ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତା, ମିତ୍ତଲଙ୍କୁ ସ୍ୱର୍ଣ୍ଣ ଓ କାଂସ୍ୟ

Advertisment
ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତା, ମିତ୍ତଲଙ୍କୁ ସ୍ୱର୍ଣ୍ଣ ଓ କାଂସ୍ୟ

ଚାଙ୍ଗ୍‌ଓନ୍‌ (ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତାରେ ଭାରତ ସର୍ବଶ୍ରେଷ୍ଠ ସଫଳତା ହାସଲ କରିଛି। ୧୨ ବର୍ଷ ତଳେ ଜାଗ୍ରେବ୍‌ ସଂସ୍କରଣରେ ହାସଲ କରିଥିବା ମୋଟ ୬ ପଦକ ଭାରତ ପାଇଁ କୌଣସି ବିଶ୍ୱ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ହେଲେ ଚଳିତ ବିଶ୍ୱ ପ୍ରତିଯୋଗିତାରେ ୭ ଦିନ ମଧ୍ୟରେ ଭାରତ ମୋଟ ୨୦ ପଦକ ଜିତି ସାରିଲାଣି। ଯେଉଁଥିରେ ସାମିଲ ରହିଛି ୭ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ସାଙ୍ଗକୁ ୬ କାଂସ୍ୟ ପଦକ। ଶୁକ୍ରବାର ଷଷ୍ଠ ଦିବସ ସୁଦ୍ଧା ୧୮ ପଦକ ଜିତିସାରିଥିବା ଭାରତ ପାଇଁ ଶନିବାର ଦୁଇଟି ପଦକ ଜିତିଥିଲେ ଅଙ୍କୁର ମିତ୍ତଲ। ମିତ୍ତଲ ପୁରୁଷ ଡବଲ୍‌ ଟ୍ରାପ୍‌ରେ ସ୍ୱର୍ଣ୍ଣ ଜିତିବା ବ୍ୟତୀତ ଦଳଗତ ବର୍ଗରେ କାଂସ୍ୟ ଜିତି ଭାରତର ପଦକ ସଂଖ୍ୟାକୁ ୨୦ରେ ପହଞ୍ଚାଇଛନ୍ତି। ଏଥି ସହିତ ଚଳିତ ବିଶ୍ୱ ପ୍ରତିଯୋଗିତାରୁ ୨ ଭାରତୀୟ ଅଲିମ୍ପିକ୍‌ କୋଟା ସ୍ଥାନ ମଧ୍ୟ ପକ୍କା କରିଛନ୍ତି। ବିଶ୍ୱ କପ୍‌ ପଦକ ବିଜେତା ମିତ୍ତଲ ଶନିବାର ଏଠାରେ ୧୫୦ରୁ ୧୪୦ ସଟ୍‌ ମାରି ଚୀନ୍‌ର ୟିୟାଙ୍ଗ୍‌ ୟାଙ୍ଗ୍‌ ଓ ସ୍ଲୋଭାକିଆର ହୁବର୍ଟ ଆନ୍ଦ୍ରେଜ୍‌ଙ୍କ ସହ ମିଳିତ ଭାବେ ସ୍ୱର୍ଣ୍ଣ ପଦକ ଦୌଡ଼ରେ ରହିଥିଲେ। ଶେଷରେ ସୁଟ୍‌ଆଉଟ୍‌ର ସାହାରା ନିଆଯାଇଥିଲା। ଏଥିରେ ଦ୍ୱିତୀୟ ସୁଟ୍‌-ଅଫ୍‌କୁ ଲକ୍ଷ୍ୟଭେଦ କରିବାରେ ବିଫଳ ହୋଇ ସ୍ଲୋଭାକିଆ ପ୍ରତିଯୋଗୀ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିବା ପରେ ମିତ୍ତଲ ଓ ୟାଙ୍ଗ୍‌ଙ୍କ ମଧ୍ୟରେ ସ୍ୱର୍ଣ୍ଣ ପାଇଁ ଟକ୍କର ଚାଲିଥିଲା। ହେଲେ ୨୬ ବର୍ଷ ବୟସ୍କ ମିତ୍ତଲ ୪-୩ରେ ୟାଙ୍ଗ୍‌ଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ କବ୍‌ଜା କରିଥିଲା ବେଳେ ୟାଙ୍ଗ୍‌ ରୌପ୍ୟ ପଦକ ପାଇଥିଲେ। ବ୍ୟକ୍ତିଗତ ଡବଲ୍‌ ଟ୍ରାପ୍‌ରେ ସ୍ୱର୍ଣ୍ଣ ଜିତିଥିବା ମିତ୍ତଲ ମହମ୍ମଦ ଆସବ ଓ ସାର୍ଦୁଲ ଭିହାନ୍‌ଙ୍କ ସହ ମିଶି ଦଳଗତ ବର୍ଗରେ ଭାରତକୁ କାଂସ୍ୟ ପଦକ ଭେଟି ଦେଇଥିଲେ। ଭାରତୀୟ ପ୍ରତିଯୋଗୀ ମୋଟ ୪୦୯ ପଏଣ୍ଟ୍‌ ସ୍କୋର୍‌ କରିଥିଲା ବେଳେ ତାଙ୍କଠୁ ମାତ୍ର ଗୋଟିଏ ପଏଣ୍ଟ୍‌ ଅଧିକରେ ଚୀନ୍‌ (୪୧୦) ରୌପ୍ୟ ଏବଂ ଇଟାଲି (୪୧୧) ସ୍ୱର୍ଣ୍ଣ ପଦକ ହାସଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe