ଶେଷରେ ଚାନୁଙ୍କୁ ପିଜ୍ଜା ଖାଇବାକୁ ମିଳିଲା

Advertisment
ଶେଷରେ ଚାନୁଙ୍କୁ ପିଜ୍ଜା ଖାଇବାକୁ ମିଳିଲା

ଇମ୍ଫାଲ: ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ୪୯ କିଲୋଗ୍ରାମରେ ରୌପ୍ୟ ପଦକ ଜିତି ସମଗ୍ର ଦେଶକୁ ଗର୍ବିତ କରିଥିବା ମଣିପୁରର ୨୬ ବର୍ଷୀୟା ଭାରୋତ୍ତୋଳନ ତାରକା ମୀରାବାଇ ଚାନୁଙ୍କ ଇଚ୍ଛା ଶେଷରେ ପୂରଣ ହୋଇଛି। ଅଲିମ୍ପିକ୍ସ ପାଇଁ ଗତ କିଛି ମାସ ହେବ କଠିନ ଖାଦ୍ୟ ସାରଣୀ ଅନୁସରଣ କରୁଥିବା ଚାନୁ ପଦକ ଜିତିବା ପରେ ପରେ ଦେଇଥିବା ପ୍ରଥମ ସାକ୍ଷାତକାରରେ ପିଜ୍ଜା ଖାଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ସ୍ବଦେଶ ଫେରିବା ପରେ ମଙ୍ଗଳବାର ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବାକୁ ଆୟୋଜିତ ହୋଇଥିବା‌ ଏକ ସ୍ବତନ୍ତ୍ର ଉତ୍ସବରେ ଖାସ୍ ଚାନୁଙ୍କ ପାଇଁ ସୁସ୍ବାଦୁ ପିଜ୍ଜାର ବ୍ୟବସ୍ଥା କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ସହ ଚାନୁ ମହାଆନନ୍ଦରେ ନିଜ ପସନ୍ଦର ପିଜ୍ଜା ଖାଉଥିବା ଦେଖିବାକୁ ମିଳିଥିଲା। ଚାନୁ ପିଜ୍ଜା ଖାଉଥିବାର ଏକ ଫଟୋକୁ ରିଜିଜୁ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରି ‌ଲେଖିଥିଲେ ଯେ ‘‘ଶେଷରେ ଚାନୁ ପିଜ୍ଜା ଖାଇବାକୁ ପାଇଲେ’’। ଏହି ଫଟୋକୁ ନିଜେ ଚାନୁ ମଧ୍ୟ ରିଟ୍ବିଟ୍ କରିଥିଲେ।

ସୂଚନାଯୋଗ୍ୟ ଯେ ପିଜ୍ଜା ଖାଇବାକୁ ବହୁତ ଭଲ ପାଉଥିବା ଚାନୁ ଅଲିମ୍ପିକ୍ସ ପାଇଁ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ଲାଗି ଏହାକୁ ଖାଇବା ଛାଡ଼ି ଦେଇଥିଲେ। ଏପିରିକି ଶରୀର ଓଜନ ୪୯ କିଲୋଗ୍ରାମ ଭିତରେ ସୀମିତ ରଖିବା ଲାଗି ପ୍ରତିଦ୍ବନ୍ଦ୍ବିତା‌ର ଦୁଇଦିନ ପୂର୍ବରୁ ସେ କିଛି ଖାଇ ନଥିଲେ ବୋଲି ଏକ ସାକ୍ଷାତକାର ଅବସରରେ କହିଥିଲେ। ‘‘ଏସବୁ ବହୁତ କଷ୍ଟକର। ମୋତେ ସବୁବେଳେ ନିର୍ଦ୍ଧାରିତ ଓଜନ ଭିତରେ ରହିବାକୁ ହୋଇଥାଏ। ଶରୀର ଓଜନ ନିୟନ୍ତ୍ରଣରେ ରଖିବାକୁ ଡାଏଟ୍ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପଡ଼ିଥାଏ। ସେଥିପାଇଁ ମୁଁ ଫାଷ୍ଟ ଫୁଡ୍ ଖାଇବା ଛାଡ଼ି ଦେଇଥିଲି। କେବଳ ମାଂସ ଓ ମଟର ଖା‌ଉଥିଲି’’ ବୋଲି ଏହି ଅବସରରେ ମତ ରଖିଥିଲେ ଚାନୁ। ଏହା ପୂର୍ବରୁ ଦୀର୍ଘ ୨୧ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସର ମହିଳା ଭାରୋତ୍ତୋଳନରେ ଭାରତକୁ ପଦକ ଉପହାର ଦେଇଥିବା ଚାନୁଙ୍କୁ ଆଜୀବନ ମାଗଣାରେ ପିଜ୍ଜା ଯୋଗାଇ ଦେବ ବୋଲି ଡୋମିନୋଜ୍ କଂପାନି ଘୋଷଣା କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe