ଗ୍ଲାସ୍ଗୋ : ଚଳିତ ୟୁରୋ ୨୦୨୦ର ସ୍ଥାନୀୟ ହାମ୍ପଡେନ୍ ପାର୍କରେ ଖେଳାଯାଇଥିବା ଶୁକ୍ରବାରର ଦ୍ବିତୀୟ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଦ୍ବିତୀୟ ବିଜୟକୁ ରୋକିଦେଇଛି କ୍ରୋଏସିଆ। ଏହି ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲେ। ପ୍ରଥମାର୍ଦ୍ଧରେ ଚେକ୍ ଗଣରାଜ୍ୟକୁ ମିଳିଥିବା ପେନାଲ୍ଟିକୁ ପ୍ରତୀକ ଶ୍ଚିକ (୩୭ ମିନିଟ୍) ଗୋଲ୍ରେ ପରିଣତ କରି ଦଳକୁ ଅଗ୍ରଣୀ ଦେଇଥିଲେ। ହେଲେ ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଏହି ଗୋଲ୍ଟି ଇଭାନି ପେରିସିକ (୪୭ ମିନିଟ୍) ଶୁଝି କ୍ରୋଏସିଆ ସ୍ଥିତି ବରାବର କରି ଦେଇଥିଲେ। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟିଥିଲେ। ପ୍ରଥମ ମ୍ୟାଚ୍ରେ ୦-୧ ଗୋଲ୍ରେ ଇଂଲଣ୍ଡଠୁ ହାରିଥିବା କ୍ରୋଏସିଆ ଏହି ଅମୀମାଂସିତ ମ୍ୟାଚ୍ରୁ ଏକ ପଏଣ୍ଟ୍ ପାଇ ଖାତା ଖୋଲିଥିଲା ବେଳେ ସୋମବାର ନିଜର ପ୍ରଥମ ମ୍ୟାଚ୍ରେ ସ୍କଟ୍ଲାଣ୍ଡକୁ ୨-୦ ଗୋଲ୍ରେ ହରାଇଥିବା ଚେକ୍ ଗଣରାଜ୍ୟ ମୋଟ ୪ ପଏଣ୍ଟ୍ ସହ ଗ୍ରୁପ୍-ଡି’ର ଶୀର୍ଷକୁ ଉଠିଛି।
ସ୍ବିଡେନ୍ର ପ୍ରଥମ ବିଜୟ
ସେଣ୍ଟ୍ ପିଟର୍ସବର୍ଗ, ୧୮ା୬: ଚଳିତ ୟୁରୋ ୨୦୨୦ରେ ସ୍ବିଡେନ୍ ପ୍ରଥମ ବିଜୟ ପାଇଛି। ସ୍ପେନ୍ ବିପକ୍ଷ ନିଜର ପ୍ରଥମ ମ୍ୟାଚ୍କୁ ଅମୀମାଂସିତ ରଖିଥିବା ସ୍ବିଡେନ୍ ଶୁକ୍ରବାର ୧-୦ ଗୋଲ୍ରେ ସ୍ଲୋଭାକିଆକୁ ପରାସ୍ତ କରିଛି। ଫଳରେ ୨ ମ୍ୟାଚ୍ରୁ ସ୍ବିଡେନ୍ ୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍ରେ ପୋଲାଣ୍ଡକୁ ୨-୧ ଗୋଲ୍ରେ ହରାଇଥିବା ସ୍ଲୋଭାକିଆ ପ୍ରଥମ ପରାଜୟ ବରଣ କରି ୩ ପଏଣ୍ଟ ସହ ଗ୍ରୁପ୍-ଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି।
ଶୁକ୍ରବାର ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଥିଲା। ହେଲେ ୭୭ ମିିନିଟ୍ରେ ସ୍ବିଡେନ୍କୁ ମିଳିଥିବା ପେନାଲ୍ଟିକୁ ଏମିଲ ଫୋର୍ସବର୍ଗ ଗୋଲ୍ରେ ପରିଣତ କରି ସ୍ବିଡେନ୍କୁ ବହୁମୂଲ୍ୟ ବିଜୟ ଭେଟି ଦେଇଥିଲେ। ସ୍ବିଡେନ୍ ନିଜର ଶେଷ ଗ୍ରୁପ୍ ମ୍ୟାଚ୍ରେ ବୁଧବାର ପୋଲାଣ୍ଡକୁ ଏବଂ ସ୍ଲୋଭାକିଆ ସେହିଦିନ ସ୍ପେନ୍କୁ ଭେଟିବ।
Follow Us