ଇଂଲଣ୍ଡ ଟେଷ୍ଟ୍‌ ପାଇଁ କୁଲଦୀପ-ଚହଲ ଦାବିଦାର:ସୌରଭ ଗାଙ୍ଗୁଲି

ଇଂଲଣ୍ଡ ଟେଷ୍ଟ୍‌ ପାଇଁ କୁଲଦୀପ-ଚହଲ ଦାବିଦାର:ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ୍‌ ଦଳ ନିକଟରେ ଘରକୁ ଫେରିଛି। ଦକ୍ଷିଣ ଆଫ୍ରିକା ଗସ୍ତକୁ ପରାଜୟରୁ ଆରମ୍ଭ କରିବା ପରେ ଭାରତୀୟ ଖେଳାଳିମାନେ ଯେମିତି ଭାବେ ସୀମିତ ଓଭର ଶୃଙ୍ଖଳାରେ ଜବରଦସ୍ତ ପ୍ରତ୍ୟାବର୍ତନ କଲେ ତାହା ପ୍ରଶଂସନୀୟ। ସେଥିପାଇଁ ସେମାନେ ବି ସମ୍ମାନର ସହ ସ୍ୱଦେଶ ଫେରି ପାରିିଲେ। କେପଟାଉନରେ ଖେଳା ଯାଇଥିବା ଶେଷ ମୁକାବିଲାକୁ ଭାରତ ଯେଭଳି ଉତ୍କଣ୍ଠାପୂର୍ଣ୍ଣ ଭାବେ ଜିତିଲା ତାହା ମଧ୍ୟ ଦେଖିଲା ଭଳି ଥିଲା। ଭାରତ ଏଠାରେ ପ୍ରଥମ ଟେଷ୍ଟ ହାରିଥିଲା। ହେଲେ ଉଭୟ ଦିନିକିଆ ଏବଂ ଟେ୍ଵଣ୍ଟି-୨୦କୁ ଜିତିନେଲା। ଅଧିନାୟକ ବିରାଟ କୋହଲିଙ୍କ ବିନା ଭାରତ ଶେଷ ଟେ୍ଵଣ୍ଟି-୨୦କୁ ଜିତି ଶୃଙ୍ଖଳା ବିଜୟ ହାସଲ କରିବା ଅନ୍ୟଏକ ସ୍ମରଣୀୟ ସଫଳତା ଥିଲା। ମୋ ମତରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ବଡ଼ ନଥିଲା। ହେଲେ ଭାରତୀୟ ବୋଲରମାନେ ଚତୁରତାର ସହ ଦକ୍ଷିଣ ଆଫ୍ରିକାକୁ ୧୬୫ ରନ୍‌ରେ ଅଟକାଇ ଦେଇଥିଲେ। ବିଜୟ ବ୍ୟବଧାନ ମାତ୍ର ୭ ରନ୍‌ ହୋଇପାରେ। ହେଲେ ସତ କହିବାକୁ ଗଲେ ଦକ୍ଷିଣ ଆଫ୍ରିକାକୁ ଭାରତ ସ୍ତରକୁ ଆସିବା ଲାଗି ବହୁତ କିଛି କରିବାକୁ ପଡ଼ିବ। ସେଦିନ ଜଙ୍କର ବଢ଼ିଆ ବ୍ୟାଟିଂ କରିଥିଲେ। ହେଲେ ଶେଷରେ ଚାପକୁ ସେ ସହି ପାରି ନଥିଲେ।

ପ୍ରଥମ ୬ ଓଭରରେ ଅଧିକ ରନ୍‌ କରିବାକୁ ଦକ୍ଷିଣ ଆଫ୍ରିକା ଜେପି ଡୁମିନି ଏବଂ ଡେଭିଡ୍‌ ମିଲରଙ୍କୁ ପଠାଇଥିଲା। ସେମାନେ କିନ୍ତୁ ମାତ୍ର ୨୪ ରନ୍‌ କରି ପାରିଥିଲେ। ପୂରା ଗସ୍ତରେ କୋହଲି ନିଜ ବ୍ୟାଟିଂ ଏବଂ ପ୍ରେରଣାଦାୟୀ ନେତୃତ୍ୱରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଭାରତ ଯେମିତି ଖେଳିଲା ଆଗାମୀ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ସେମାନେ ବିଜୟୀ ହେବେ ବୋଲି ମୋର ଆଶା ଓ ବିଶ୍ୱାସ। ଭୁବନେଶ୍ୱର କୁମାର ଏବଂ ଯସପ୍ରୀତ ବୁମରା ନିୟମିତ ଭାବେ ଉନ୍ନତି କରୁଛନ୍ତି। ବିଶେଷ କରି ଭୁବି ତିନିଟି ଯାକ ଫର୍ମାଟରେ ଭାରତର ଏକ ନମ୍ବର ବୋଲର ହୋଇ ଚାଲିଛନ୍ତି। ଚହଲ ଏବଂ କୁଲଦୀପ ମଧ୍ୟ ଚମତ୍କାର ପ୍ରଦର୍ଶନ କଲେ। କୁଲଦୀପ ଟେ୍ଵଣ୍ଟି-୨୦ରେ ସୁଯୋଗ ପାଇଲେନି। ଚହଲ ମଧ୍ୟ ଦିନିକିଆ ଶୃଙ୍ଖଳାର ଶେଷ ଭାଗରେ ତୁଳନାତ୍ମକ ଭାବେ ଟିକିଏ ଖରାପ ବୋଲିଂ କଲେ। ହେଲେ ସଂପ୍ରତି ତାଙ୍କୁ ଅନେକ କିଛି ଶିଖିବାର ଅଛି। ତେଣୁ ଭାରତୀୟ ପରିଚାଳନା ମଣ୍ଡଳି ଧୈର୍ଯ୍ୟ ରଖିବା ଦରକାର। ଟେଷ୍ଟରେ ମଧ୍ୟ ସେ ଭଲ କରିବେ ବୋଲି ମୁଁ ଦୃଢ଼ତାର ସହ କହି ପାରିବି। ଏଥିରେ ମଧ୍ୟ ସନ୍ଦେହ ନାହିଁ ଯେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଲାଗି ଉଭୟ କୁଲଦୀପ ଏବଂ ଚହଲ ଦଳରେ ସ୍ଥାନ ପାଇବାର ପ୍ରମୁଖ ଦାବିଦାର ହେବେ। (ଗେମପ୍ଲାନ୍‌)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe