ମୁମ୍ବାଇ: ଦ୍ବାଦଶ କ୍ରିକେଟ୍ ବିଶ୍ବକପ୍ ଲାଗି ବୁଧବାର ଭାରତୀୟ ଦଳ ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଛି। ଇଂଲଣ୍ଡ ପହଞ୍ଚିବା ପରେ ଭାରତୀୟ ଦଳ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଏବଂ ମଙ୍ଗଳବାର ବାଂଲାଦେଶ ବିପକ୍ଷରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ। ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଏହା ପୂର୍ବରୁ ମଙ୍ଗଳବାର ଗଣାମଧ୍ୟମକୁ ନିଜ ଯୋଜନା, ଆଶା ଏବଂ ରଣନୀତି ନେଇ ସମ୍ୟକ୍ ସୂଚନା ଦେଇଥିଲା। ଆଜି ମଧ୍ୟ ବିମାନରେ ବସିବା ପୂର୍ବରୁ ଅଧିନାୟକ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ୱାଙ୍ଖଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳକୁ ନେଇ ଅନେକ ମହତ୍ବପୂର୍ଣ୍ଣ କଥା କହିଛନ୍ତି। କୋହଲି କହିଛନ୍ତି, ଆମେ ଏକ ସନ୍ତୁଳିତ ଦଳ ନେଇ ବିଶ୍ବକପ୍କୁ ଯାଉଛୁ, ଏହା ଶକ୍ତିଶାଳୀ ମଧ୍ୟ। ଆପଣ ଯଦି ଆଇପିଏଲକୁ ବିଚାରକୁ ନିଅନ୍ତି, ବିଶ୍ବକପ୍ ଦଳରେ ଥିବା ସବୁ ଖେଳାଳି ଭଲ ଫର୍ମରେ ଥିଲେ। ସେମାନେ ବହୁତ ଭଲ କ୍ରିକେଟ୍ ଖେଳିଥିଲେ। ସେହି ଦୃଷ୍ଟିକୋଣରୁ ଆମେ ବିଶ୍ବକପ୍ ବେଳେ ଶ୍ରେଷ୍ଠ କ୍ରିକେଟ୍ ଖେଳିବୁ ବୋଲି ଆଶା ରଖିଛୁ। କେବଳ ଏହାହିଁ ଆମ ଧ୍ୟାନରେ ରହିବ। ଦୁଇ ଥର ବିଜେତା ଭାରତ ଜୁନ୍ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ଏହା ପରେ ଜୁନ୍ ୯ରେ ବିଜେତା ଅଷ୍ଟ୍ରେଲିଆର ମୁକାବିଲା କରିବ। ତୃତୀୟ ମ୍ୟାଚ୍ ଜୁନ୍ ୧୩ରେ ନ୍ୟୁଜିଲାଣ୍ଡ ଏବଂ ଚତୁର୍ଥ ତଥା ସବୁଠାରୁ ପ୍ରତୀକ୍ଷିତ ଲଢ଼େଇ ଜୁନ୍ ୧୬ରେ ମାଞ୍ଚେଷ୍ଟରଠାରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳିବ। ଜୁନ୍ ୨୨ରେ ସାଉଥମ୍ପଟନ୍ ଫେରି ଆଫଗାନିସ୍ତାନ ସହ ମୁହାଁମୁହିଁ ହେବ। ଏହା ପରେ ଜୁନ୍ ୨୭ରେ ୱେଷ୍ଟଇଣ୍ଡିଜ୍ (ଓଲ୍ଡ ଟ୍ରଫର୍ଡ)କୁ ଭେଟିବ। ଏହି ମ୍ୟାଚ୍ ୧୯୮୩ ବିଶ୍ବକପ୍ ଫାଇନାଲକୁ ମନେ ପକାଇଦେବ। ପାଖାପାଖି ୩୬ ବର୍ଷ ପୂର୍ବେ ଇଂଲଣ୍ଡ ମାଟିରେ ହିଁ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିଥିଲା। ଏଜବାଷ୍ଟନରେ ଆୟୋଜକ ଇଂଲଣ୍ଡ (ଜୁନ୍ ୩୦) ଏବଂ ପଡ଼ୋଶୀ ବାଂଲାଦେଶ (ଜୁଲାଇ ୨)ର ମୁକାବିଲା କରିବା ପରେ ହେଡିଂଲେରେ ଶ୍ରୀଲଙ୍କା (ଜୁଲାଇ ୬) ସହିତ ନବମ ତଥା ଶେଷ ଲିଗ୍ ମ୍ୟାଚ୍ ଖେଳିବ।
ମୁମ୍ବାଇରୁ ଲଣ୍ଡନ : ବିଶ୍ବକପ୍ ଅଭିଯାନରେ ବିରାଟ ସେନା
Advertisment
Follow Us