କଟକରେ କାକର ଚିନ୍ତା, ଉଭୟ ଦଳରେ ପରିବର୍ତନ ଆଶା

Advertisment
କଟକରେ କାକର ଚିନ୍ତା, ଉଭୟ ଦଳରେ ପରିବର୍ତନ ଆଶା

କଟକ: ରବିବାରର ବାରବାଟୀ ମୁକାବିଲାରେ କାକର ଉଭୟ ଦଳ ପାଇଁ ଚିନ୍ତାର କାରଣ ହେବ। ଅଭ୍ୟାସ ପରେ ଭାରତୀୟ ଯୁବ ତାରକା ଶ୍ରେୟସ୍ ଆୟର ମଧ୍ୟ ଏକଥା ସ୍ବୀକାର କରିଥିଲେ। ଶୀତ ଦିନରେ କଟକରେ ରାତିରେ ପ୍ରବଳ କାକର ପଡ଼ୁ ଥିବାରୁ ଟସ୍‌ର ଗୁରୁତ୍ବ ବଢ଼ିଯିବ। ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ଟସ୍ ଜିତିଥିଲେ। କଟକରେ ଭାଗ୍ୟ ସାଥ୍ ଦେଲେ କୋହଲି ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଟସ୍ ଜିତିବେ। ‌ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ଦଳ ଟସ୍ ଜିତିବ, ସିଏ ପ୍ରଥମେ ବୋଲିଂ କରିବାକୁ ଚାହିଁବ।

ଉଭୟ ଦଳରେ ପରିବର୍ତନ ଆଶା
ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଭାରତ ଦୁଇ ଜଣ ଦ୍ରୁତ ବୋଲରଙ୍କୁ ହରାଇ ସାରିଛି। ଭୁବନେଶ୍ବର କୁମାର ପୂର୍ବରୁ ବାଦ୍ ପଡ଼ିଥିଲା ବେଳେ ବିଶାଖାପାଟଣାରେ ଆହତ ହୋଇ ଦୀପକ ଚହର ମଧ୍ୟ ଦଳରୁ ଦୂରେଇ ଯାଇଛନ୍ତି। ଭାରତ ଦୁଇ ଜଣ ଦ୍ରୁତ ବୋଲରଙ୍କୁ ଖେଳାଇଲେ ନଭଦୀପ ସଇନି ଓ ସାର୍ଦୁଲ ଠାକୁରଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବେ। ଦୁଇ ଜଣ ବିଶେଷଜ୍ଞ ସ୍ପିନରଙ୍କ ସପକ୍ଷରେ ଗଲେ ୟୁଜବେନ୍ଦ୍ର ଚହଲଙ୍କ ଖେଳିବା ସମ୍ଭାବନା ରହିବ। ୱେଷ୍ଟଇଣ୍ଡିଜ୍ ଦଳରେ ବଡ଼ ଧରଣର ପରିବର୍ତନ ଆଶା କମ୍। ତଥାପି ଲେଗ୍ ସ୍ପିନର ହେଡେନ୍ ୱାଲ୍ସଙ୍କ ସ୍ଥାନ ଖାରି ପିଏରେ ନେଇପାରନ୍ତି। କାରଣ ବିଶାଖାପାଟଣାରେ ୱାଲ୍ସ ମାତ୍ର ୫ ଓଭର ବୋଲିଂ କରିଥିଲେ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ଋଷବ ପନ୍ତ, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ନଭଦୀପ ସଇନି, ସାର୍ଦୁଲ ଠାକୁର/ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ ୱେ‌ଷ୍ଟଇଣ୍ଡିଜ୍: ଏଭିନ ଲୁଇସ୍, ସାଇ ହୋପ୍, ସିମରନ୍ ହେଟମେୟର, ରସ୍ତନ ଚେଜ୍, ନିକୋଲାସ ପୂରନ, କିରଣ ପୋଲା‌ର୍ଡ (ଅଧିନାୟକ), ଜାସନ ହୋଲ୍ଡର, କିମୋ ପଲ୍, ଆଲଜେରି ଯୋଶେଫ, ଖରି ପିଏରେ ‌ସେଲଡନ୍ କଟ୍ରେଲ।

ଅଷ୍ଟ୍ରେଲିଆ ବିପକ୍ଷ ଭୁଲ ସୁଧାରିବା ସୁଯୋଗ
ଭାରତ ଏହା ପୂର୍ବରୁ ଅଷ୍ଟ୍ରେଲିଆ ସହ ଖେଳିଥିବା ପାଞ୍ଚ ଟିକିଆ ଘରୋଇ ଦିନିକିଆ ଶୃଙ୍ଖଳାରେ ୨-୨ ସ୍ଥିତିରେ ଥିଲା ବେଳେ ପଞ୍ଚମ ତଥା ‌ଶେଷ ମୁକାବିଲାରେ ପରାଜିତ ହୋଇ ଶୃଙ୍ଖଳା ହାତଛଡ଼ା କରିଥିଲା। ଏଥର ବି ଟିମ୍ ଇଣ୍ଡିଆ ସେହି ସ୍ଥିତିରେ ରହିଛି। ଶୃଙ୍ଖଳା ୧-୧ ସ୍ଥିତିରେ ଥିଲା ବେଳେ କଟକରେ ଶୃଙ୍ଖଳା ନିର୍ଣ୍ଣାୟକ ଖେଳିବାକୁ ଯାଉଛି। ଏହି ମ୍ୟାଚ୍ ଜିତିଲେ କୋହଲି ବାହିନୀ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିବା ତ୍ରୁଟିକୁ ସୁଧାରି ପାରିବ। ବାରବାଟୀରେ ରବିବାର ମଧ୍ୟ ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ। କାରଣ ଶେଷ ଥର ପାଇଁ ଏଠାରେ ଖେଳା ଯାଇଥିବା ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୩୮୧ ରନ୍ କରିଥିଲା। ଏହାର ଜବାବରେ ପ୍ରତିପକ୍ଷ ଇଂଲଣ୍ଡ ୮ ୱିକେଟ୍ ବିନିମୟରେ ୩୬୬ ରନ୍ କରିଥିଲା।

ଟସ୍ ମହତ୍ବପୂର୍ଣ୍ଣ, ହେଲେ ଏହା ସବୁ କିଛି ନୁହେଁ। ପଡ଼ିଆ ଓ ପିଚ୍‌ର ସ୍ବଭାବ ମଧ୍ୟ ଅନେକାଂଶରେ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ କରିଥାଏ। ଏଣୁ ଆମେ ଟସ୍‌କୁ ନେଇ ସେ‌ତେଟା ଚିନ୍ତିତ ନାହୁଁ। ଆମେ ଜାଣିଛୁ ଘରୋଇ ପରିବେଶରେ ଭାରତ ବହୁତ ଶକ୍ତିଶାଳୀ। ଆମେ ଆମ ଶ୍ରେଷ୍ଠ ପ୍ରଦର୍ଶନ ଦେଲେ ମଧ୍ୟ ଏଠାରେ ଭାରତକୁ ହରାଇ ନପାରୁ। ହେଲେ ଆମ ଦଳ ଏକ ଲକ୍ଷ୍ୟ ସ୍ଥିର କରିଛି। ଆଉ ଆମେ ଏହି ଦିଗରେ ଦ୍ରୁତଗତିରେ ଆଗକୁ ବଢ଼ି ଚାଲିଛୁ। ବାରବାଟୀ ଦିନିକିଆର ହାର୍ ଜିତ୍ ଆମର ସେହି ଲକ୍ଷ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଶନିବାର ସମ୍ବାଦିକ ସମ୍ମିଳନୀରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଫିଲ୍ ସିମନ୍ସ ଏହା କହିଥିଲେ। ସେହିଭଳି ବିଶାଖାପାଟଣାରେ କରିଥିବା ତ୍ରୁଟିକୁ ଭୁଲି ବାରବାଟୀରେ କ୍ଷେତ୍ରରକ୍ଷଣ ଏବଂ କ୍ୟାଚିଂରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ ବୋଲି ସେ ମତ ରଖିଥିଲେ। ପ୍ରଥମ ଦୁଇ ଦିନିକିଆରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ଭୁଲ ନିଷ୍ପତ୍ତି ନଥିଲା ବୋଲି ସେ ଏହି ଅବସରରେ ଜୋର ଦେଇ କହିଥିଲେ। ‌ସେଲଡନ୍ କଟ୍ରେଲ ଆଇପିଏଲ୍ ନିଲାମରେ ୮.୫ କୋଟି ଟଙ୍କାରେ ବିକ୍ରି ହେବାକୁ ତାଙ୍କ ଜୀବନର ମୋଡ଼ ବଦଳାଇ ଦେବା ଘଟଣା ଭାବେ ବର୍ଣ୍ଣନା କରିଥିଲେ ସେ। ୩୨୫ରୁ ଅଧିକ ରନ୍ ବାରବାଟୀରେ ଏକ ଆହ୍ବାନପୂର୍ଣ୍ଣ ସ୍କୋର ହେବ ବୋଲି ସିମନ୍ସ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe