ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ଶନିବାରଠୁ ଭାରତ-ବେଲ୍‌ଜିୟମ ଲଢ଼େଇ

Advertisment
ଭୁବନେଶ୍ବର, ରାଉରକେଲାରେ ହକି ପ୍ରୋ ଲିଗ୍, ଉଭୟ ସହରରେ ୧୨ ମ୍ୟାଚ୍

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ପ୍ରତିଯୋଗିତା‌ରେ ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା। ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଦୁଇ ମ୍ୟାଚ୍‌ରେ ନେଦରଲାଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। ଏବେ ଏହି ଦଳ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ବେଲ୍‌ଜିୟମ ବିପକ୍ଷରେ ଚଳିତ ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ଖେଳିବ। ବିଶ୍ବ ବିଜେତା ବେଲ୍‌ଜିୟମ ଭୁବନେଶ୍ବରରେ ପହଞ୍ଚି ସାରିଥିଲା ବେଳେ ଶୁକ୍ରବାର ‌ଅଭ୍ୟାସକୁ ଓହ୍ଲା‌ଇବ। ୨୦୧୮ରେ ଭୁବନେଶ୍ବରରେ ଆୟୋଜିତ ବିଶ୍ବକପ୍‌ରେ ବେଲ୍‌ଜିୟମ ଟ୍ରଫି କରାୟତ୍ତ କରିଥିଲା। ଏହି ପ୍ରତିଯୋଗିତାରେ ବିଶ୍ବର ଶ୍ରେଷ୍ଠ ଦଳଗୁଡ଼ିକ ଖେଳିବା ସହ ଆଗକୁ ଅଲିମ୍ପିକ୍ସ ରହିଛି। ଫଳରେ ଏହି ପ୍ରତିଯୋଗିତା ଅଲିମ୍ପିକ୍ସ ପ୍ରସ୍ତୁତ ସଦୃଶ ହୋଇଛି। ଅଲିମ୍ପିକ୍ସକୁ ନଜରରେ ରଖି ଭାରତୀୟ ଦଳ ମଧ୍ୟ ଏହି ପ୍ରତିଯୋଗିତା ମାଧ୍ୟମରେ ନିଜର ତ୍ରୁଟି ସୁଧାରିବା ସହ ଭଲ କରିବାକୁ ଚେଷ୍ଟା କରିବା ଲକ୍ଷ୍ୟରେ ରହିଛି।

ଆମ ପାଇଁ ଏହା ନିର୍ଣ୍ଣାୟକ ସମୟ। ପ୍ରତି ମ୍ୟାଚ୍ ଅତି ଗୁରୁତ୍ବପୂର୍ଣ୍ଣ। ଆମେ ଗୋଟିଏ ଦଳ ଭାବେ ନିରନ୍ତର ଭାବେ ଭଲ ଖେଳିବା ଲାଗି ଚେଷ୍ଟା କରୁଛୁ। ଦଳର ସମସ୍ତ ଖେଳାଳିଙ୍କ ମୁଣ୍ଡରେ ଅଲିମ୍ପିକ୍ ହିଁ ଅଛି। ଏଥିପାଇଁ ଏହି ପ୍ରତିଯୋଗିତାରେ‌ ଶ୍ରେଷ୍ଠ ଦେବାକୁ ଖେଳାଳିମାନେ ପ୍ରସ୍ତୁତ ବୋଲି କହିଛନ୍ତି ଦଳର ପୂରୋଭାଗ ଖେଳାଳି ଗୁରଜାଣ୍ଟ ସିଂହ। ଗତ ବର୍ଷ ଆମେ ବେଲ୍‌ଜିୟମ ଗସ୍ତ କରିଥିଲୁ ଏବଂ ଆମର ସବୁ ମ୍ୟାଚ୍‌ ଜିତିଥିଲୁ। ଏହି ଫଳ ଆମକୁ ଦୃଢ଼ ବିଶ୍ବାସ ଦେଇଛି। ସମସ୍ତ ଏଫ୍‌ଆଇଏଚ୍ ହକି ପ୍ରୋ-ଲିଗ୍‌ ମ୍ୟାଚ୍ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତି। ବିଶ୍ବର ସମସ୍ତ ଶ୍ରେଷ୍ଠ ଦଳ ଏହି ପ୍ରତିଯୋଗିତାରେ ଖେଳୁଛନ୍ତି। ସଂପ୍ରତି ଭାରତୀୟ ଦଳ ଭଲ କରୁଛି। ଗତ ମାସରେ ବିଶ୍ବର ତୃତୀୟ ସ୍ଥାନରେ ଥିବା ନେଦରଲାଣ୍ଡକୁ ଆମେ ହରାଇଛୁ। ଏହା ଦଳର ଆତ୍ମବିଶ୍ବାସ ବଢ଼ାଇଛି ବୋଲି ୨୫ ବର୍ଷୀୟ ଗୁରଜାଣ୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe