ଗୋଆ: ଶନିବାର ରାତିରେ ଖେଳା ଯାଇଥିବା ଗ୍ରୁପ୍-ସି’ ମୁକାବିଲାରେ ଗିନିକୁ ହରାଇବାରେ ଏସୀୟ ଶକ୍ତି ଇରାନକୁ ବେଶି ପରିଶ୍ରମ କରିବାକୁ ପଡ଼ି ନଥିଲା। ପ୍ରଥମମାର୍ଧରେ ଇରାନର ଅଗ୍ରଭାଗ ଖେଳାଳିଙ୍କୁ କଷ୍ଟେମଷ୍ଟେ ଅଟକାଇ ପାରିଥିବା ଗିନି ଦ୍ୱିତୀୟାର୍ଧରେ ତିନିଟି ଗୋଲ୍ ବରଣ କରିଥିଲା। କେବଳ ଇଞ୍ଜୁରି ଟାଇମରେ ଏକମାତ୍ର ସାନ୍ତ୍ୱନାମୁଳକ ଗୋଲ୍ ଦେଇ ପରାଜୟ ବ୍ୟବଧାନକୁ ୩-୧କୁ କମାଇ ପାରିଥିଲା। ଅନ୍ୟ ପକ୍ଷରେ ଇରାନ ସହଜ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଥିଲା। ସ୍ଥାନୀୟ ପଣ୍ଡିତ ଜବାହର ଲାଲ ନେହରୁ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଏକତରଫା ମୁକାବିଲାରେ ଆଲ୍ଲାୟାର ସୟଦ ଇରାନ ପକ୍ଷରୁ ପ୍ରଥମ ଗୋଲ୍ ୫୯ ମିନିଟ୍ରେ ଦେଇଥିଲେ। ଏକ ସୁନ୍ଦର ଫିଲ୍ଡ ଗୋଲ୍ ଦେଇ ସେ ନିଜ ଦଳକୁ ଆଗୁଆ କରି ଦେଇଥିଲେ। ୧୧ ମିନିଟ୍ ପରେ ଅର୍ଥାତ୍ ୭୦ ମିନିଟ୍ରେ ମିଳିଥିବା ପେନାଲ୍ଟି ସୁଯୋଗକୁ ମହମ୍ମଦ ସରିଫି ସଫଳତାର ସହ ଗୋଲ୍ରେ ରୂପାନ୍ତର କରି ଇରାନକୁ ୨-୦ରେ ଆଗୁଆ କରି ନେଇଥିଲେ। ଶେଷ ମିନିଟରେ ସଇଦ କରିମି ଆଉ ଏକ ସୁନ୍ଦର ଫିଲ୍ଡ ଗୋଲ୍ ଦେଇ ସ୍ଥିତି ୩-୦ କରି ଦେଇଥିଲେ। ହେଲେ ଇଞ୍ଜୁରି ଟାଇମର ପ୍ରଥମ ମିନିଟ୍ରେ ଗିନି ତାରକା ଫାଞ୍ଜେ ଟୋରେ ଏକ ଚମତ୍କାର ଗୋଲ୍ ଦେଇ ନିଜ ଦଳର କିଛିଟା ସମ୍ମାନ ରଖିଥିଲେ।
ଇରାନଠୁ ୩-୧ରେ ହାରିଲା ଗିନି
Advertisment
Follow Us