ଚେନ୍ନାଇ, ୨୧/୯: ନେଦରଲାଣ୍ଡ୍ସ ଦଳର ନେଟ୍‌ ବୋଲର ଭାବେ ସୁଯୋଗ ପାଇଥିବା ଲୋକେସ କୁମାର ଏବେ ଚାରିଆଡ଼େ ଚର୍ଚ୍ଚାରେ। ଦୁଇ ଦିନ ପୂର୍ବରୁ ଏକ ଖାଦ୍ୟ (ଫୁଡ୍‌) ଯୋଗାଣକାରୀ ସଂସ୍ଥା ପାଇଁ ଡେଲିଭେରି ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଥିଲେ। ଏବେ ସେ ନେଦରଲାଣ୍ଡ୍ସ ଦଳକୁ ବିଶ୍ବକପ୍‌ ପାଇଁ ପ୍ରସ୍ତୁତ କରାଇବାରେ ସହାୟତା କରିବେ। ନେଦରଲାଣ୍ଡ୍ସ ପକ୍ଷରୁ ଚୟନ ହୋଇଥିବା ୪ ନେଟ୍‌ ବୋଲରଙ୍କ ମଧ୍ୟରୁ ଲୋକେଶ ଜଣେ। ସଂପୃକ୍ତ ଖାଦ୍ୟ ଯୋଗାଣକାରୀ ସଂସ୍ଥା ପାଇଁ ସେ ୨୦୧୮ରୁ କାମ କରୁଛନ୍ତି। ଦଳର ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ସହାୟକ ଆବଶ୍ୟକତା ସଂପର୍କରେ ନେଦରଲାଣ୍ଡ୍ସ ବିଜ୍ଞାପନ ଦେଇଥିଲା ବେଳେ ଏଥିପାଇଁ ପାଖାପାଖି ୧୦ହଜାର ଆବେଦନ ଆସିଥିଲା। ସେଥିମଧ୍ୟରୁ ଲୋକେଶଙ୍କ ସହ ରାଜସ୍ଥାନର ହେମନ୍ତ କୁମାର, ତେଲେଙ୍ଗାନାର ରାଜାମଣୀ ପ୍ରସାଦ ଓ ହରିୟାଣାର ହର୍ଷ ଶର୍ମା ଚୟନ ହୋଇଥିଲେ। ବର୍ତ୍ତମାନ ନେଦାଲାଣ୍ଡ୍ସ ବେଙ୍ଗାଲୁରୁର ଅଲୁରଠାରେ ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ଶିବିର ଆରମ୍ଭ କରିଛି। ବୁଧବାର ଶିବିରରେ ଯୋଗଦେଇଥିବା ଲୋକେଶ ବାମହାତୀ ଦ୍ରୁତ ବୋଲିଂ ସହ ଲେଗ୍‌ ସ୍ପିନ୍‌ ମଧ୍ୟ ପକାଇବେ।
ଏହି ସୁଯୋଗ ପାଇବା ପରେ ଏହାକୁ ତାଙ୍କ ଜୀବନର ସବୁଠୁ ମୂଲ୍ୟବାନ ସମୟ ବୋଲି ସେ ପ୍ରକାଶ କରିଛନ୍ତି। ସେ ଏପର୍ଯ୍ୟନ୍ତ ତାମିନାଡୁ କ୍ରିକେଟ୍‌ ସଂଘର ତୃତୀୟ ଡିଭିଜନ୍‌ ଲିଗ୍‌ ଖେଳିବା ପାଇଁ ବି ଯୋଗ୍ୟ ହୋଇପାରିନାହାନ୍ତି। ସେ ପଞ୍ଚମ ଡିଭିଜନ୍‌ରେ ୪ ବର୍ଷ ପାଇଁ ଖେଳିଛନ୍ତି। ଚଳିତ ଋତୁରେ ସେ ଚତୁର୍ଥ ଡିଭିଜନ୍‌ରେ ଖେଳିବେ। କିନ୍ତୁ ନେଦରଲାଣ୍ଡ୍ସ ପାଇଁ ଚୟନ ହେବା ପରେ ତାଙ୍କ ପ୍ରତିଭାକୁ ଶେଷରେ କେହି ଜଣେ ଚିହ୍ନଟ କରିଥିବା ତାଙ୍କୁ ଅନୁଭୂତ ହେଉଛି ବୋଲି ସେ କହିଛନ୍ତି। ନେଦରଲାଣ୍ଡ୍ସ ମଧ୍ୟ ତାଙ୍କୁ ଖୋଲା ହାତରେ ସ୍ବାଗତ କରିଥିଲା। ଶିବିର ଆରମ୍ଭ ହେବା ପୂର୍ବରୁ ନେଟ୍‌ ବୋଲରଙ୍କୁ ସ୍ବାଗତ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ତେଣୁ ଅଭ୍ୟାସ ବେଳେ ଏହାକୁ ନିଜ ଦଳ ଭାବି ଖେଳିବାକୁ ନେଦରଲାଣ୍ଡ୍ସର ଖେଳାଳିମାନେ ପରାମର୍ଶ ଦେଇଥିଲେ। ତେଣୁ ସେ ଏହି ଦଳର ସଦସ୍ୟ ବୋଲି ପ୍ରଥମ ଦିନରୁ ଭାବିନେଇଥିବା ପ୍ରତିକ୍ରିୟା ଦେଇଛନ୍ତି।
ତାଙ୍କ ଚୟନ ସଂକ୍ରାନ୍ତରେ ଲୋକେଶ କହିଛନ୍ତି ଯେ, ବିଜ୍ଞାପନ ଦେଖିବା ପରେ ଆବେଦନ କରିବାକୁ ଚିନ୍ତା କରିଥିଲି। ଭାରତରେ ଖୁବ୍‌ କମ୍‌ ଚାଇନାମ୍ୟାନ୍‌ ଥା’ନ୍ତି। ତେଣୁ ତାଙ୍କର ଚୟନ ହୋଇଯିବ ବୋଲି ଆରମ୍ଭରୁ ଆଶା ରଖିଥିଲେ। ନେଦରଲାଣ୍ଡ୍ସ ମଧ୍ୟ ଜଣେ ରହସ୍ୟମୟୀ ବୋଲରଙ୍କ ସନ୍ଧାନରେ ଥିଲା। ଏହାକୁ ଜାଣିବା ପରେ ନେଟ୍‌ ବୋଲର ପାଇଁ ଆବେଦନ କରିଥିବା ସେ କହିଛନ୍ତି। ସେ କହିଛନ୍ତି ଯେ, କଲେଜରେ ପଢ଼ିବା ଦିନଠୁ ତାଙ୍କର ସମସ୍ତ ଧ୍ୟାନ କ୍ରିକେଟ୍‌ ଉପରେ ରହିଥିଲା। କ୍ରିକେଟ୍‌କୁ ସେ ୪ ବର୍ଷ ଦେଇଥିଲେ। ୨୦୧୮ରେ ସେ ଚାକିରି ସନ୍ଧାନରେ ଥିବାରୁ ଏକ ଖାଦ୍ୟ ଯୋଗାଣକାରୀ ସଂସ୍ଥାରେ ନିଯୁକ୍ତି ମିଳିଯାଇଥିଲା। କେବଳ ଖାଦ୍ୟ ପହଞ୍ଚାଇ ସେ ଯାହା ରୋଜଗାର କରିଛନ୍ତି। ଏହାଛଡ଼ା ତାଙ୍କର ଆୟର ଆଉ କିଛି ଉତ୍ସ ନଥିଲା। କାମ କରିବାରେ ନମନିୟତା ଥିବାରୁ ମୁଁ ଯେତେବେଳେ ବି ଚାହୁଁଥିଲି ଛୁଟି ପାଇଯାଉଥିଲି। ସପ୍ତାହନ୍ତଗୁଡ଼ିକରେ ତାମିଲନାଡୁ କ୍ରିକେଟ୍‌ ସଂଘର ଲିଗ୍‌ ମ୍ୟାଚ୍‌ ଗୁଡିକ ଆୟୋଜିତ ହୋଇଥାଏ। ତେଣୁ ୫ଦିନ କାମ କରିବା ପରେ ଶେଷ ଦୁଇ ଦିନ କ୍ରିକେଟ୍‌ ଖେଳରେ ସମୟ କାଟିଦିଏ ବୋଲି ଲୋକେଶ ପ୍ରତିକ୍ରିୟା ଦେଇଛନ୍ତି।