ଚେନ୍ନାଇ: ଗତ ଶନିବାରର ମୁମ୍ବାଇ ଇଣ୍ଡିଆନ୍ସ-ସନ୍ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ରେ ଚଳିତ ଆଇପିଏଲ୍ର ସବୁଠାରୁ ଲମ୍ବା ଛକା ଦେଖିବାକୁ ମିଳିଥିଲା। ଏହି ଛକାଟି ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର କିରଣ ପୋଲାର୍ଡ ମାରିଥିଲେ। ଯାହାର ଦୂରତା ଥିଲା ୧୦୫ ମିଟର। ପୋଲାର୍ଡ ତାଙ୍କର ଏହି ପରାକ୍ରମୀ ଛକା ସନ୍ରାଇଜର୍ସର ଆଫଗାନ ସ୍ପିନର ମୁଜିବ ଉର ରହମାନଙ୍କୁ ମାରିଥିଲେ। ପୋଲାର୍ଡ ମଧ୍ୟ ବ୍ୟକ୍ତିଗତ ଭାବେ ଷଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଆଇପିଏଲ୍ରେ ୨୦୦ ଛକା ମାରିବାର ମାଇଲଖୁଣ୍ଟ ଛୁଇଁଥିଲେ। ତାଙ୍କ ପୂର୍ବରୁ କ୍ରିସ୍ ଗେଲ୍ (୩୫୧), ଏବି ଡି’ଭିଲିୟର୍ସ (୨୩୧), ରୋହିତ ଶର୍ମା (୨୧୭), ମହେନ୍ଦ୍ର ସିଂହ ଧୋନି (୨୧୬) ଓ ବିରାଟ କୋହଲି (୨୦୧) ଆଇପିଏଲ୍ରେ ୨୦୦ ଛକା ମାରିବାର କୀର୍ତ୍ତିମାନ କରିସାରିଛନ୍ତି। ତେବେ ଆଇପିଏଲ୍ରେ ସବୁଠାରୁ ଲମ୍ବା ଛକା ମାରିବାର କୀର୍ତ୍ତିମାନ କିନ୍ତୁ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଆଲ୍ବି ମୋର୍କେଲଙ୍କ ନାଁରେ ରହିଛି।
/sambad/media/post_attachments/wp-content/uploads/2021/04/dh4dh4f5s6h456sfh456sfh456fhs456hfshfsfshhh-300x144.jpg)
ଦୀର୍ଘ ୧୩ ବର୍ଷ ତଳେ ଅର୍ଥାତ୍ ଆଇପିଏଲ୍ର ପ୍ରଥମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସର ପ୍ରତିନିଧିତ୍ବ କରି ଡେକାନ ଚାର୍ଜର୍ସ ଦଳର ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ସେ ଏହି ବିଶାଳ ଛକା ମାରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ରେ ସବୁଠାରୁ ଲମ୍ବା ଛକା ମାରିବାର ଅଣଆନୁଷ୍ଠାନିକ କୀର୍ତ୍ତିମାନ ପାକିସ୍ତାନର ସାହିଦ ଆଫ୍ରିଦିଙ୍କ ନାଁରେ ରହିଛି। ୨୦୧୩ ମସିହା ମାର୍ଚ ୭ ତାରିଖରେ ଜୋହାନେସବର୍ଗରେ ଖେଳାଯାଇଥିବା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆରେ ଆଫ୍ରିଦି ପ୍ରତିପକ୍ଷ ବୋଲର ରିୟାନ ମ୍ୟାକ୍ଲରିନଙ୍କ ମାରିଥିବା ଦାବି ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଛକାର ଦୂରତା ମାତ୍ର ୧୨୦ ମିଟର ଥିଲା ବୋଲି ଆଇସିସି ସ୍ପଷ୍ଟ କରିଥିଲା। ଅନ୍ତର୍ଜାତୀୟ କ୍ରିକେଟ୍ରେ ଦୀର୍ଘତମ ଛକା ମାରିବାର ଆନୁଷ୍ଠାନିକ କୀର୍ତ୍ତିମାନର ଅଧିକାରୀ ହେଉଛନ୍ତି ଅଷ୍ଟ୍ରେଲିଆର ବ୍ରେଟ୍ ଲି’। ୨୦୦୫ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ମାରିଥିବା ଛକା ଗାବା ଷ୍ଟାଡିୟମ୍ର ପାର୍କିଲଟ୍ରେ ପଡ଼ିଥିଲା। ଏହାର ଦୂରତା ୧୩୦ରୁ ୧୩୫ ମିଟର ହେବ ବୋଲି ଆଇସିସି କହିଛି। ସେହିଭଳି ଘରୋଇ କ୍ରିକେଟ୍ରେ ସବୁଠୁ ବଡ଼ ଛକା ମାରିବାର ସୌଭାଗ୍ୟ ଅନ୍ୟତମ ଅଷ୍ଟ୍ରେଲୀୟ ଏଦେନ ବ୍ଲିଜାର୍ଡ ଲାଭ କରିଛନ୍ତି। ପର୍ଥର ୱାକା ଷ୍ଟାଡିୟମ୍ରେ ଖେଳାଯାଇଥିବା ଏକ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ସେ ମାରିଥିବା ଛକା ୧୩୦ ମିଟର ଦୂରରେ ପଡ଼ିଥିଲା।
Follow Us