ଅଲିମ୍ପିକ୍ସ ଯୋଗ୍ୟତା ସମୟ ଛୁଇଁପାରିଲେନି ଫାରା, ବମସେଲ ବର୍ଷର ଦ୍ରୁତତମ

Advertisment

୩୩ ବର୍ଷର କୀର୍ତ୍ତିମାନ ଭାଙ୍ଗିଲେ ଫ୍ରେଜର-ପ୍ରାଇସ୍, ଅଲିମ୍ପିକ୍‌ ଯୋଗ୍ୟ ୫ ଖେଳାଳି ନେଇନାହାନ୍ତି ଟିକା

୩୩ ବର୍ଷର କୀର୍ତ୍ତିମାନ ଭାଙ୍ଗିଲେ ଫ୍ରେଜର-ପ୍ରାଇସ୍, ଅଲିମ୍ପିକ୍‌ ଯୋଗ୍ୟ ୫ ଖେଳାଳି ନେଇନାହାନ୍ତି ଟିକା

ଅଲିମ୍ପିକ୍ସ ଯୋଗ୍ୟତା ସମୟ ଛୁଇଁପାରିଲେନି ଫାରା, ବମସେଲ ବର୍ଷର ଦ୍ରୁତତମ

ଲଣ୍ଡନ: ୧୦,୦୦୦ ମିଟରର କିଂବଦନ୍ତି ଧାବକ ମୋ’ ଫାରା ଟୋକିଓ ଅଲିମ୍ପିକ୍ସ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଚାରିଥର ଅଲିମ୍ପିକ୍ସ ବିଜେତା ବ୍ରିଟେନ୍‌ର ଏହି ମହାନ ଧାବକ ୧୦,୦୦୦ ମିଟରର ଯୋଗ୍ୟତା ଅର୍ଜନ ସମୟ ଛୁଇଁବାରେ ବିଫଳ ହୋଇଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କ ସହ କ୍ରୀଡ଼ା ବିଶେଷଜ୍ଞଙ୍କୁ ମଧ୍ୟ ନିରାଶ କରିଛି। ବର୍ମିଂହାମରେ ଅନୁଷ୍ଠିତ ଏକ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଫାରା ନୈରାଶ୍ୟଜନକ ଭାବେ ଅଷ୍ଟମ ସ୍ଥାନରେ ରହିଥିଲେ। ଏହି ରେସ୍ ଶେଷ କରିବାକୁ ସେ ୨୭ ମିନିଟ୍ ୫୦.୫୪ ସେକେଣ୍ଡ ସମୟ ନେଇଥିଲେ। ଯାହା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ସମୟଠାରୁ ପାଖାପାଖି ୨୨ ସେକେଣ୍ଡ ଅଧିକ ଥିଲା। ଗତ ଦୁଇ ଅଲିମ୍ପିକ୍ସର ଉଭୟ ୫,୦୦୦ ଓ ୧୦,୦୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିଥିବା ଫାରାଙ୍କ ପାଖରେ ଅବଶ୍ୟ ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ସମୟ ଅଛି। ଏହି ସମୟ ଭିତରେ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବା ପରେ ଯାଇ ସେ ବ୍ରିଟେନ୍ ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇବେ। ୨୦୧୬ ରିଓ ଅଲିମ୍ପିକ୍ସ ପରେ ଟ୍ରାକ୍‌ ରେସିଂରୁ ମୁହଁ ଫେରାଇ ମାରାଥନ ଦୌଡ଼ ଉପରେ ଅଧିକ ଧ୍ୟାନ ଦେଇଥିଲେ ସେ। ତେବେ ଗତବର୍ଷ ପୁଣି ଥରେ ମନ ବଦଳାଇ ନିଜ ଟାଇଟଲ ବଜାୟ ରଖିବା ଲାଗି ଟୋକିଓରେ ମଧ୍ୟ ଦୌଡ଼ିବେ ବୋଲି ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ ୧୦,୦୦୦ ମିଟରରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ସମୟ ୨୭ ମିନିଟ୍ ୨୮ ସେକେଣ୍ଡ ରହିଛି।

ବମସେଲ ବର୍ଷର ଦ୍ରୁତତମ

ଆମେରିକାର ଟ୍ରେଭନ ବମସେଲ ଟୋକିଓ ଅଲିମ୍ପିକ୍ସ ପୁରୁଷ ୧୦୦ ମିଟର ଦୌଡ଼ର ଅନ୍ୟତମ ସ୍ବର୍ଣ୍ଣ ପଦକ ଦାବିଦାର ଭାବେ ଉଭା ହୋଇଛନ୍ତି। ଫ୍ଲୋରିଡ଼ାର ମିରମରଠାରେ ଆୟୋଜିତ ନ୍ୟୁ ଲାଇଫ୍ ଆମନ୍ତ୍ରଣୀୟ ଦୌଡ଼କୁଦରେ ଚଳିତ ବର୍ଷର ଦ୍ରୁତତମ ଟାଇମିଂ (୯.୭୭ ‌ସେକେଣ୍ଡ) ହାସଲ କରିଛନ୍ତି। ସେ ମଧ୍ୟ ବିଶ୍ବର ନବମ ଧାବକ ଭାବେ ୯.୮୦ ସେକେଣ୍ଡଠାରୁ କମ୍ ସମୟ ନେଇଛନ୍ତି। ପୂର୍ବରୁ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୯.୮୪ ସେକେଣ୍ଡ। ଏହି ପ୍ରତିଯୋଗିତାରେ ଆମେରିକାର ଅନ୍ୟତମ ପ୍ରତିଭାବାନ ଧାବକ ମର୍ଭିନ ବ୍ରାକେ (୯.୮୫ ସେକେଣ୍ଡ) ଦ୍ବିତୀୟ ଏବଂ କ୍ରିସ୍ ରୋଷ୍ଟର (୧୦.୦୮ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ। ମହିଳା ବର୍ଗର ୧୦୦ ଓ ୨୦୦ ମିଟରରେ ଗତ ଅଲିମ୍ପିକ୍ସ ବିଜୟିନୀ ଏଲିନ ଥମ୍ପସନ୍ ଯଥାକ୍ରମେ ୧୦.୮୭ ସେକେଣ୍ଡ ଓ ୨୨.୫୪ ସେକେଣ୍ଡ ସମୟ ନେଇ ଦ୍ବିମୁକୁଟ ହାସଲ କରିଥିଲେ।

publive-image

୩୩ ବର୍ଷର କୀର୍ତ୍ତିମାନ ଭାଙ୍ଗିଲେ ଫ୍ରେଜର-ପ୍ରାଇସ୍

ଜାମାଇକା ସ୍ପ୍ରିଣ୍ଟ୍ କୁଇନ୍ ସେଲିଆନ ଫ୍ରେଜର-ପ୍ରାଇସ୍ ୧୦୦ ମିଟର ଦୌଡ଼ର ଦ୍ବିତୀୟ ସର୍ବକାଳୀନ ଦ୍ରୁତତମ ଧାବିକା ହୋଇଛନ୍ତି। କିଙ୍ଗଷ୍ଟନରେ ଆୟୋଜିତ ଏକ ଆମନ୍ତ୍ରଣୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସେ ୧୦.୬୩ ସେକେଣ୍ଡ ସମୟ ନେଇଥିଲେ। ଯାହା ଗତ ୩୩ ବର୍ଷ ମଧ୍ୟରେ ସବୁଠାରୁ ଭଲ ମହିଳା ୧୦ ମିଟର ଟାଇମିଂ ଥିଲା। ଆମେରିକାର ଗ୍ରିଫିଥ ଜୋଏନର ୧୦.୪୯ ସେକେଣ୍ଡ ସମୟ ସହ ଏବେ ବି ବିଶ୍ବର ସର୍ବକାଳୀନ ଦ୍ରୁତତମ ଧାବିକା ହୋଇ ରହିଛନ୍ତି। ଏହି ଟାଇମିଂ ସେ ୧୯୮୮ ମସିହାରେ ଇଣ୍ଡିଆନା ପଲିସଠାରେ ହାସଲ କରିଥିଲେ। ସେହିବର୍ଷ ସେ ମଧ୍ୟ ଆଉ ଦୁଇ ଥର ୧୦.୬୧ ଓ ୧୦.୬୨ ସେକେଣ୍ଡ ସମୟ ଛୁଇଁଥିଲେ।

ଅଲିମ୍ପିକ୍‌ ଯୋଗ୍ୟ ୫ ଖେଳାଳି ନେଇନାହାନ୍ତି ଟିକା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଲାଗି ଜାପାନ ଗସ୍ତ କରିବା ପୂର୍ବରୁ ପ୍ରାୟ ୨୦୯ କ୍ରୀଡ଼ାବିତ୍‌ ଓ ପାରା କ୍ରୀଡ଼ାବିତ୍ ଏବଂ ୧୫୧ ଜଣ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ବିପକ୍ଷରେ ସେମାନଙ୍କ ପ୍ରଥମ ଟିକା ନେଇସାରିଛନ୍ତି। କେତେକ ମଧ୍ୟ ଦ୍ବିତୀୟ ଡୋଜ୍ ନେଇ ଟିକା ଅଭିଯାନ ଶେଷ କରିଦେଇଛନ୍ତି। ଭାରତୀୟ ଅଲିମ୍ପିକ୍‌ ସଂଘର ଲମ୍ବା ତାଲିକାରେ ଥିବା ଏମାନଙ୍କ ମଧ୍ୟରୁ କିନ୍ତୁ ଜୁନ୍‌ ୫ ତାରିଖ ପର୍ଯ୍ୟନ୍ତ ୫ ଜଣ ଖେଳାଳି ସେମାନଙ୍କ ପ୍ରଥମ ଡୋଜ୍‌ ଟିକା ନେଇନାହାନ୍ତି। ଏମାନଙ୍କ ମଧ୍ୟରେ ଜଣେ ମୁଷ୍ଟିଯୋଦ୍ଧା ଏବଂ ୪ ଜଣ ବଂଧୁକଚାଳକ ରହିଛନ୍ତି। ମହିଳା ମୁଷ୍ଟିଯୋଦ୍ଧା ସିମ୍ରନଜିତ କୌର, ବଂଧୁକଚାଳକ ସୌରଭ ଚୌଧୁରୀ, ରାହି ସର୍ନୋବତ୍‌, ଦୀପକ କୁମାର ଏବଂ ମୈରାଜ ଅହମ୍ମଦ ଖାନ୍‌ କୋଭିଡ୍‌ ପଜିଟିଭ୍ ଆସିଥିବାରୁ ଏମାନେ ଯିକା ନେଇନାହାନ୍ତି। ୫୮ ଜଣ କ୍ରୀଡ଼ାବିତ୍‌ ଓ ୪ ଜଣ ପାରା କ୍ରୀଡ଼ାବିତ୍‌ ଦ୍ବିତୀୟ ଡୋଜ୍‌ ନେଇ ସାରିଥିବା ଭାରତୀୟ ଅଲିମ୍ପିକ୍ ସଂଘ ସୂଚନା ପ୍ରଦାନ କରିଛି। କିଛି ଦିନ ତଳେ ଅନୁଷ୍ଠିତ ଭାରତୀୟ ଦଳର ଅଫିସିଆଲ୍ କିଟ୍‌ ଉନ୍ମୋଚନ ଉତ୍ସବରେ ଭାରତୀୟ ଅଲମ୍ପିକ୍ ସଂଘ ସଭାପତି ନରିନ୍ଦର ଧୃବ ବାତ୍ରା କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କୁ ଅନୁରୋଧ କରିଥିଲେ ଅଲିମ୍ପିକ୍ ଅଭିମୁଖେ ଯାଉଥିବା ପ୍ରତି କ୍ରୀଡ଼ାବିତ୍‌ଙ୍କୁ ସମ୍ପୂର୍ଣ୍ଣଭାବେ ଟିକାକରଣ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe