କଲମ୍ବୋ: ଭାରତ ବିପକ୍ଷରେ ଲଜ୍ଜାଜନକ ପରାଜୟ ବରଣ କରିଥିବା ପାକିସ୍ତାନ କ୍ରିକେଟ୍‌ ଦଳ ପୁଣି ଥରେ ବିଜୟ ଧାରାକୁ ଫେରିଛି। ନିର୍ଣ୍ଣାୟକ ଶେଷ ଲିଗ୍‌ ମ୍ୟାଚ୍‌ରେ ନବାଗତ ନାମିବ୍ୟାକୁ ୧୦୨ ରନ୍‌ର ବଡ଼ ବ୍ୟବଧାନରେ ହରାଇ ୪ ମ୍ୟାଚ୍‌ରୁ ୩ ବିଜୟ ସହ ଭାରତ ପଛକୁ ଦ୍ବିତୀୟ ସ୍ଥାନରେ ରହି ସୁପର-୮କୁ ଯାଇଛି। ପାକିସ୍ତାନର ଏହି ବିଜୟ ପରେ ଆତ୍ମବିଶ୍ବାସରେ ଭରପୂର ଆ‌ମେରିକା ଦଳର ଅଭିଯାନ ଲିଗ୍‌ ପର୍ଯ୍ୟାୟରୁ ଶେଷ ହୋଇଯାଇଛି। ଆମେରିକା ଓ ପାକିସ୍ତାନ ଉଭୟ ୪ ପଏଣ୍ଟ୍‌ ଲେଖାଏଁରେ ଥିବାରୁ ଏବଂ ଆମେରିକାରର ନେଟ୍‌ ରନ୍‌ ରେଟ୍‌ ଭଲ ଥିବାରୁ ନାମିବ୍ୟାକୁ ହରାଇବା ପାକିସ୍ତାନ ପାଇଁ ଏକାନ୍ତ ଅପରିହାର୍ଯ୍ୟ ଥିଲା। ଓପନର୍‌ ସାହିବଜାଦା ଫରହାନଙ୍କ ଶତକ ବଳରେ ଏହି ପୂର୍ବବିଜେତା ଏହି କର ବା ମର ମ୍ୟାଚ୍‌ରେ ବଡ଼ ବିଜୟ ପାଇଛି। ଫରହାନ ୫୮ ବଲ୍‌ରୁ ୧୦୦ ରନ୍‌ କରିବା ସହ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶତକ ଅର୍ଜନ କରିବା ପରେ ଅମଜାଦ ସେହଜାଦଙ୍କ ପରେ ଦ୍ବିତୀୟ ପାକିସ୍ତାନୀ ହୋଇଛନ୍ତି। ସେହଜାଦ ୨୦୧୪ ମସିହାରେ ବାଂଲାଦେଶ ବିପକ୍ଷରେ ଢାକାଠାରେ ପାକିସ୍ତାନ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ଶତକ ହାସଲ କରିଥିଲେ।

Advertisment

ଅଧିକପଢ଼ନ୍ତୁ:ସଡ଼କ ଦୁର୍ଘଟଣା ରୋକିବାକୁ ବଡ଼ ଯୋଜନା: ଏକ୍ସପ୍ରେସୱେରେ ପରସ୍ପର ସହ କଥା ହେବେ କାର୍

ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା

ବୁଧବାର ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ସେହଜାଦଙ୍କ ବିସ୍ଫୋରକ ଶତକ ସହ ଅଧିନାୟକ ସଲମାନ ଆଗାଙ୍କ ୩୮ ଏବଂ ସଦାବ ଖାନଙ୍କ ଦ୍ରୁତ ଓ ଅପରାଜିତ ୩୬ ରନ୍‌ ବଳରେ ୩ ୱିକେଟ୍‌ ହରାଇ ୧୯୯ ରନ୍‌ କରିଥିଲା। ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ଅନଭିଜ୍ଞ ନାମିବ୍ୟା ପାଇଁ ଆରମ୍ଭରୁ ଅସହ୍ୟ ଚାପ ସୃଷ୍ଟି କରିଥିଲା। ଦଳ ଏହି ଚାପ ଆଗରେ ନଇଁ ଯାଇ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଚାଲିଥିଲା। ଫଳରେ ୧୭.୩ ଓଭରରେ ମାତ୍ର ୯୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଏହି ଦଳର କେବଳ ଦୁଇଜଣ ବ୍ୟାଟର୍‌ ଦୁଇଅଙ୍କ ଛୁଇଁ ପାରିଥିଲେ। ଅନ୍ୟମାନେ ଦୁର୍ଭାଗ୍ୟଜନକ ଭାବେ ଏକଅଙ୍କ ଆଗକୁ ବଢ଼ି ପାରି ନଥିଲେ। ସାହିବଜାଦା ନିଜ ଶତକୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ସେ ମଧ୍ୟ ଚଳିତ ବିଶ୍ବକପ୍‌ରେ ସର୍ବାଧିକ ରନ୍‌ ହାସଲକାରୀଙ୍କ ମଧ୍ୟ‌ରେ ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ସୁଦୃଢ଼ କରି ନେଇଥିଲେ।

ଅଧିକପଢ଼ନ୍ତୁ:ଉନ୍ନତ ଇଭି ବସ୍ ତାଲିମ ଶେଷ କରି ଫେରିଲେ ୨୦ ମହିଳା ଚାଳକ