Advertisment

ଫଲୋଅନ୍ ବିପଦ ଟଳିଲା: ବଞ୍ଚାଇଲେ ରାହୁଲ, ଜାଡ଼େଜା, ଦୀପ୍‌-ବୁମ୍‌ରା

Advertisment

ୱଲୁନ୍‌ଗାବାରେ ଭାରତ ପ୍ରଥମ ପାଳିରେ ଏ ପର୍ଯ୍ୟନ୍ତ ୭୫ ଓଭର ଖେଳିଛି। ଏହା ଭିତରେ ଅଷ୍ଟ୍ରେଲିଆର ଶାଣିତ ପେସ୍‌ ବୋଲିଂ ଏବଂ ୧୨ ଥର ବର୍ଷା ବାଧା ପାଇଁ ଅଟକିବା-ଖେଳିବାର ଚରମ ଆହ୍ବାନକୁ ସମ୍ମୁଖୀନ ହେବାକୁ ପଡ଼ିଛି।

ୱଲୁନ୍‌ଗାବାରେ ଭାରତ ପ୍ରଥମ ପାଳିରେ ଏ ପର୍ଯ୍ୟନ୍ତ ୭୫ ଓଭର ଖେଳିଛି। ଏହା ଭିତରେ ଅଷ୍ଟ୍ରେଲିଆର ଶାଣିତ ପେସ୍‌ ବୋଲିଂ ଏବଂ ୧୨ ଥର ବର୍ଷା ବାଧା ପାଇଁ ଅଟକିବା-ଖେଳିବାର ଚରମ ଆହ୍ବାନକୁ ସମ୍ମୁଖୀନ ହେବାକୁ ପଡ଼ିଛି।

sfsfsffs

ବ୍ରିସବେନ୍‌: ୱଲୁନ୍‌ଗାବାରେ ଭାରତ ପ୍ରଥମ ପାଳିରେ ଏ ପର୍ଯ୍ୟନ୍ତ ୭୫ ଓଭର ଖେଳିଛି। ଏହା ଭିତରେ ଅଷ୍ଟ୍ରେଲିଆର ଶାଣିତ ପେସ୍‌ ବୋଲିଂ ଏବଂ ୧୨ ଥର ବର୍ଷା ବାଧା ପାଇଁ ଅଟକିବା-ଖେଳିବାର ଚରମ ଆହ୍ବାନକୁ ସମ୍ମୁଖୀନ ହେବାକୁ ପଡ଼ିଛି। ଏଭଳି ପ୍ରତିକୂଳ ପରିବେଶ ଓ ପାଗ ଭିତରେ ଭାରତୀୟ ଖେଳାଳି କଷ୍ଟେମଷ୍ଟେ ଫଲୋଅନ୍ ଏଡ଼ାଇ ପ୍ରଥମ ଲକ୍ଷ୍ୟକୁ ଅତିକ୍ରମ କରିଯାଇଛନ୍ତି। ସମ୍ପୂର୍ଣ୍ଣ ବିପଦ ଟଳି ନଥିଲେ ମଧ୍ୟ ଭାରତୀୟ ଖେଳାଳି ମଙ୍ଗଳବାର ଡ୍ର’ ରଖିବାର ଆଶା ସଞ୍ଚାର କରିଛନ୍ତି। ଭାରତୀୟ ଦଳ ଚତୁର୍ଥ ଦିନ ଖେଳ ବନ୍ଦ ବେଳକୁ ୯ ୱିକେଟ୍‌ ବିନିମୟରେ ୨୫୨ ରନ୍ ସଂଗ୍ରହ କରିଛି। ଏବେ ବି ରୋହିତ ଶର୍ମାଙ୍କ ଦଳ ୧୯୩ ରନ୍ ପଛରେ ରହିଛି। ଆଉ ଗୋଟିଏ ଦିନ‌ ଖେଳ ଥିବାରୁ ଭାରତ ଶୃଙ୍ଖଳାରେ ପଛରେ ପଡ଼ି ନଯିବାର ବିଶ୍ବାସ ଫେରିଛି। ନବେ ଦଶକ ଓ ନୂଆ ଶତାବ୍ଦୀ ପ୍ରାରମ୍ଭରେ ଭାରତୀୟ ଖେଳାଳି ଅଷ୍ଟ୍ରେଲିଆରେ ସଂଘର୍ଷ କରିଥିବା ସ୍ବାଭାବିକ କଥା ଥିଲେ ମଧ୍ୟ ବିଗତ ଦୁଇ ଗସ୍ତ (୨୦୧୮-୧୯ ଓ ୨୦୨୦-୨୧)ରେ ଶୃଙ୍ଖଳା ଜିତି ନୂଆ ଧାରାକୁ ଫେରିଥିଲା। ପୂର୍ବ ଦୁଇ ଥର ସିଡ୍‌ନିରେ ହନୁମା ବିହାରୀ, ଆର୍ ଅଶ୍ବିନ ଲଢ଼ିଥିଲେ। ଗାବାରେ ନଭଦୀପ ‌ସୈନି ରନ୍ ସଂଗ୍ରହ କରିପାରିନଥିଲେ ମଧ୍ୟ ଋଷଭ ପନ୍ତ୍‌ଙ୍କୁ ନୂଆ ଇତିହାସ ସୃଷ୍ଟି କରିବାରେ ବଡ଼ ଯୋଗଦାନ ରଖିଥିଲେ। ଏଥର ଭାରତର ଶେଷ ଯୋଡ଼ି ଯଶପ୍ରୀତ୍ ବୁମ୍‌ରା ଓ ଆକାଶ ଦୀପ୍ ସିଂହ ଦେଖାଇଛନ୍ତି ସାହସିକ ବ୍ୟାଟିଂ। ଯାହା ଫଳରେ ଭାରତ ଫଲୋଅନ୍ ଏଡ଼ାଇ ପାରିଛି।

ମଙ୍ଗଳବାର ଭାରତ ୫୧/୪ରୁ ଖେଳିବା ମାତ୍ରେ ସକାଳର ପ୍ରଥମ ବଲ୍‌ରେ କେଏଲ୍ ରାହୁଲଙ୍କୁ ସ୍ଲିପ୍‌ରେ ଷ୍ଟିଭେନ୍ ସ୍ମିଥ୍ ହାତଛଡ଼ା କରିଦେଇଥିଲେ। ଏହାର କିଛି ସମୟ ପରେ ରୋହିତ ଶର୍ମା (୧୦)ଙ୍କୁ ପ୍ୟାଟ୍ କମିନ୍ସ ୱିକେଟ୍‌ରକ୍ଷକ ଆଲେକ୍ସ କ୍ୟାରିଙ୍କ ଗ୍ଲୋଭ୍‌ସରେ କାବୁ କରି ନେଇଥିଲେ। ଭାରତ ୭୪/୫ରେ ସଂଘର୍ଷ କରିବାରୁ ଫଲୋଅନ୍ ଖେଳିବା ଜଳଜଳ ଦିଶୁଥିଲା। ତେବେ ପ୍ରାରମ୍ଭିକ ବ୍ୟାଟର୍ କେଏଲ୍ ରାହୁଲ ଏବଂ ରବୀନ୍ଦ୍ର ଜାଡ଼େଜାଙ୍କ ବାମ-ଡାହାଣ ଯୋଡ଼ି ଅସୀମ ଧୈର୍ଯ୍ୟ ଓ ସଂଯମତାର ସହ ଅଷ୍ଟ୍ରେଲୀୟ ବୋଲର୍‌ଙ୍କୁ ମୁକାବିଲା କରିଥିଲେ। ଚଳିତ ଗସ୍ତରେ ପ୍ରଥମ ଥର ସୁଯୋଗ ପାଇଥିବା ଜାଡ଼େଜା ଦୁଇଟି ଅର୍ଦ୍ଧଶତକ ଭାଗୀଦାରିରେ ସାମିଲ ହୋଇ ଭାରତକୁ ଫଲୋଅନ୍ ଏଡ଼ାଇବା ଦିଗରେ ଆଗେଇ ନେଇଥିଲେ। ରାହୁଲ-ଜାଡ଼େଜା ଷ‌ଷ୍ଠ ୱିକେଟ୍ ପାଇଁ ୬୭ ରନ୍ ଏବଂ ଜାଡ଼େଜା-ନୀତୀଶ ସପ୍ତମ ୱିକେଟ୍‌ ପାଇଁ ୫୩ ରନ୍ ଯୋଡ଼ିଥିଲେ। ରାହୁଲ (୧୩୯ ବଲ୍‌ରୁ ୮୪ ରନ୍‌, ୮ ଚୌକା)ଙ୍କ କ୍ୟାଚ୍‌ ସ୍ଲିପ୍‌ରେ ନେଇ ସ୍ମିଥ୍ ସକାଳର ଅନୁତାପକୁ ଦୂର କରିଥିଲେ। ୱିକେଟ୍ ପତନ ଦେଖି ରନ୍ ବଢ଼ାଇବା ଚକ୍କରରେ ଜାଡ଼େଜା (୧୨୩ ବଲ୍‌ରୁ ୭୭ ରନ୍, ୭ ଚୌକା, ୧ ଛକା) ବି ଫେରିଯାଇଥିଲେ।

ଜାଡ଼େଜା ନବମ ଖେଳାଳି ଭାବେ ଆଉଟ୍ ହେବା ବେଳକୁ ଭାରତ (୨୧୩/୯) ଫଲୋଅନ୍ ଏଡ଼ାଇବାଠାରୁ ୩୩ ରନ୍ ଦୂରରେ ଥିଲା। ଭାରତର ଫଲୋଅନ୍ ଖେଳିବା ନିଶ୍ଚିତ ଲାଗୁଥିବା ବେଳେ ଆକାଶ ଦୀପ୍ (୩୧ ବଲ୍‌ରୁ ୨୭* ରନ୍‌, ୨ ଚୌକା, ୧ ଛକା) ଓ ଯଶପ୍ରୀତ୍ ବୁମ୍‌ରା (୨୭ ବଲ୍‌ରୁ ୧୦* ରନ୍, ୧ ଛକା) ଭଲ ବ୍ୟାଟିଂ କରିପାରନ୍ତି ବୋଲି ପ୍ରମାଣିତ କରିଦେଇଛନ୍ତି। ଉଭୟ ଗୋଟିଏ ଲେଖାଏଁ ଛକା ମାରିବା ସହ ଅତୁଟ ଦଶମ ୱିକେଟ୍ ପାଇଁ ୩୯* ରନ୍ ଯୋଡ଼ି ସାରିଛନ୍ତି। ଦିନର ସଫଳତମ ବୋଲର ପ୍ୟାଟ୍ କମିନ୍ସଙ୍କୁ ସ୍ଲିପ୍ ଉପରେ ଚୌକା ମାରି ଆକାଶ ଦୀପ ଭାରତର ଫଲୋଅନ୍ ସୀମା ଅତିକ୍ରମ କରାଇବା ସମୟରେ ଡ୍ରେସିଂ ରୁମ୍‌ରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ଉଲ୍ଲାସରୁ ଲାଗୁଥିଲା ଭାରତ ଯେଭଳି ଏକ ବଡ଼ ଉପଲବ୍‌ଧି ଅର୍ଜନ କଲା। ଏହା ପରେ ଆକାଶ ଦୀପ ଏକ ଆକାଶଚୁମ୍ବି ଛକା ମାରିବା ପରେ ବିରାଟ କୋହଲି ବି ଚକିତ ହୋଇପଡ଼ିଥିଲେ। ଅବଶ୍ୟ ପ୍ରଥମ ଅଧିବେଶନରେ ଜୋସ ହାଜେଲଉଡ୍‌ ଆହତ ହୋଇ ପଡ଼ିଆ ଛାଡ଼ିବା ଅଷ୍ଟ୍ରେଲିଆର ବୋଲିଂ ବିକଳ୍ପକୁ ସୀମିତ କରିଦେବାରୁ ଭାରତ କିଛିଟା ଫାଇଦା ପାଇଥିଲା।

ଗାବାରେ ଅନ୍ତିମ ଭାଗୀଦାରି
ଗାବାରେ ମଙ୍ଗଳବାର ଆକାଶ ଦୀପ ଓ ଯଶପ୍ରୀତ୍ ବୁମ୍‌ରା ଅତୁଟ ଦଶମ ୱିକେଟ୍ ପାଇଁ ୩୯* ରନ୍ ଯୋଡ଼ିଛନ୍ତି। ଏହି ଭାଗୀଦାରି ଗାବାରେ ଭାରତ ପାଇଁ ସର୍ବୋଚ୍ଚ। ପୂର୍ବ ସର୍ବୋଚ୍ଚ ଥିଲା ୩୩ ରନ୍, ଯାହାକି ୧୯୯୧ରେ ମନୋଜ ପ୍ରଭାକର ଓ ଜଭାଗାଲ୍ ଶ୍ରୀନାଥ କରିଥିଲେ। ଆକାଶ ଦୀପ ୧୧ ନମ୍ବର ସ୍ଥାନରେ ବ୍ୟାଟିଂ କରି ୨୭* ରନ୍ କରିଛନ୍ତି। ଗ୍ଲେନ୍ ମ୍ୟାକଗ୍ରା (୬୧ ରନ୍‌ ବନାମ ନ୍ୟୁଜିଲାଣ୍ଡ୍‌, ୨୦୦୪) ଏବଂ ଜୋସ୍ ହାଜେଲଉଡ୍ (୩୨* ବନାମ ଭାରତ, ୨୦୧୪)ଙ୍କ ପରେ ଆକାଶ ଦୀପ ଏବେ ତୃତୀୟ ସ୍ଥାନରେ ଅଛନ୍ତି।

କୋହଲିଙ୍କ ବ୍ୟାଟ୍‌ରେ ଦୀପ କମାଲ!
ଭାରତ ମଙ୍ଗଳବାର ଫଲୋଅନ୍ ଏଡ଼ାଇବା ପରେ ଯଶପ୍ରୀତ୍ ବୁମ୍‌ରା ଓ ଆକାଶ ଦୀପଙ୍କ ୩୯* ରନ୍‌ ଭାଗୀଦାରି ଅଧିକ ଚର୍ଚ୍ଚାରେ ରହିଛି। ଏପରିକି କେଏଲ୍ ରାହୁଲ୍ (୮୪) ଓ ରବୀନ୍ଦ୍ର ଜାଡ଼େଜା (୭୭)ଙ୍କ ଅର୍ଦ୍ଧଶତକୀୟ ଅବଦାନ ବି ପଛରେ ପଡ଼ିଯାଇଛି। ଏହି ଅବସରରେ ଆକାଶ ଦୀପଙ୍କ ଏକ ପୁରୁଣାକଥା ସମସ୍ତଙ୍କର ମନେ ପଡ଼ିଯାଇଛି। ଗତ ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟ୍ ବେଳେ କୋହଲିଙ୍କଠାରୁ ଆକାଶଦୀପ ଏକ ବ୍ୟାଟ୍ ଉପହାର ପାଇଥିଲେ। ତାଙ୍କ ହୋଟେଲ୍ ରୁମ୍‌କୁ ଯାଇ ‌ଆକାଶ ଦୀପ ଏହି ବ୍ୟାଟ୍ ଆଣିବା ପରେ କହିଥିଲେ ‘ମୁଁ ଏହି ବ୍ୟାଟ୍‌ରେ ଖେଳିବିନି, ବିରାଟ ଭାଇଙ୍କ ତରଫରୁ ଏହା ବଡ଼ ଉପହାର। ଏହାକୁ ମୁଁ ସ୍ମରଣିକା ଭାବେ ରଖିବି’। ମଙ୍ଗଳବାର ଆକାଶ ଦୀପ ସେହି ବ୍ୟାଟ୍‌ରେ ଖେଳିଛନ୍ତି କି ନା ଜଣାପଡ଼ିନି। କିନ୍ତୁ ପ୍ୟାଟ୍ କମିନ୍ସଙ୍କୁ ଚୌକା ମାରି ଫଲୋଅନ୍ ଏଡ଼ାଇବା ପରେ ତୁରନ୍ତ ଏକ ଛକା ମାରିବା ବେଳେ କୋହଲିଙ୍କ ଆନନ୍ଦ ଉଲ୍ଲାସ ଆକାଶଛୁଆଁ ଥିଲା।

‌ରୋହିତଙ୍କ ଅବସର ଚର୍ଚ୍ଚା
କେବଳ ବିରାଟ କୋହଲିଙ୍କ ଫର୍ମ ନୁହେଁ ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ‌‌ଢେର ଚର୍ଚ୍ଚା ଚାଲିଛି। ଉଭୟ ରନ୍‌ ପାଇଁ ସଂଘର୍ଷ କରୁଛନ୍ତି। କୋହଲି ଅବଶ୍ୟ ଗତ ଟେଷ୍ଟ୍‌ରେ ଶତକ ମାରି କିଛିଟା ଆଶ୍ବସ୍ତ ହୋଇଛନ୍ତି। ରୋହିତ ଶର୍ମା ମଙ୍ଗଳବାର ମାତ୍ର ୧୦ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ପ୍ୟାଟ୍‌ କମିନ୍ସଙ୍କ ବୋଲିଂ ରୋହିତଙ୍କ ବ୍ୟାଟ୍ ଧାର ଛୁଇଁ ‌ଆଲେକ୍ସ କ୍ୟାରିଙ୍କ ଗ୍ଲୋଭ୍‌ସକୁ ଚାଲିଯାଇଥିଲା। ଏହା ପରେ ରୋହିତଙ୍କ ବ୍ୟାଟିଂରେ ରହିଥିବା ତ୍ରୁଟିକୁ ବି‌‌‌ଶ୍ଲେଷଣ କରିଛନ୍ତି ଚେତେଶ୍ବର ପୂଜାରା। ଆଗ୍ରେସିଭ୍ ପଞ୍ଚ୍‌ ପରିବର୍ତ୍ତେ ବଲ୍‌କୁ ଡିଫେଣ୍ଡ୍‌ କରିବାର ଥିଲା। ଏତେ ଓପନିଂ କରିବା ପରେ ଧୈର୍ଯ୍ୟ ଧରିବାର ଥିଲା। ନ ହେଲେ ବାରମ୍ବାର ବିଫଳତା ଆତ୍ମବିଶ୍ବାସ କମାଇବା ସହ ପ୍ରଦର୍ଶନକୁ ନି ନିମ୍ନମୁଖୀ କରୁଛି ବୋଲି ପୂଜାରା ପ୍ରକାଶ କରିଛନ୍ତି। ମୋଟାମୋଟି ଭାବେ ରୋହିତଙ୍କ ସଟ୍ ଚୟନ ତଥା ବ୍ୟାଟିଂ ପୋଜିସନ୍‌କୁ ନେଇ ପୂଜାରା ପ୍ରଶ୍ନ କରିଛନ୍ତି। ରୋହିତ କିନ୍ତୁ ମଙ୍ଗଳବାର ଆଉଟ୍ ‌‌ହୋଇ ଫେରିବା ପରେ ଡଗ୍ ଆଉଟ୍ ପାଖ ବିଜ୍ଞାପନ ବୋର୍ଡ ପଛପଟେ ଗ୍ଲୋଭ୍ସ ଫିଙ୍ଗି ଚାଲିଯିବା ତାଙ୍କ ଅବସର କଳ୍ପନାଜଳ୍ପନାକୁ ବଢ଼ାଇଛି। ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ଏହାକୁ ଅବସର ଆଭାସ ଭଳି ଦେଖିଛନ୍ତି।

ହାଜେଲଉଡ୍‌ ଶୃଙ୍ଖଳାରୁ ବାଦ୍ ପଡ଼ିବେ
ଚଳିତ ବିଜିଟି ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା ଲାଗିଛି। ଅଭିଜ୍ଞ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍‌ଙ୍କ ଡାହାଣ ଗୋଡ଼ ମାଂଶପେସୀ ସମସ୍ୟା କାରଣରୁ ସେ ମଙ୍ଗଳବାର ଆଧାରୁ ପଡ଼ିଆ ଛାଡ଼ିବା ସହ ଆଉ ଫେରି ନଥିଲେ। ଏହା ଗୁରୁତର ଥିବାରୁ ସେ ଚଳିତ ଟେଷ୍ଟ୍‌ରେ ଖେଳିପାରିବେ ନାହିଁ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି। ଏଥି ସହ ଶୃଙ୍ଖଳାର ଶେଷ ଦୁଇ ଟେଷ୍ଟ୍‌ରେ ବି ଖେଳି ନପାରିବା ଆଶଙ୍କା ଦେଖା ଦେଇଛି।

ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ପ୍ରଥମ ପାଳି-୪୪୫ (ଟ୍ରାଭିସ୍ ହେଡ୍-୧୫୨, ଷ୍ଟିଭେନ୍ ସ୍ମିଥ୍-୧୦୧, ଯଶପ୍ରୀତ୍‌ ବୁମ୍‌ରା ୬/୭୬, ମହମ୍ମଦ ସିରାଜ-୨/୯୭, ନୀତୀଶ କୁମାର ରେଡ୍ଡୀ-୧/୬୫)। ଭାରତ ପ୍ରଥମ ପାଳି: ୭୪.୫ ଓଭରରେ-୨୫୨/୯ (କେଏଲ୍ ରାହୁଲ-୮୪, ରବୀନ୍ଦ୍ର ଜାଡ଼େଜା-୭୭, ଆକାଶ ଦୀପ-୨୭*, ଯଶପ୍ରୀତ୍ ବୁମରା-୧୦*, ପ୍ୟାଟ୍ କମିନ୍ସ-୪/୮୦, ମିଚେଲ ଷ୍ଟାର୍କ-୩/୮୩, ଜୋସ୍  ହାଜେଲଉଡ୍-୧/୨୨, ନାଥନ୍ ଲାୟନ-୧/୫୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe