ଫିଫା ବିଶ୍ବକପ୍‌: ସ୍ପେନ୍‌ର ବଡ଼ ବିଜୟ

Advertisment
ଫିଫା ବିଶ୍ବକପ୍‌: ସ୍ପେନ୍‌ର ବଡ଼ ବିଜୟ

ଦୋହା: ଚଳିତ ଫିଫା ବିଶ୍ବକପ୍‌ର ବୁଧବାର ମ୍ୟାଚ୍‌ରେ ୨୦୧୦ ବିଜେତା ସ୍ପେନ୍‌ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅଲ୍‌ ଥମୁମା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବିଶ୍ବ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ସ୍ପେନ୍‌ ପୂରା ଆଧିପତ୍ୟ ବିସ୍ତାର କରି ୭-୦ ଗୋଲ୍‌ରେ କୋଷ୍ଟାରିକାକୁ ମାତ୍‌ ଦେଇଛି। ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଡାନି ଓଲ୍‌ମୋଙ୍କ ଗୋଲ୍‌ରେ ସ୍ପେନ୍‌ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଗାଭିଙ୍କ ସ୍କୁପ୍ ପାସ୍ ପେନାଲ୍ଟି ଅଞ୍ଚଳରେ ଓଲମୋ କୋଷ୍ଟାରିକା ଗୋଲ୍‌ରକ୍ଷକ କିଲୋର ନାଭାସ୍ ଉପର ଦେଇ ମାରି ଦେଇଥିଲେ। ୨୧ତମ ମିନିଟ୍‌ରେ ଜୋର୍ଡି ଆ‌ଲ୍‌ବାଙ୍କ ଏକ ପାସ୍‌କୁ ମାର୍କୋ ଆସେନସିଓ ୧୫ ୟାର୍ଡରୁ କୋଷ୍ଟାରିକା ଗୋଲ୍‌ପୋଷ୍ଟ୍‌କୁ ବଲ୍‌ ପଠାଇ ସ୍ପେନ୍‌କୁ ୨-୦ ଆଗୁଆ କରିଥିଲେ। ୩୧ତମ ମିନିଟ୍‌ରେ ‌ସ୍ପେନ୍‌କୁ ମିଳିଥିବା ପେନାଲ୍‌ଟିକୁ ଫେରାନ ଟୋରେସ ଗୋଲ୍‌ରେ ପରିଣତ କରିଥିଲେ। ଏଥିସହ ପ୍ରଥମାର୍ଦ୍ଧକୁ ସ୍ପେନ୍‌ ୩-୦ରେ ଶେଷ କରିଥିଲା।

ଦ୍ବିତୀୟାର୍ଦ୍ଧରେ ଗାଭିଙ୍କ ପାସ୍‌କୁ ‌ଟୋରେସ (୫୪ ମିନିଟ୍‌) ଗୋଲ୍‌ ଦେଇ ଯୁଗଳ ସଫଳତା ପାଇବା ସହ ଦଳକୁ ୪-୦ରେ ଅଗ୍ରଣୀ କରାଇଥିଲେ। ପୂର୍ବରୁ ଦୁଇଟି ଗୋଲ୍‌ରେ ନିଜର ସହ‌ଭାଗିତା ରଖିଥିବା ସ୍ପେନ୍‌ର ୧୮ ବର୍ଷୀୟ ଗାଭି (୭୪ ମିନିଟ୍‌) ବିଶ୍ବକପ୍‌ରେ ପ୍ରଥମ ଗୋଲ୍‌‌ ସ୍କୋର୍‌ କରିଥିଲେ। ଏଥିସହ ବ୍ରାଜିଲର ପେଲେ (୧୭ ବର୍ଷ ୨୪୯ ଦିନ, ସ୍ବିଡେନ୍‌ ବିପକ୍ଷ ୧୯୫୮ ଫାଇନାଲ୍‌)ଙ୍କ ପରେ ଗାଭି (୧୮ ବର୍ଷ ୧୧୦ ଦିନ) ବିଶ୍ବକପ୍‌ରେ ସର୍ବକନିଷ୍ଠ ଗୋଲ୍‌ ସ୍କୋରର୍‌ ହେବାର ଗୌରବ ଅର୍ଜନ କରିଥିଲେ। ଶେଷ ସମୟରେ ଦୁଇଟି ଗୋଲ୍‌ ଲଦି ସ୍ପେନ୍‌ ୭-୦ରେ ବିଜୟ ପାଇଥିଲା। କାର୍ଲୋସ ସୋଲର (୯୦ ମିନିଟ୍‌) ଏବଂ ଆଲ୍‌ଭର ମୋରାଟା (୯୦+୨ ମିନିଟ୍‌) ଏହି ଦୁଇ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe