୨୫ ବର୍ଷରେ ପ୍ରଥମ ଥର ଡର୍ବାନରେ ମ୍ୟାଚ ଜିତିଲା ଭାରତ

କୋହଲିଙ୍କ ଶତକରେ ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ପରାସ୍ତ

୨୫ ବର୍ଷରେ ପ୍ରଥମ ଥର ଡର୍ବାନରେ ମ୍ୟାଚ ଜିତିଲା ଭାରତ

ଡର୍ବାନ: ୧୯୯୨-୯୩ର ପ୍ରଥମ ଗସ୍ତଠାରୁ ଦକ୍ଷିଣ ଆଫ୍ରିକାରେ ଭାରତୀୟ କ୍ରିକେଟ୍‌ ଦଳ ଯାହା କରିପାରି ନଥିଲା ଗୁରୁବାର ବିରାଟ କୋହଲିଙ୍କ ଦଳ ତାହା କରି ଦେଖାଇଲା। ଡର୍ବାନର କିଙ୍ଗ୍ସମେଡ୍‌ ଷ୍ଟାଡିୟମ୍‌ରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ବିଜୟ ହାସଲ କଲା। ୨୫ ବର୍ଷ ଭିତରେ ଡର୍ବାନରେ ପ୍ରଥମ ଥର ଘରୋଇ ଦକ୍ଷିଣ ଆଫ୍ରିକାକୁ ହରାଇ ଚଳିତ ଗସ୍ତର ପାଞ୍ଚ ଟିକିଆ ଶୃଙ୍ଖଳାରେ ବି ୧-୦ରେ ଆଗୁଆ ହୋଇଗଲା। କିଙ୍ଗ୍ସମେଡ୍‌ରେ ଭାରତ ପୂର୍ବରୁ ୫୦ ଓଭରିଆ କ୍ରିକେଟ୍‌ରେ ୭ ଥର ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା। ହେଲେ ଥରେ ହେଲେ ବି ବିଜୟ ସ୍ୱାଦ ଚାଖି ନଥିଲା। ଦକ୍ଷିଣ ଆଫ୍ରିକା ୬ ଥର ବିଜୟୀ ହୋଇଥିଲା ବେଳେ ଗୋଟିଏ ମ୍ୟାଚ୍‌ର ଫଳାଫଳ ମିଳି ନଥିଲା। ଏଥର କିନ୍ତୁ ଭାରତ ଆତ୍ମବିଶ୍ୱାସ ଭରା ବିଜୟ ହାସଲ କଲା। ଡର୍ବାନରେ ଭାରତର ଜବରଦସ୍ତ ବିଜୟ ଦକ୍ଷିଣ ଆଫ୍ରିକା ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା। ଅନ୍ୟ ପକ୍ଷରେ କୋହଲି ବାହିନୀର ୬ ଓ୍ଵିକେଟ୍‌ ବିଜୟ ଭାରତୀୟ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲା। ଦକ୍ଷିଣ ଆଫ୍ରିକାରେ ୨୯ ମ୍ୟାଚ୍‌ରୁ ଭାରତର ଏହା ଷଷ୍ଠ ବିଜୟ ଥିଲା। ଘରେ ଲଗାତାର ୧୭ ବିଜୟ ପରେ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ପରାଜୟ ବରଣ କଲା।

ଟେଷ୍ଟ ଶୃଙ୍ଖଳାକୁ ପରାଜୟରୁ ଆରମ୍ଭ କରିଥିବା ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକା ଗସ୍ତର ଦିନିକିଆ ପର୍ଯ୍ୟାୟ ଶୁଭାରମ୍ଭ ବିଜୟରୁ କରିଛି। ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ସହଜରେ ୬ ଓ୍ଵିକେଟ୍‌ରେ ହରାଇ ଦେଇଛି। ଏହି ଐତିହାସିକ ବିଜୟରେ ପୁଣି ଥରେ ଅଧିନାୟକ ବିରାଟ କୋହଲି (୧୧୨ ରନ୍‌, ୧୧୯ ବଲ୍‌, ୧୦ ଚୌକା)ପ୍ରମୁଖ ଭୂମିକା ତୁଲାଇଛନ୍ତି। ଆଜି ୨୭୦ ରନ୍‌ର କଷ୍ଟକର ଲକ୍ଷ୍ୟ ଥିଲେ ମଧ୍ୟ ଚିରାଚରିତ ଭାବେ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା (୨୦) ଓ ଶିଖର ଧାଓ୍ଵନ (୩୫) ମାତ୍ର ୬୭ ରନ୍‌ ଭିତରେ ପାଭିଲିୟନ ଫେରି ଯାଇଥିଲେ। ରୋହିତ ନିରାଶ କରିଥିଲେ। ଧାଓ୍ଵନ ଅବଶ୍ୟ ଭଲ ବ୍ୟାଟିଂ କରୁଥିଲା ବେଳେ କୋହଲି ହିଁ ତାଙ୍କୁ ଅଜାଣତରେ ରନ୍‌ ଆଉଟ୍‌ କରି ଦେଇଥିଲେ। ପରେ ନିଜେ ଶତକୀୟ ପାଳି ସହ ଏହି ଭୁଲକୁ ସୁଧାରି ନେଇଥିଲେ। ମୁମ୍ବାଇ ତାରକା ଅଜିଙ୍କ୍ୟ ରାହାଣେ (୭୯ ରନ୍‌, ୮୬ ବଲ୍‌, ୫ ଚୌକା, ୨ ଛକା) ଏଥିରେ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ।

publive-image hindustantimes.com

ତୃତୀୟ ଓ୍ଵିକେଟ୍‌ରେ ଉଭୟ ୧୮୯ ରନ୍‌ ସଂଗ୍ରହ କରି ଭାରତ ବିଜୟକୁ ସୁନିଶ୍ଚିତ କରି ଦେଇଥିଲେ। ଦୁଇ ଜଣ ଯାକ ଅବଶ୍ୟ ବିଜୟ ମୁଣ୍ଡି ମାରିବା ପୂର୍ବରୁ ଆନ୍ଦିଲ ଫେଲୁଖୋଓ୍ଵାଙ୍କ ଶିକାର ହୋଇଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୪*) ଆସି ଚୌକା ସହ ବିଜୟର ଔପଚାରିକତା ପୂରଣ କରିଥିଲେ। ହାର୍ଦିକ ପାଣ୍ଡ୍ୟା ୩ ରନ୍‌ରେ ଅପରାଜିତ ରହିଥିଲେ। ସ୍ମରଣୀୟ ବିଜୟ ସହ କିଙ୍ଗ୍ସମେଡରେ ଭାରତ ପିଛିଲା ବ୍ୟାଟିଂରେ ସର୍ବାଧିକ ରନ୍‌ କରି ଜିତିବାର କୀର୍ତ୍ତିମାନ କରିଥିଲା। କୋହଲିଙ୍କୁ ଆଜି ଦକ୍ଷିଣ ଆଫ୍ରିକା ବୋଲରମାନେ ଘନ ଘନ ସର୍ଟପିଚ୍‌ ବୋଲିଂ କରି ଘାଇଲା କରିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ। ହେଲେ ତାଙ୍କ ଏକାଗ୍ରତା ଭାଙ୍ଗି ପାରି ନଥିଲେ। ଫେଲୁଖୋଓ୍ଵାଙ୍କୁ ଚୌକା ମାରି ୩୩ତମ ଶତକ ପୂରଣ କରିଥିବା କୋହଲି ଆଜି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ (୧୨୦ ରନ୍‌, ୧୧୨ ବଲ୍‌, ୧୧ ଚୌକ, ୨ ଛକା)ଙ୍କ ଶତକକୁ ପୂରା ଫିକା କରି ଦେଇଥିଲେ। ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଗୁରୁବାର ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବ୍ୟାଟିଂ କରିଥିଲା। ହାସିମ ଆମଲା (୧୬) ଏବଂ କ୍ୱିଣ୍ଟନ ଡି’ କକ୍‌ (୩୪)ଙ୍କ ପ୍ରାରମ୍ଭିକ ଯୋଡ଼ିକୁ ଭୁବନେଶ୍ୱର କୁମାର ମାତ୍ର ୩୦ ରନ୍‌ରେ ଭାଙ୍ଗି ଦେଇଥିଲେ। ସେହିଭଳି ୟୁଜବେନ୍ଦ୍ର ଚହଲ (୧୦-୦-୪୫-୨) ଏବଂ କୁଲଦୀପ ଯାଦବ (୧୦-୦-୩୪-୩) ସ୍ପିନ୍‌ ଯୋଡ଼ି ଲଗାତାର ଓ୍ଵିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାକୁ ବିପର୍ଯ୍ୟୟ ଭିତରକୁ ଠେଲି ଦେଇଥିଲେ। ଉଭୟ ବାଣ୍ଟିକରି ଦକ୍ଷିଣ ଆଫ୍ରିକାର ପାଞ୍ଚ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୧୩୪ ରନ୍‌ରେ ଅଧା ଦଳ ହରାଇ ସଙ୍କଟରେ ପଡ଼ିଥିଲା। ଏହା ସତ୍ତ୍ୱେ ଡୁ’ ପ୍ଲେସିସ୍‌ଙ୍କ ଦାୟିତ୍ୱପୂର୍ଣ୍ଣ ଶତକ ବଳରେ ଘରୋଇ ଦଳ ୨୬୯/୮ରେ ପହଞ୍ଚି ଯାଇଥିଲା। ଡୁ’ପ୍ଲେସିସ୍‌ ପ୍ରଥମେ ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ (୩୭)ଏବଂ ପରେ ଆନ୍ଦିଲ ଫେଲୁଖୋଓ୍ଵା (୨୭)ଙ୍କ ସହ ମିଶି ଦକ୍ଷିଣ ଆଫ୍ରିକା ସ୍କୋରକୁ ଅଢ଼େଇ ଶହ ପାର କରାଇ ଦେଇଥିଲେ। ଅନ୍ୟସମସ୍ତ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଭାରତୀୟ ସ୍ପିନରଙ୍କ ଆଗରେ ସଂଘର୍ଷ କରିଥିଲେ। ଡୁ’ପ୍ଲେସିସ୍‌ କିନ୍ତୁ ଅତି ସହଜରେ ନିଜ ସ୍ୱାଭାବିକ ଖେଳ ଖେଳି ୧୦୧ ବଲ୍‌ରୁ ୧୧ ଚୌକା ସହାୟତାରେ ନବମ ଶତକ ପୂରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe