ଏଭେରେଷ୍ଟ୍‌ ବିଜେତା ହେମନ୍ତ ଦେଲେ ପ୍ରେରଣାଦାୟୀ ବକ୍ତୃତା

Advertisment
ଏଭେରେଷ୍ଟ୍‌ ବିଜେତା ହେମନ୍ତ ଦେଲେ ପ୍ରେରଣାଦାୟୀ ବକ୍ତୃତା

ଭୁବନେଶ୍ୱର: ଅନେକ ପ୍ରତିକୂଳ ପରିସ୍ଥିତିରେ ଏଭେରେଷ୍ଟ୍‌ ବିଜେତା ହେମନ୍ତ ଗୁପ୍ତା ରାଜଧାନୀର ବିଭିନ୍ନ ବିଦ୍ୟାଳୟରେ ପ୍ରେରଣାଦାୟୀ ବକ୍ତୃତା ପ୍ରଦାନ କରିଛନ୍ତି। ଟାଟା ଷ୍ଟିଲ୍‌ ଅଧିକାରୀ ହେମନ୍ତ ‘ଶୀର୍ଷତାର ସୀମା’ ଉପରେ ଭୁବନେଶ୍ୱରର ୫ଟି ବିଦ୍ୟାଳୟ-କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ, କିସ୍‌ ବିଦ୍ୟାଳୟ, ଭିଏସ୍‌ଏସ୍‌ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ, ବରମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନିଜ ଅଭିଜ୍ଞତା ବଖାଣି ଶିଶୁ ପ୍ରତିଭାଙ୍କୁ ଉତ୍ସାହିତ କରିଛନ୍ତି।
ହେମନ୍ତ ଗୁପ୍ତା ବର୍ତ୍ତମାନ ଟାଟା ଷ୍ଟିଲ ଆଡ୍‌ଭେଞ୍ଚର ଫାଉଣ୍ଡେସନ୍‌ରେ ବରିଷ୍ଠ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଛନ୍ତି। ଆଇଆଇଟି ବମ୍ବେର ଏହି ଗ୍ରାଜୁଏଟ୍‌ ଟାଟା ଷ୍ଟିଲରେ କିଛି ବର୍ଷ କାର୍ଯ୍ୟ କରିବା ପରେ ପର୍ବତାରୋହଣ ପ୍ରତି ଆକର୍ଷିତ ହେବା ସହିତ କିମ୍ବଦନ୍ତୀ ମହିଳା ଏଭେରେଷ୍ଟ୍‍ ବିଜୟିନୀ ବଚ୍ଛେନ୍ଦ୍ରୀ ପାଲଙ୍କ ନିକଟରେ ପ୍ରଶିକ୍ଷଣ ନେବା ପରେ ଚଳିତ ବର୍ଷ ମେ ମାସରେ ଏଭେରେଷ୍ଟ ଶିଖରରେ ପହଞ୍ଚିବାରେ ସଫଳ ହୋଇଥିଲେ। ରାଜଧାନୀର ଏହି ୫ ବିଦ୍ୟାଳୟରେ ହେମନ୍ତଙ୍କ ଦୁଃସାହସିକ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଯାଇଥିଲା। ହେମନ୍ତଙ୍କୁ ଛାତ୍ରଛାତ୍ରୀଙ୍କ ତରଫରୁ ପଚରାଯାଉଥିବା ପ୍ରଶ୍ନରୁ ଏହି କାର୍ଯ୍ୟକ୍ରମକୁ ନେଇ ସେମାନଙ୍କ ମଧ୍ୟରେ ଥିବା କୌତୁହଳ ଜଣାପଡ଼ୁଥିଲା। ଯୁବ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଭିନ୍ନ ଅଭିଜ୍ଞତା ଥିଲା, କାରଣ ସେମାନେ କେବଳ ପୁସ୍ତକରେ ହିଁ ଏଭଳି ଯାତ୍ରା ସମ୍ପର୍କରେ ଅଧ୍ୟୟନ କରିଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଏଭେରେଷ୍ଟ ଯାତ୍ରା ସମ୍ପର୍କରେ ଜ୍ଞାନ ଆହରଣ କରିବା ବ୍ୟତୀତ ଦୈନନ୍ଦିନ ଜୀବନରେ ମଧ୍ୟ ବେଶ ସହାୟକ ହୋଇପାରିବ।

ସଫଳତା ପାଇଁ କଠିନ ପରିଶ୍ରମ ଜରୁରୀ ଓ ସଫଳତାର ଯାତ୍ରାରେ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ଛାତ୍ରଛାତ୍ରୀ ଜାଣିପାରିଥିଲେ। ଏଭେରେଷ୍ଟ୍‌ ଆରୋହଣ କରିବା ସମୟରେ ସେ କିପରି ସବୁ ଅସୁବିଧାକୁ ଅତିକ୍ରମ କରିଥିଲେ ଓ ସମସ୍ତଙ୍କ ଜୀବନରେ ପରୀକ୍ଷା, କ୍ରୀଡ଼ା, ପ୍ରତିଯୋଗିତା ଭଳି ନିଜେ ଗୋଟିଏ ଗୋଟିଏ ଏଭେରେଷ୍ଟ ଅତିକ୍ରମ କରିବା ଚ୍ୟାଲେଞ୍ଜ ରହିଛି ବୋଲି ହେମନ୍ତ କହିଥିଲେ। ସମସ୍ତଙ୍କୁ ଏଭେରେଷ୍ଟ୍‌ ଆରୋହଣ କରିବାର ଆବଶ୍ୟକତା ନାହିଁ, କିନ୍ତୁ ପ୍ରତ୍ୟେକଙ୍କୁ ଏବେ କିମ୍ବା ପରେ ଅସୁବିଧାର ମୁକାବିଲା କରିବାକୁ ପଡ଼ିବ।

ଏହି କାର୍ଯ୍ୟକ୍ରମରେ ସାହସିକତାର ସହ ଅସୁବିଧାର ମୁକାବିଲା ଉପରେ ସର୍ବାଧିକ ଗୁରୁତ୍ୱ ରହିଥିଲା। ଏହି କାର୍ଯ୍ୟକ୍ରମ ଏକ ସକରାତ୍ମକ ଭାବନା ଏବଂ ଟାଟା ଷ୍ଟିଲ ନିକଟ ଭବିଷ୍ୟତରେ ଭୁବନେଶ୍ୱର ଏବଂ ଓଡ଼ିଶାର ଯୁବ ଛାତ୍ରଛାତ୍ରୀଙ୍କ ପାଇଁ ଟାଟା ଷ୍ଟିଲ୍‌ ହାଫ୍‌ ମାରାଥନ୍‌ ଓ ଟାଟା ଷ୍ଟିଲ୍‌ ଲିଟେରାରୀ ମିଟ୍‌ ଭଳି ବହୁ କାର୍ଯ୍ୟକ୍ରମ ସହ ଫେରିବା ପ୍ରତିଶ୍ରୁତି ସହିତ ଶେଷ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe