Deccan Herald
ଜୁରିକ: ସ୍ବିଜରଲାଣ୍ଡ ଟେନିସ କିଂବଦନ୍ତି ରୋଜର ଫେଡେରର୍ ଆଗାମୀ ଟୋକିଓ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି। ନିକଟରେ ଶେଷ ହୋଇଥିବା ଗ୍ରାସ କୋର୍ଟ ଋତୁ ବେଳେ ଆଣ୍ଠୁ ଯନ୍ତ୍ରଣା ବଢ଼ିବାରୁ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ଫେଡେରର୍ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ଆଗାମୀ ମାସରେ ୪୦ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଥିବା ଫେଡେରର୍ ୨୦୨୦ରେ ଆଣ୍ଠୁ ଅସ୍ତ୍ରୋପଚାର କରିଥିଲେ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବା ଲାଗି ଗୋଟିଏ ବର୍ଷରୁ ଅଧିକ ସମୟ ଟେନିସରୁ ଦୂରେଇ ରହିଥିଲେ। ଗତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍ରୁ ବିଦାୟ ନେବା ପରେ ୧୩ ମାସର ବ୍ୟବଧାନ ପରେ ଚଳିତ ବର୍ଷ ମାର୍ଚରେ ସେ କୋର୍ଟକୁ ଫେରିଥିଲେ। ହେଲେ ଗ୍ରାସ୍ କୋର୍ଟ ପ୍ରତିଯୋଗିତା ସମୟରେ ନିଜକୁ ଫିଟ୍ ରଖିବା ଲାଗି ସେ ଗତ ମାସ ଫ୍ରେଞ୍ଚ୍ ଓପନ୍ ତୃତୀୟ ପର୍ଯ୍ୟାୟରୁ ଓହରି ଯାଇଥିଲେ।
ୱିମ୍ବଲଡନ୍ କ୍ବାର୍ଟର ଫାଇନାଲ୍ରେ ସେ ହୁବର୍ଟ ହୁର୍କାଜଙ୍କଠୁ ହାରି ବିଦାୟ ନେଇଥିଲେ। ‘‘ଗ୍ରାସ କୋର୍ଟ ଋତୁରେ ମୋ ଆଣ୍ଠୁ ଯନ୍ତ୍ରଣା ବଢ଼ିଥିଲା। ତେଣୁ ଅଲିମ୍ପିକ୍ସରୁ ଓହରିବାକୁ ବାଧ୍ୟ ହୋଇଛି। ଏହି ନିଷ୍ପତ୍ତି ନେବା କଷ୍ଟକର ଥିଲା। ହେଲେ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଏହା କରିବାକୁ ବାଧ୍ୟ ହୋଇଛି। ଦେଶ ପାଇଁ ପ୍ରତିନିଧିତ୍ବ କରିପାରୁ ନଥିବାରୁ ବହୁତ ଦୁଃଖିତ। ସୁସ୍ଥ ହୋଇ ଶୀଘ୍ର କୋର୍ଟକୁ ଫେରିବାର ଆଶା ରଖିଛି। ଅଲିମ୍ପିକ୍ସ ଲାଗି ସମସ୍ତ ସ୍ବିଜରଲାଣ୍ଡ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି।’’ ବୋଲି ଫେଡେରର୍ କହିଛନ୍ତି। ଫେଡେରର୍ ୨୦୦୮ ବେଜିଂ ଅଲିମ୍ପିକ୍ସରେ ଷ୍ଟାନ୍ ୱାରିଙ୍କାଙ୍କ ସହ ପୁରୁଷ ଯୁଗଳରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଏକକରେ ରୌପ୍ୟ ଜିତିଥିଲେ। ସେ ୨୦୦୪ ଓ ୨୦୦୮ରେ ସ୍ବିଜରଲାଣ୍ଡର ପତାକା ଧରିଥିଲେ। ତାଙ୍କ ପୂର୍ବରୁ ଅଲିମ୍ପିକ୍ସ ଟେନିସରୁ ଓହରିଥିବା ବଡ଼ ତାରକାଙ୍କ ମଧ୍ୟରେ ରହିଛନ୍ତି ରାଫେଲ ନାଦାଲ, ଡୋମିନିକ ଥିମ, ଷ୍ଟାନ୍ ୱାରିଙ୍କା, ନିକ କର୍ଗିସ, ସେରେନା ୱିଲିୟମ୍ସ, ସିମୋନା ହାଲେପ ଓ ବିଆଙ୍କା ଆନ୍ଦ୍ରେସ୍କୁ। ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଟୋକିଓରେ ଏହି ବହୁଦେଶୀୟ ପ୍ରତିଯୋଗିତା ଆୟୋଜିତ ହେବ।
Follow Us