ରଣଜୀ ପଡ଼ିଆ ଅନୁପ୍ରବେଶ ପ୍ରସଙ୍ଗ:ବିସିସିଆଇ ସମିତିକୁ ଭାଙ୍ଗିଲା ସିଓଏ

Advertisment
ରଣଜୀ ପଡ଼ିଆ ଅନୁପ୍ରବେଶ ପ୍ରସଙ୍ଗ:ବିସିସିଆଇ ସମିତିକୁ ଭାଙ୍ଗିଲା ସିଓଏ

ନୂଆଦିଲ୍ଲୀ: ଗତ ସପ୍ତାହରେ ନୂଆଦିଲ୍ଲୀର ପାଲାମ ପଡ଼ିଆରେ ଅନୁଷ୍ଠିତ ଦିଲ୍ଲୀ-ଉତ୍ତରପ୍ରଦେଶ ରଣଜୀ ମ୍ୟାଚ୍‌ ବେଳେ ଜଣେ ବ୍ୟକ୍ତି ନିଜ ଓ୍ଵାଗନର୍‌ କାରକୁ ପଡ଼ିଆ ଭିତରକୁ ନେଇ ପଶିଯାଇଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଖେଳାଳି ଓ ଅମ୍ପାୟାରଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ପ୍ରଶ୍ନ ଉଠିଥିବାରୁ ବିସିସିଆଇ ଏହାର ତଦନ୍ତ ପାଇଁ ସମିତି ଗଠନ କରିଥିଲା। କିନ୍ତୁ ଗଠନର ମାତ୍ର କେଇ ଘଣ୍ଟା ଭିତରେ ବିସିସିଆଇ ଦାୟିତ୍ୱରେ ଥିବା ପ୍ରଶାସନିକ ସମିତି (ସିଓଏ) ଏହି ସମିତିକୁ ଅକାମି କରିଦେଇଛି। ଏଭଳି ଏକ ତଦନ୍ତ ଅନାବଶ୍ୟକ ବୋଲି ସିଓଏ ଅନୁଭବ କରିଛି। ତଦନ୍ତ ସମିତି ଗଠନ ପୂର୍ବରୁ ବିସିସିଆଇ କଡ଼ା ଭାଷାରେ ପଡ଼ିଆ ଦାୟିତ୍ୱରେ ଥିବା ସର୍ସିସେସ୍‌ ସ୍ପୋର୍ଟସ କଣ୍ଟ୍ରୋଲ୍‌ ବୋର୍ଡ (ଏସ୍‌ଏସ୍‌ସିବି)କୁ ଚିଠି ମଧ୍ୟ ଲେଖିଥିଲା। ବିସିସିଆଇର କାମଚଳା ସଭାପତି ସିକେ ଖାନ୍ନାଙ୍କ ଦ୍ୱାରା ଗଠିତ ଏହି ସମିତିରେ କାମଚଳା

କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀ, ଜୟ ସାହା (ଗୁଜରାଟ) ଏବଂ ଅଭିଷେକ ଡାଲ୍‌ମିଆ (ବେଙ୍ଗଲ୍‌)ଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ବିସିସିଆଇ ମଙ୍ଗଳବାର ପୂର୍ବାହ୍‌ଣରେ ଏହି ନିଷ୍ପତ୍ତି ନେବାର ମାତ୍ର କିଛି ଘଣ୍ଟା ଭିତରେ ସିଓଏ ଏହାକୁ ଭାଙ୍ଗି ଦେଇଥିଲା। ‘ପାଲାମ ପଡ଼ିଆ ହେଉଛି ବାୟୁସେନାର। ଏହାର ସୁରକ୍ଷା ସେମାନଙ୍କ ଦାୟିତ୍ୱ। ଏହା ପରିସରରେ ବିସିସିଆଇ ସମିତିର କୌଣସି ଅଧିକାରୀ ପ୍ରବେଶ କରି ତଦନ୍ତ କରିବା ଗ୍ରହଣୀୟ ନୁହେଁ। ସେ ଦୃଷ୍ଟିରୁ ଘଟଣାର ତଦନ୍ତ କରିବା ଅନାବଶ୍ୟକ। ତେଣୁ ସମିତିକୁ ଭାଙ୍ଗିଦିଆଗଲା ବୋଲି କହିଥିଲେ ସିଓଏ ମୁଖ୍ୟ ବିନୋଦ ରାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe