ଆରମ୍ଭ ହେଲା ‘ଫୁଟ୍‌ବଲ୍ ଫର୍‌ ଅଲ୍‌’

Advertisment
ଆରମ୍ଭ ହେଲା ‘ଫୁଟ୍‌ବଲ୍ ଫର୍‌ ଅଲ୍‌’

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ସହ ତାଳ ପକାଇ ରାଜ୍ୟ ସରକାର ମଧ୍ୟ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ରୁ ଫାଇଦା ଉଠାଇବାକୁ ଚେଷ୍ଟା କରିଛନ୍ତି। ଉଭୟ ତୃଣମୂଳସ୍ତରରେ ଏହି ଖେଳର ପ୍ରଚାର ଓ ପ୍ରସାର ପାଇଁ ବିଦ୍ୟାଳୟରେ ଫୁଟ୍‌ବଲ୍ ବାଣ୍ଟିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଓଡ଼ିଶା‌ରେ ତୃଣମୂଳସ୍ତରରେ ଫୁଟ୍‌ବଲ୍ ସଂସ୍କୃତିକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ‘ଫୁଟ୍‌ବଲ୍ ଫର୍ ଅଲ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଫିଫା ପକ୍ଷରୁ ଏହା କିଟ୍ ଓ କିସ୍‌ ପରିସରରେ ଆରମ୍ଭ ହୋଇଛି। ରାଜ୍ୟର ୨୦୦୦ ବିଦ୍ୟାଳୟରେ ସ୍କୁଲପିଲାମାନଙ୍କୁ ମୋଟ ୪୩,୦୦୦ ଫୁଟ୍‌ବଲ୍ ବଣ୍ଟାଯିବ। ଫିଫା ପକ୍ଷରୁ ଏଭଳି ଅଭିଯାନ ମଧ୍ୟ ଭାରତରେ ଆରମ୍ଭ କରାଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରି କହିଥିଲେ ‘ବିଶ୍ବର ସବୁଠାରୁ ଲୋକପ୍ରିୟ ‌ଖେଳ ହେଉଛି ଫୁଟ୍‌ବଲ୍‌। ଦେଶରେ ତୃଣମୂଳସ୍ତରରୁ ଫୁଟ୍‌ବଲ୍ ବିକାଶ ଦିଗରେ ‘ଫୁଟ୍‌ବଲ୍‌ ଫର୍ ଅଲ୍‌’ ପ୍ରୟାସ ନିଶ୍ଚିତ ନୂଆ ଦିଶା ଦେଖାଇବ। ବିଶେଷ କରି ମହିଳା ଫୁଟ୍‌ବଲ୍‌କୁ ବିଶ୍ବକପ୍‌ ପ୍ରେରଣା ଯୋଗାଇବ। ଆମେ ଭଲ ଭିତ୍ତିଭୂମି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ରଖିବାକୁ ଯାଉଛୁ। ଏ ଦିଗରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ମୁଖ୍ୟମନ୍ତ୍ରୀ ଭୂୟଶୀ ପ୍ରଶଂସା କରିଥିଲେ।

ଭବିଷ୍ୟତରେ ଫିଫା ସହଯୋଗରେ ରାଜ୍ୟର ଫୁଟ୍‌ବଲ୍ ବିକାଶରେ କାର୍ଯ୍ୟ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରି ଶ୍ରୀ ସାମନ୍ତ ମଧ୍ୟ ଆନନ୍ଦ ପ୍ରକଟ କରିଥିଲେ। ଫିଫାର ‘ଫୁଟ୍‌ବଲ୍ ଫର୍ ସ୍କୁଲ୍‌ସ’ ନିର୍ଦେଶକ ଫତିମାତା ସୋ ସିବଦେ କହିଥିଲେ, ଫିଫାର ‘ଫୁଟ୍‌ବଲ୍ ଫର୍ ଅଲ୍‌’ ଅଭିଯାନ ଏହି ଖେଳକୁ ବାସ୍ତବରେ ବିଶ୍ବସ୍ତରୀୟ କରିବ। ଏହ‌ି କାର୍ଯ୍ୟକ୍ରମ ସ୍କୁଲ୍‌ ପିଲାଙ୍କ ଦକ୍ଷତାଭରା ଜୀବନ ପ୍ରଦାନରେ ସହାୟକ ହେବ। କିଟ୍‌କୁ ସେ ମଧ୍ୟ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ୟୁନିଟ୍‌-୯ ବାଳିକା ହାଇସ୍କୁଲ୍ ଓ କ୍ୟାପିଟାଲ୍ ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଫୁଟ୍‌ବଲ୍ ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲ୍‌ ଓ ଗଣଶିକ୍ଷା ସଚିବ ଏସ୍ ଅସ୍ବସ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍‌ ଭିନୀଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe