ପଞ୍ଚମ ଟେ‌ଷ୍ଟ୍‌: ଇଂଲଣ୍ଡ ୧୮୮; ଅଷ୍ଟ୍ରେଲିଆ ୧୫୨ ରନ୍‌ରେ ଆଗୁଆ

Advertisment
ପଞ୍ଚମ ଟେ‌ଷ୍ଟ୍‌: ଇଂଲଣ୍ଡ ୧୮୮; ଅଷ୍ଟ୍ରେଲିଆ ୧୫୨ ରନ୍‌ରେ ଆଗୁଆ

ହୋବାର୍ଟ: ଚଳିତ ଆସେସ୍‌ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ର ପ୍ରଥମ ଦିବସରେ ୬ ୱିକେଟ୍‌ର ପତନ ଘଟିଥିଲା ବେଳେ ଶନିବାର ଦ୍ବିତୀୟ ଦିବସରେ ୧୭ ୱିକେଟ୍‌ ଝଡ଼ିଛି। ଏଥିରେ ପ୍ରଥମ ପାଳିରେ ୩୦୩ ରନ୍‌ କରିଥିବା‌ ଘରୋଇ ଅଷ୍ଟ୍ରେଲିଆ ବୋଲରଙ୍କ କମାଲ ବଳରେ ଭ୍ରମଣକାରୀ ଇଂଲଣ୍ଡ ପ୍ରଥମ ପାଳିକୁ ୧୮୮ ରନ୍‌ରେ ଅଟକାଇ ଦେଇଥିଲା। ଏଥି ସହିତ ୧୧୫ ରନ୍‌ର ଅଗ୍ରଣୀ ପାଇଥିବା ଘରୋଇ ଦଳ ଦ୍ବିତୀୟ ପାଳିରେ ୩୭ ରନ୍‌ରେ ୩ ୱିକେଟ୍‌ ହରାଇଦେଇଛି। ଫଳରେ ହା‌ତରେ ୭ ୱିକେଟ୍‌ ଥାଇ ଅଷ୍ଟ୍ରେଲିଆ ମୋଟ ଉପରେ ୧୫୨ ରନ୍‌ରେ ଆଗୁଆ ହୋଇଯାଇଛି।

ଶୁକ୍ରବାର ସ୍କୋର୍‌ ୬/୨୪୧ରୁ ଖେଳିଥିବ‌ା ଅଷ୍ଟ୍ରେଲିଆ ଶନିବାର ଆଉ ୬୨ ରନ୍ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍‌ ହରାଇଥିଲା। ଦଶମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ନାଥନ୍‌ ଲାୟନ୍‌ ୨୭ ବଲ୍‌ରୁ ୧ ଚୌକା ଓ ୩ ଛକା ସହାୟତାରେ ୩୧ ରନ୍‌ ଏବଂ ୱିକେଟ୍‌ରକ୍ଷକ ଆଲେକ୍ସ କାରି ୨୪ ରନ୍‌ କରିବାରୁ ଦଳ ୩୦୦ ସ୍କୋର୍‌ ଟପିଯାଇଥିଲା। ସ୍କଟ୍‌ ବୋଲାଣ୍ଡ ୧୦ ରନ୍‌ରେ ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ଓ ମାର୍କ ଉଡ୍‌ ୩-୩ ଏବଂ ଓଲି ରବିନ୍‌ସନ୍‌ ଓ କ୍ରିସ୍‌ ୱକ୍ସ ୨-୨ ୱିକେଟ୍‌ ବା‌ଣ୍ଟି ନେଇଥିଲେ।
ଜବାବରେ ଇଂଲଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବିଶେଷକରି ଅଧିନାୟକ ପ୍ୟାଟ୍‌ କମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ଚମତ୍କାର ବୋଲିଂ ଇଂଲଣ୍ଡକୁ ୨୦୦ ଟପିବାକୁ ଦେଇନଥିଲା। ତୃତୀୟ ୱିକେଟ୍‌ରେ ମଲାନ ଓ ରୁଟ୍‌ଙ୍କ ୪୯ ଏବଂ ସପ୍ତମ ୱିକେଟ୍‌ରେ ବିଲିଙ୍ଗ୍‌ସ ଓ ୱକ୍ସଙ୍କ ୪୦ ରନ୍‌ର ଭାଗୀଦାରି ହିଁ ଉଲ୍ଲେଖନୀୟ ଥିଲା। କମିନ୍ସ ଓ ଷ୍ଟାର୍କ ମିଳିତ ଭାବେ ୭ ୱିକେଟ୍‌ ବାଣ୍ଟି ନେବାରୁ ଇଂଲଣ୍ଡ ୧୮୮ ରନ୍‌ରେ ସୀମିତ ରହିଯାଇଥିଲା। ତେବେ ଇଂଲଣ୍ଡ ବୋଲରମାନେ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ପ୍ରାରମ୍ଭିକ ଝଟ୍‌କା ଦେଇଛନ୍ତି। ବ୍ରଡ୍‌, ଉଡ୍‌ସ ଓ ୱକ୍ସ ଯଥାକ୍ରମେ ଡେଭିଡ୍‌ ୱର୍ଣ୍ଣର (୦), ଖୱାଜା (୧୧) ଓ ମାର୍ନସ ଲବୁସାନେ (୫)ଙ୍କୁ ପାଭିଲିୟନ୍‌ ପଠାଇ ଦେଇଛନ୍ତି। ୱର୍ଣ୍ଣର ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ମଧ୍ୟ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ପ୍ରଥମ ପାଳି ୭୫.୪ ଓଭରରେ ୩୦୩ (ଟ୍ରାଭିସ୍‌ ହେଡ୍‌-୧୦୧, କାମେରନ୍‌ ଗ୍ରିନ୍‌-୭୪, ମାର୍ନସ ଲବୁସାନେ-୪୪, ‌ନାଥନ୍‌ ଲାୟନ୍‌-୩୧, ଷ୍ଟୁଆର୍ଟ ବ୍ରଡ୍‌-୩/୫୯, ଓଲି ରବିନ୍‌ସନ୍‌-୨/୨୪, ମାର୍କ ଉଡ୍‌-୩/୧୧୫, କ୍ରିସ୍‌ ୱକ୍ସ-୨/୬୪)। ଇଂଲଣ୍ଡ ପ୍ରଥମ ପାଳି ୪୭.୪ ଓଭରରେ ୧୮୮ (କ୍ରିସ୍‌ ୱକ୍ସ-୩୬, ଜୋ ରୁଟ୍‌-୩୪, ସାମ୍‌ ବିଲିଙ୍ଗ୍‌ସ-୨୯, ଦାୱିଦ ମଲାନ-୨୫, ପ୍ୟାଟ୍‌ କମିନ୍ସ-୪/୪୫, ମିଚେଲ ଷ୍ଟାର୍କ-୩/୫୩)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି ୧୯ ଓଭରରେ ୩୭/୩ (ଷ୍ଟିଭେନ୍‌ ସ୍ମିଥ୍‌-୧୭*, ଉସ୍‌ମାନ ଖୱାଜା-୧୧, ବ୍ରଡ୍‌-୧/୯, ୱକ୍ସ-୧/୧୩, ଉଡ୍‌-୧/୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe