Advertisment

କଳିଙ୍ଗରେ ଆଜିଠୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଭାରତ-ନ୍ୟୁଜିଲାଣ୍ଡ ଉଦ୍‌ଘାଟନୀ ମୁକାବିଲା

Advertisment
କଳିଙ୍ଗରେ ଆଜିଠୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଭାରତ-ନ୍ୟୁଜିଲାଣ୍ଡ ଉଦ୍‌ଘାଟନୀ ମୁକାବିଲା

ଭୁବନେଶ୍ବର: ଗତ କିଛିଦିନ ହେବ କ୍ରୀଡ଼ାକୁ ନେଇ ଚଳଚଞ୍ଚଳ ରହିଛି କଳିଙ୍ଗ ‌ଷ୍ଟାଡିୟମ୍‌। ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଆରମ୍ଭ ହୋଇଥିଲା ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତା। ଘରୋଇ ଦଳ ଓଡ଼ିଶା ଏଫ୍‌ସି ଏଠାରେ ଦୁଇଟି ମ୍ୟାଚ୍‌ ଖେଳିଥିଲା। ଫୁଟ୍‌ବଲ୍‌ ସରୁସରୁ ଏବେ କଳିଙ୍ଗକୁ ଫେରିଛି ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌। ଶୁକ୍ରବାରଠୁ ଏହି ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ କଳିଙ୍ଗରୁ ଆରମ୍ଭ ହେଉଛି। ଏଠାରେ ଭାରତ, ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ନିଜ ନିଜ ମଧ୍ୟରେ ୨ ଲେଖାଏଁ ମ୍ୟାଚ୍‌ ଖେଳିବେ। ବିଶ୍ବକପ୍‌ ଏଠାରେ ଖେଳାଯିବାକୁ ଥିଲା ବେଳେ ପିଚ୍‌ ମଧ୍ୟ ନୂତନ ଭାବେ ପ୍ରସ୍ତୁତ ହୋଇଛି। ବିଶ୍ବକପ୍‌ ପୂର୍ବରୁ ଏହି ୩ ଦଳ ପିଚ୍‌କୁ ପରଖିବାର ସୁଯୋଗ ପାଇଯିବେ। ଶୁକ୍ରବାର ଉଦ୍‌ଘାଟନୀ ମୁକାବିଲାରେ ଘରୋଇ ଦଳ ଭାରତ ଭେଟିବ ନ୍ୟୁଜିଲାଣ୍ଡକୁ। ଏହି ମ୍ୟାଚ୍‌ ରାତି ୭ଟାରେ ଖେଳାଯିବ। ଶନିବାର ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ଏବଂ ରବିବାର ଭାରତ-ସ୍ପେନ୍‌ ମ୍ୟାଚ୍‌‌ ପରେ ପ୍ରଥମ ଚରଣ ଶେଷ ହେବ। ଏହି କ୍ରମରେ ଦ୍ବିତୀୟ ଚରଣ ଆସନ୍ତା ମାସ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଗତ ସଂସ୍କରଣରେ ନେଦରଲାଣ୍ଡ୍ସ ଓ ବେଲ୍‌ଜିୟମ ପଛକୁ ଭାରତ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା। ତୃତୀୟ ସଂସ୍କରଣରେ ଭାରତ ୬୨ ଗୋଲ୍‌ ଦେଇଥିଲା। ଯାହା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଗୋଟିଏ ଋତୁରେ ଯେକୌଣସି ଦଳ ପାଇଁ ସର୍ବାଧିକ ଥିଲା। ବିଶ୍ବକପ୍‌ ଆୟୋଜକ ଭାବେ ଭାରତ ପାଇଁ ଏହି ପ୍ରତିଯୋଗିତା ଗୁରୁତ୍ବପୂର୍ଣ୍ଣ। ତେଣୁ ପ୍ରୋ ଲିଗ୍‌ ଋତୁ ଦମ୍‌ଦାର୍‌ ଭାବେ ଆରମ୍ଭ କରିବା ଲକ୍ଷ୍ୟରେ ରହିବ ଘରୋଇ ଦଳ। ‘‘ବିଶ୍ବକପ୍‌ ପୂର୍ବରୁ ଏହି ପ୍ରତିଯୋଗିତା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। କହିବାକୁ ଗଲେ ଏହା ଆମର ବିଶ୍ବକପ୍‌ ପ୍ରସ୍ତୁତ ପାଇଁ ସୁଯୋଗ। ଖେଳାଳିଙ୍କୁ ପରିଖି ପାରିବୁ। ଗତ ସଂସ୍କରଣରେ କ’ଣ ହୋଇଥିଲା ତାହାକୁ ଭୁଲି ନୂଆ ଆରମ୍ଭକୁ ଅପେକ୍ଷା କରିଛୁ। ଅଧିକ ବିକଳ୍ପ ପ୍ରସ୍ତୁତ ରଖିବା ଲାଗି ପରୀକ୍ଷାନିରୀକ୍ଷା କରିବୁ। ‌ଏଥିପାଇଁ ହର୍ମନପ୍ରୀତ ସିଂହଙ୍କୁ ଅଧିନାୟକ ନିଯୁକ୍ତି କରିଛୁ। ନ୍ୟୁଜିଲାଣ୍ଡ ଭଲ ଦଳ। ଆମେ କୌଣସି ଦଳକୁ ଗୌଣ ମନେକରୁନୁ। ଏଠାରେ ଅଭ୍ୟାସ ଭଲ ରହିଛି। ଆସନ୍ତାକାଲି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ’’ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌ କହିଛନ୍ତି। ‘‘ମୋତେ ଅଧିନାୟକ ଭଳି ଗୁରୁଦାୟିତ୍ବ ମିଳିଛି। ଏହାକୁ ସଠିକ୍‌ ଭାବେ ପାଳନ କରିବାକୁ ଚେଷ୍ଟା କରିବି। ବିପକ୍ଷରେ ଯେ କୌଣସି ଦଳ ଥାଉ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଗୁରୁତ୍ବ ଦେବୁ। ଭୁବନେଶ୍ବରରେ ଅନେକ ମ୍ୟାଚ୍‌ ଖେଳିଛୁ। ଏଠାକାର ଦର୍ଶକ ଆମକୁ ସମର୍ଥନ ଦେଇଆସୁଛନ୍ତି। ଏହା ଆମ ପ୍ରଦର୍ଶନରେ ଉନ୍ନତ ଆଣିବାରେ ବଳ ଯୋଗାଉଛି’’ ବୋଲି ହର୍ମନପ୍ରୀତ ସିଂହ କହିଛନ୍ତି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ କୋଭିଡ ମହାମାରୀ ପାଇଁ ଗତ ଋତୁରେ ଅଂଶଗ୍ରହଣ କରିନଥିଲା। ଏବେ ଦଳ ପ୍ରୋ ଲିଗ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ପୂର୍ବରୁ ଦୁଇ ଥର ପ୍ରୋ ଲିଗ୍‌ରେ ଖେଳିଥିଲେ ମଧ୍ୟ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ସେତେଟା ଭଲ ନାହିଁ। ପ୍ରଥମ ଦୁଇ ଋତୁରେ ଦଳ ଅ‌ଷ୍ଟମ ସ୍ଥାନରେ ରହିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନ୍ୟୁଜିଲାଣ୍ଡ ପଞ୍ଚମ ସ୍ଥାନରେ ରହିଥିବାରୁ ‌ପ୍ରୋ ଲିଗ୍‌ ଚତୁର୍ଥ ସଂସ୍କରଣରେ ଭଲ ଆରମ୍ଭ କରିବା ଲକ୍ଷ୍ୟରେ ରହିବ। ଉଦ୍‌ଘାଟନୀ ମୁକାବିଲା ଘରୋଇ ଦଳ ସହ ଥିବାରୁ ଏହି ଦଳକୁ ପରାସ୍ତ କରିବା ସହଜ ହେବନି। ‘‘ଗତ ସଂସ୍କରଣରେ କରୋନା ପାଇଁ ଖେଳିପାରିନଥିଲୁ। ୟୁରୋପିଆନ୍‌ ଲିଗ୍‌ରେ ଆମେ ଭଲ କରି ଏହି ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଛୁ। କାଲି ଆମ ସମ୍ମୁଖରେ ଘରୋଇ ଦଳ ଥିବାରୁ ନିଶ୍ଚିତ ଆହ୍ବାନପୂର୍ଣ୍ଣ ହେବ। କିନ୍ତୁ ଭୁବନେଶ୍ବରରେ ବିଶ୍ବକପ୍‌ କିଛି ମାସ ପରେ ଆରମ୍ଭ ହେବ। ଏହି ମ୍ୟାଚ୍‌ ଖେଳାଳିମାନଙ୍କୁ ଅଭିଜ୍ଞତା ଦେବ। ଯାହା ଦଳ ପାଇଁ ସକାରାତ୍ମକ ହେବ। ବିଶ୍ବକପ୍‌ ପୂର୍ବ ଅଭ୍ୟାସ ସହ ଏହି ପ୍ରତିଯୋଗିତା ସମାନ ହେବ।’’ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ନ୍ୟୁଜିଲାଣ୍ଡ ମୁଖ୍ୟ ପ୍ରଶିକ୍ଷକ ଗ୍ରେଗ୍‌ ନିକୋଲ କହିଛନ୍ତି।

‘‘ଆମେ ଗତଥର ବିଶ୍ବକପ୍‌ ଏଠାରେ ଖେଳିଥିଲୁ। ପୁଣି ଥରେ ବିଶ୍ବକପ୍‌ ଖେଳିବାକୁ ଏଠାକୁ ଆସିବୁ। ଏହା ପୂର୍ବରୁ ପ୍ରୋ ଲିଗ୍‌ ଖେଳିବାର ସୁଯୋଗ ପାଇଥିବାରୁ ବହୁତ ଖୁସି। ବିଶ୍ବକପ୍‌ ପୂର୍ବରୁ ପିଚ୍‌ ସହ ବିପକ୍ଷ ଦୁଇ ଦଳର ପ୍ରଦର୍ଶନକୁ ମଧ୍ୟ ପରିଖି ପାରିବୁ। ଯାହା ଆଗାମୀ ବିଶ୍ବକପ୍‌‌ ଲାଗି ସହାୟତା ଦେବ’’ ବୋଲି ଜେକ୍‌ ସ୍ମିଥ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe