ଧାନଖଳା ଓ ଇଟାକୁ ସାଥୀ କରିଛନ୍ତି ଫିଲିସିଆ

Advertisment
ଧାନଖଳା ଓ ଇଟାକୁ ସାଥୀ କରିଛନ୍ତି ଫିଲିସିଆ

ଭୁବନେଶ୍ବରର: କରୋନା ପାଇଁ ଘୋଷଣା ହୋଇଥିବା ଗୃହାବଦ୍ଧ ନିୟମ ଯୋଗୁଁ ବାହାରକୁ ଯାଇ ଅଭ୍ୟାସ କରିବା ସମ୍ଭବ ହେଉନି। ଦଳ ଓ ସାଥୀ ଖେଳାଳିଙ୍କଠାରୁ ମଧ୍ୟ ଦୂରେଇ ରହିବାକୁ ପଡ଼ୁଛି। ନା ପ୍ରଶିକ୍ଷକ ଅଛନ୍ତି ନା ସିନ୍ଥେଟିକ୍ ଟର୍ଫ। ତଥାପି ନିୟମିତ ହକି ଅଭ୍ୟାସରୁ ଦୂରେଇ ନାହାନ୍ତି ଓଡ଼ିଶାର ଉଦୀୟମାନ ମହିଳା ହକି ତାରକା ଫିଲିସିଆ ଟପ୍ପୋ। ବାଡ଼ି ପଛରେ ଥିବା ଧାନ ଖଳାକୁ ସେ ଟର୍ଫ ଭାବେ ବାଛିଥିଲା ବେଳେ ଇଟା ଖଣ୍ଡକୁ ଫୁଟେ ଦୁଇ ଫୁଟ ବ୍ୟବଧାନରେ ରଖି ନିଜ ଡ୍ରିଭିଲିଂ କଳାକୁ ଆହୁରି ଶାଣିତ କରିବାରେ ଲାଗିଛନ୍ତି ସେ। ସେହିଭଳି କାନ୍ଥକୁ ହକି ଷ୍ଟିକରେ ବଲ୍ ମାରି ଆକ୍ରମଣ ଦକ୍ଷତାକୁ ବଢ଼ାଉଛନ୍ତି। ତା’ ସହ କରୋନା ନିୟନ୍ତ୍ରଣର ବାର୍ତ୍ତା ଦେବାକୁ ଭୁଲି ନାହାନ୍ତି ଏହି ସୁନ୍ଦରଗଡ଼ ଝିଅ। ସମସ୍ତଙ୍କୁ ଘରେ ରହିବା ପାଇଁ ଆହ୍ବାନ କରିବା ସହ ମାସ୍କ ପିନ୍ଧି ବାହାରକୁ ବାହାରିବାକୁ ପରାମର୍ଶ ଦେଇଛନ୍ତି ଫିଲିସିଆ। ତେବେ କରୋନା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ସ୍ଥଗିତ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସେ। ଟର୍ଫକୁ ଯିବାକୁ ବ୍ୟଗ୍ର ଥିବା ଫିଲିସିଆ ଯେତେ ଶୀଘ୍ର କରୋନା ବିପଦ ଟଳିବ, କ୍ରୀଡ଼ା ଜଗତ ପାଇଁ ସେତେ ଭଲ ହେବ ବୋଲି ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରର କୁକୁଡ଼ା ପଞ୍ଚାୟତର କୁକୁଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଫିଲିସିଆଙ୍କ ପିତା ଟିଲିସଫର ଟପ୍ପୋ ଓ ମା ଉର୍ସିଲା ଟପ୍ପୋଙ୍କର ପରଲୋକ ହୋଇ ଯାଇଥିଲା ବେଳେ ୪ ଭାଇ ଭଉଣୀଙ୍କ ମଧ୍ୟରୁ ସେ ସବା ସାନ। ସଂପ୍ରତି ସେ ନିଜ ପରିବାର ସହ ସମୟ କଟାଉଛନ୍ତି। ଫିଲିସିଆ ୨୦୧୨ରେ ହକି ଖେଳିବା ଆରମ୍ଭ କରିଥିଲେ। ୨୦୧୩ରେ କ୍ରୀଡ଼ା ଛାତ୍ରାବାସରେ ଯୋଗଦେବା ସହ ୯ଟି ଜାତୀୟ ସ୍ତରୀୟ ମ୍ୟାଚ୍ ଖେଳିଛନ୍ତି। ୨୦୧୮ରେ ଫ୍ରାନ୍ସ ବିପକ୍ଷରେ ସେ ମଧ୍ୟ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe