ଶନିବାରଠୁ ୟୁରୋ ୨୦୨୦ ଆରମ୍ଭ: ଇଟାଲି-ତୁର୍କି ଉଦ୍‌ଘାଟନୀ ମୁକାବିଲା

Advertisment
ଶନିବାରଠୁ ୟୁରୋ ୨୦୨୦ ଆରମ୍ଭ: ଇଟାଲି-ତୁର୍କି ଉଦ୍‌ଘାଟନୀ ମୁକାବିଲା

ରୋମ୍‌ : ସାରା ୟୁରୋପର ୧୧ ସହରରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମର୍ଯ୍ୟାଦାଜନକ ଫୁଟ୍‌ବଲ୍‌ ପ୍ରତିଯୋଗିତା ୟୁରୋ-୨୦୨୦। କରୋନା ମହାମାରୀ ଯୋଗୁଁ ଗତବର୍ଷ ସ୍ଥଗିତ ରହିଥିବା ଏହି ପ୍ରତିଯୋଗିତା ଚଳିତ ବର୍ଷ ଆୟୋଜିତ ହେଉଛି। ୧୨ ତାରିଖରୁ ଶ୍ରେଷ୍ଠ ୨୪ ଦଳକୁ ନେଇ ପ୍ରତିଯୋଗିତା ଚାଲିବ। ଜୁଲାଇ ୨୭ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ରୋମ୍‌ର ଷ୍ଟାଡିଓ ଅଲିମ୍ପିକୋ ଉଦ୍‌ଘାଟନୀ ମ୍ୟାଚ୍‌ ପାଇଁ ପୂରା ପ୍ରସ୍ତୁତ ହୋଇଯାଇଛି। ଘରୋଇ ଇଟାଲି ସହ ଉଦ୍‌ଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବ ତୁର୍କି। ଗ୍ରୁପ୍‌-ଏ’ର ଏହି ମ୍ୟାଚ୍‌ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି। ତେବେ ସମସ୍ତ ପ୍ରତିଯୋଗିତାରେ ପୂର୍ବ ୧୦ ମୁକାବିଲାରେ ଇଟାଲି କେବେ ବି ତୁର୍କି ନିକଟରୁ ହାରିନଥିବାରୁ ଫାଇଦାରେ ରହିବ। ତୁର୍କି ବିପକ୍ଷ ଶେଷ ୧୦ ମୁକାବିଲାରେ ଇଟାଲି ୭ ବିଜୟ ପାଇଥିଲା ବେଳେ ୩ ଅମୀମାଂସିତ ରଖିଥିଲା। ସେହି ଦୃଷ୍ଟିରୁ ଉଦ୍‌ଘାଟନୀ ମୁକାବିଲା ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଛି ଇଟାଲି। ଅବଶ୍ୟ ୪ ଥର ଏହି ବିଶ୍ବ ବିଜେତା ଦଳ ୨୦୧୮ ବିଶ୍ବକପ୍‌କୁ ଯୋଗ୍ୟତା ହାସଲ କରିପାରିନଥିଲା। ହେଲେ ପ୍ରବନ୍ଧକ ରବର୍ଟୋ ମାନସିନି ଏହା ପରଠୁ ଦଳକୁ ଶକ୍ତିଶାଳୀ କରାଇପାରିଛନ୍ତି। ଏପରିକି ଏହି ଆଜୁରି ଦଳ ୨୦୧୮ ସେପ୍ଟେମ୍ବର ପରଠାରୁ ୨୭ ମ୍ୟାଚ୍‌ରେ ଅପରାଜେୟ ରହିଛି। ପୁଣି ନିଜର ଶେଷ ଅଭ୍ୟାସ ମ୍ୟାଚ୍‌ରେ ଚେକ୍‌ ଗଣରାଜ୍ୟକୁ ୪-୦ ଗୋଲ୍‌ରେ ହରାଇ ଦଳ ଉନ୍ନତି ପଥରେ ରହିଛି। ଚଳିତ ୟୁରୋରେ ଇଟାଲି ଦଳ ୩ଟି ଘରୋଇ ମ୍ୟାଚ୍‌ ପାଇବ। ପାଖାପାଖି ୧୬,୦୦୦ ଦର୍ଶକଙ୍କ ସମ୍ମୁଖରେ ଖେଳିବା ଇଟାଲି ପାଇଁ ଶକ୍ତିବର୍ଦ୍ଧକ ହେବ। ପୁଣି ଏବର ଇଟାଲି ଦଳ ୨୦୧୬ ଦଳଠୁ ଅଧିକ ସାମର୍ଥ୍ୟ ରଖୁଛି ବୋଲି କହିଛନ୍ତି ଡିଫେଣ୍ଡର ଆଲେଜାନ୍ଦ୍ରୋ ଫ୍ଲୋରେଞ୍ଜି।

ଅନ୍ୟପକ୍ଷରେ ତୁର୍କି ଦଳ ୟୁରୋ ଯୋଗ୍ୟତାପର୍ଯ୍ୟାୟର ଦୁଇଟି ମ୍ୟାଚ୍‌ରେ ବିଶ୍ବ ବିଜେତା ଫ୍ରାନ୍‌ସ ବିପକ୍ଷରେ ୪ ପଏଣ୍ଟ କରାୟତ୍ତ କରି ମନୋବଳ ଦୃଢ଼ କରିଛି। ଏହା ପୂର୍ବରୁ ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟରେ ନେଦରଲାଣ୍ଡ୍‌କୁ ୪-୨ରେ ପରାସ୍ତ କରିଥିଲା ବେଳେ ଜର୍ମାନି ଓ କ୍ରୋଏସିଆ ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌କୁ ୩-୩ରେ ଅମୀମାଂସିତ ରଖିଥିଲା। ଚଳିତ ୟୁରୋ ପ୍ରତିଯୋଗିତାରେ ତୁର୍କିର ବଡ଼ ଶକ୍ତି ଏହାର ରକ୍ଷଣଭାଗ ରହିବ। ପ୍ରବନ୍ଧକ ସେନୋଲ ଗୁନେସ୍‌ ତୁର୍କି ଦଳକୁ ୨୦୦୨ ବିଶ୍ବକପ୍‌ରେ ତୃତୀୟ ସ୍ଥାନରେ ରହିବାରେ ଅବଦାନ ରଖିଥିଲେ। ଇଟାଲି ବିପକ୍ଷରେ ଶେଷ ୧୦ ମୁକାବିଲାରେ ବିଜୟ ପାଇନଥିଲେ ମଧ୍ୟ ଏଥର ନୂଆ ଅଧ୍ୟାୟ ସୃଷ୍ଟି କରିବା‌ ଲକ୍ଷ୍ୟରେ ରହିଛି।

୧୨ ତାରିଖ ଉଦ୍‌ଘାଟନୀ ଦିବସରେ ତୁର୍କି-ଇଟାଲି ମୁକାବିଲା ବ୍ୟତୀତ ଆଉ ଦୁଇଟି ମ୍ୟାଚ୍‌ ମଧ୍ୟ ଖେଳାଯିବ। ୱେଲ୍‌ସ-ସ୍ବିଜରଲାଣ୍ଡ୍‌ ଏବଂ ଡେନ୍‌ମାର୍କ-ଫିନ୍‌ଲାଣ୍ଡ୍‌ ପରପର ମ୍ୟାଚ୍‌ରେ ମୁହାଁମୁହିଁ ହେବେ।

ପ୍ରଥମ ୟୁରୋ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରିଆ

publive-imageଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ୟୁରୋ-୨୦୨୦ର ଦ୍ବିତୀୟ ଦିବସରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରିଆ। ଏହା ସମ୍ମୁଖରେ ଦୁର୍ବଳ ନର୍ଥମାସେଡୋନିଆ ଦଳ ରହିଥିବା ସତ୍ତ୍ବେ ଅଷ୍ଟ୍ରିଆ ଚାପରେ ରହିଛି। ୟୁରୋପିଆନ୍‌ ଚାମ୍ପିଅନ୍‌ସିପ୍‌ରେ ଏହି ଦଳ ନିଜର ପ୍ରଥମ ବିଜୟ ଆଶାରେ ଥିବାରୁ ଚାପରେ ରହିବା ମଧ୍ୟ ସ୍ବାଭାବିକ। ଗ୍ରୁପ୍‌-ସି’ରେ ପ୍ରଥମ ମ୍ୟାଚ୍‌ରେ ଅବଶ୍ୟ ଅଷ୍ଟ୍ରିଆ ପସନ୍ଦର ଦଳ ରହିଛି। ହେଲେ ଏହି ପ୍ରତିଯୋଗିତାରେ ୨୦୦୮ (ସହଆୟୋଜକ ଭାବେ)ରେ ଏବଂ ୨୦୧୬ ଫ୍ରାନ୍‌ସରେ ୬ ମ୍ୟାଚ୍‌ ଖେଳିସାରିଥିଲେ ବି ବିଜୟ ପାଇନାହିଁ। ଦୁଇଟି ମ୍ୟାଚ୍‌ ଅମୀମାଂସିତ ରଖିଥିଲା ବେଳେ ୪ଟିରେ ପରାଜିତ ହୋଇଛି। ଏହି ଗ୍ରୁପ୍‌ରେ ଅନ୍ୟ ଦୁଇ ଦଳ ଭାବେ ୟୁକ୍ରେନ୍‌ ଓ ନେଦରଲାଣ୍ଡ୍‌ ରହିଛନ୍ତି। ଶ୍ରେଷ୍ଠ ଦୁଇ ଦଳ ହିଁ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାରୁ ଅଷ୍ଟ୍ରିଆ ଚାପର ବଶବର୍ତୀ ହୋଇଛି। ତଥାପି ଆମ ଦଳରେ କ୍ବାଲିଟି ଖେଳାଳି ଅଛନ୍ତି। ଯେଉଁମାନେ କି ବୁନ୍ଦେସଲିଗା ଉପବି‌ଜେତା ଆର୍‌ବି ଲିପ୍‌ଜିଗ୍‌ ପକ୍ଷରୁ ‌ଖେଳିଥିଲେ। ତେଣୁ ଗ୍ରୁପ୍‌ରେ ଆମେ ଦାବିଦାର ରହିପାରିବୁ ବୋଲି କହିଛନ୍ତି ଅଷ୍ଟ୍ରିଆ ମିଡ୍‌ଫିଲ୍‌ଡର କୋନ୍‌ରାଡ ଲାଇମର।

ରିଅଲ୍‌ ମାଦ୍ରିଦ୍‌ର ଡେଭିଡ୍‌ ଆଲାବାଙ୍କ ନେତୃତ୍ବରେ ଅଷ୍ଟ୍ରିଆ ଦଳ ତା’ର ଶେଷ ୬ ମ୍ୟାଚ୍‌ରୁ ଗୋଟିଏ ବିଜୟ ପାଇଛି। କେବଳ ସେତିକି ନୁହେଁ ଦଳ ମଧ୍ୟ ୩୦୦ ମିନିଟ୍‌ ପର୍ଯ୍ୟନ୍ତ ଗୋଲ୍‌ ଶୂନ୍ୟ ରହିଆସିଛି। ତେବେ ମାର୍ଚ୍ଚରେ ଫାରୋଇ ଆଇଲାଣ୍ଡ୍‌ ବିପକ୍ଷରେ ୩-୧ର ବିଜୟ ହିଁ ଦଳ ପାଇଁ ସାନ୍ତ୍ବନା ରହିଛି। କିନ୍ତୁ ୟୁରୋ ଯୋଗ୍ୟତାପର୍ଯ୍ୟାୟରେ ଏହି ଦଳ ପ୍ରତିଦ୍ବନ୍ଦ୍ବୀ ନର୍ଥମାସେଡୋନିଆକୁ ଦୁଇ ଥର (୪-୧ ଓ ୨-୧) ପରାସ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe