ପର୍ଥ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଆସେସ୍ ଟେଷ୍ଟ୍ ପର୍ଥରେ ଶୁକ୍ରବାରଠୁ ଆରମ୍ଭ ହୋଇଛି। ଆରମ୍ଭରୁ ପର୍ଥ ପିଚ୍ ଅଲୋଡ଼ା ରେକର୍ଡ କରିଛି। ପ୍ରଥମ ଦିନରେ ୧୯ ୱିକେଟ୍ ପତନ ଘଟିଛି। ଯାହା ଆସେସ୍ ଇତିହାସରେ ୧୧୬ ବର୍ଷ ପରେ ପ୍ରଥମ ଥର ଦେଖିବାକୁ ମିଳିଛି। ଶେଷ ଥର ଲାଗି ୧୯୦୯ରେ ଓଲ୍ଡ ଟ୍ରାଫୋର୍ଡ ଆସେସ୍ ଟେଷ୍ଟ୍ ପ୍ରଥମ ଦିନରେ ୧୮+ ୱିକେଟ୍ ଝଡ଼ିଥିଲା। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୪୭ ଓ ଇଂଲଣ୍ଡ ୧୧୯ କରି ସମସ୍ତ ୱିକେଟ୍ ହରାଇବାରୁ ଉଭୟ ଦଳ ମୋଟ ୨୦ ୱିକେଟ୍ ଝଡ଼ିଥିଲା।
ଷ୍ଟାର୍କଙ୍କୁ ୭, ଷ୍ଟୋକ୍ସଙ୍କୁ ୫ ୱିକେଟ୍
ଶୁକ୍ରବାର ପର୍ଥ ଷ୍ଟାଡିୟମ୍ରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା। ମିଚେଲ ଷ୍ଟାର୍କ (୭/୫୮)ଙ୍କ ବୋଲିଂ ସଫଳତା ଯୋଗୁଁ ଇଂଲଣ୍ଡ ୩୨.୫ ଓଭରରେ ୧୭୨ ରନ୍ରେ ଅଲ୍ଆଉଟ୍ ହୋଇଛି। ପ୍ରଥମ ୱିକେଟ୍ ଶୂନରେ ହରାଇଥିବା ଇଂଲଣ୍ଡ ବେନ୍ ଡକେଟ୍ (୨୧) ଓ ଓଲି ପୋପ୍ ଦ୍ବିତୀୟ ୱିକେଟ୍ରେ ୩୩ ରନ୍ ଯୋଡ଼ିଥିଲେ। ଏହା ପରେ ପରେ ଜୋ ରୁଟ୍ (୦)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଇଂଲଣ୍ଡ। ତେବେ ପୋପ୍ (୪୬) ଓ ହାରି ବ୍ରୁକ୍ ଚତୁର୍ଥ ୱିକେଟ୍ରେ ୫୫ ରନ୍ରେ ସ୍ଥିତି ସମ୍ଭାଳିଥିଲେ। ପୋପ୍ଙ୍କ ଆଉଟ୍ ପରେ ବେନ୍ ଷ୍ଟୋକ୍ସ (୬) ସଅଳ ପ୍ୟାଭିଲିୟନ୍ ଫେରିଥିଲେ। ବୋଲର ସହଯୋଗୀ ଏହି ପିଚ୍ରେ ହାରି ବ୍ରୁକ୍ (୫୨) ଅର୍ଦ୍ଧଶତକ ଅର୍ଜନ କରି ଜାମି ସ୍ମିଥ୍ (୩୩)ଙ୍କ ସହ ୪୫ ରନ୍ ଯୋଡ଼ି ଦଳୀୟ ସ୍କୋର୍କୁ ୧୬୦ରେ ପହଞ୍ଚାଇଥିଲେ। ତେବେ ଶେଷ ୪ ୱିକେଟ୍ ମାତ୍ର ୧୨ ରନ୍ରେ ହରାଇ ଇଂଲଣ୍ଡ ୧୭୨ ରନ୍ରେ ଅଟକି ଯାଇଥିଲା।
ଜବାବରେ ଇଂଲଣ୍ଡ ଦ୍ରୁତ ବୋଲର ମଧ୍ୟ ଚମତ୍କାର ବୋଲିଂ କରି ଅଷ୍ଟ୍ରେଲିଆର ୯ ୱିକେଟ୍ ମାତ୍ର ୧୨୩ ରନ୍ରେ ଝାଡ଼ି ଦେଇଛନ୍ତି। ଫଳରେ ଏବେ ଘରୋଇ ଦଳ ୪୯ ରନ୍ ପଛରେ ରହିଛି। ଷ୍ଟମ୍ପ୍ସ ବେଳକୁ ନାଥନ ଲାୟନ (୩*) ଓ ବ୍ରେଣ୍ଡନ ଡଗେଟ୍ (୦*)ରେ ବ୍ୟାଟିଂ କରୁଥିଲେ। ପାଳି ଆରମ୍ଭରୁ ଅଷ୍ଟ୍ରେଲିଆକୁ ମାନସିକ ଝଟ୍କା ମିଳିଥିଲା। କ୍ଷେତ୍ରରକ୍ଷଣ ବେଳେ ବ୍ୟାଟିଂ ପାଇଁ ଆବଶ୍ୟକ ସମୟ ପଡ଼ିଆରେ ନଥିବାରୁ ଉସ୍ମାନ ଖୱାଜାଙ୍କୁ ଓପନିଂ କରିବାର ସୁଯୋଗ ମିଳି ନଥିଲା। ଫଳରେ ମାର୍ନସ ଲବୁସାନଙ୍କ ସହ ପଦାର୍ପଣକାରୀ ଜାକ୍ ୱେଦରାଲ୍ଡ ଓପନିଂ ଆସିଥିଲେ। ଦ୍ବିତୀୟ ବଲ୍ରେ ରନ୍ କରିବା ପୂର୍ବରୁ ୱେଦରାଲ୍ଡ (୦)ଙ୍କୁ ଜୋଫ୍ରା ଆର୍ଚର ପ୍ୟାଭିଲିୟନ୍ ପଠାଇ ଦେଇଥିଲେ। ଅଧିନାୟକ ଷ୍ଟିଭ୍ ସ୍ମିଥ୍ ତୃତୀୟ ସ୍ଥାନରେ ଆସିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ପରେ ପରେ ଲବୁସାନ (୯), ସ୍ମିଥ୍ (୧୭) ଓ ଖୱାଜା (୨) ଆଉଟ୍ ହେବାରୁ ଘରୋଇ ଦଳ ୩୧/୪ରେ ସଂଘର୍ଷ କରିଥିଲା। ଏହାପରେ କାମେରୁନ ଗ୍ରିନ୍ (୨୪), ଟ୍ରାଭିସ ହେଡ୍ (୨୧), ଆଲେକ୍ସ କ୍ୟାରି (୨୬), ଷ୍ଟାର୍କ (୧୨) ଓ ସ୍କଟ୍ ବୋଲାଣ୍ଡ୍ (୦)ଙ୍କୁ ବେନ୍ ଷ୍ଟୋକ୍ସ୍ ଆଉଟ୍ କରି ୫ ୱିକେଟ୍ ସଫଳତା ପାଇଥିଲେ। ଆର୍ଚର ଓ ବ୍ରାଏଡନ୍ କାର୍ସ ୨ ଲେଖାଏଁ ୱିକେଟ୍ ନେଇଥିଲେ।
Follow Us