର୍ଶନ କରିଥିଲୁ। ହେଲେ ଆମେରିକା ପିଲା ଆହୁରି ଭଲ ଖେଳି ଆମ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। କଲମ୍ବିଆ ଆମକୁ ମାତ୍‌ ଦେବାକୁ ପ୍ରସ୍ତୁତ ହେଉଥିଲା ବେଳେ ଆମେ ମଧ୍ୟ ସେମାନଙ୍କ ସହ ଲଢ଼ିବାକୁ ପୂରା ପ୍ରସ୍ତୁତ। କଲମ୍ବିଆ ଗତ ୫ ବିଶ୍ୱକପ୍‌ରେ ଦୁଇ ଥର ତୃତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ଭାରତ ପ୍ରଥମ ଥର ଲାଗି ବିଶ୍ୱକପ୍‌ ଖେଳୁଛି। ଭାରତୀୟ ଦଳ: ଅମାରଜିତ ସିଂହ କିୟାମ (ଅଧିନାୟକ), ଧୀରଜ ସିଂହ, ପ୍ରଭସୁଖାନ ଗିଲ, ସନ୍ନି ଧଲିଓ୍ଵାଲ, ଜିତେନ୍ଦ୍ର ସିଂହ, ଅନଓ୍ଵାର ଅଲ୍ଲୀ, ସଞ୍ଜୀବ ଷ୍ଟାଲିନ, ହେଣ୍ଡି ଆଣ୍ଟୋନି, ନମିତ ଦେଶପାଣ୍ଡେ, ସୁରେଶ ସିଂହ, ନିନଥୋଇଙ୍ଗାବା ମୀତେଇ, ଅଭିଜିତ ସରକାର, କୋମଲ ଥାତାଲ, ଲାଲେଙ୍ଗମାଓ୍ଵି, ଜ୍ୟାକ୍‌ସନ ସିଂହ, ନୋଙ୍ଗଦାମ୍ବା ନାଓରିମ, ରାହୁଲ କାନୋଲି ପ୍ରବୀଣ, ମହମ୍ମଦ ସାହାଜାନ, ରହିମ ଅଲ୍ଲୀ, ଅଙ୍କିତ ଯାଦବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe