‘ସବୁ ଭୁଲିଯାଅ; ଚାଲ ସେମାନଙ୍କୁ ଆଉଟ୍‌ କରିବା’

Advertisment

୧୯୮୩ ବିଶ୍ବକପ୍‌ ଫାଇନାଲ୍‌ ବେଳେ କପିଳ ଓ ଗାଭାସ୍କରଙ୍କ ଡ୍ରେସିଂ ରୁମ୍‌ ପ୍ରେରଣାକୁ ମନେପକାଇଲେ ବିନ୍ନି

୧୯୮୩ ବିଶ୍ବକପ୍‌ ଫାଇନାଲ୍‌ ବେଳେ କପିଳ ଓ ଗାଭାସ୍କରଙ୍କ ଡ୍ରେସିଂ ରୁମ୍‌ ପ୍ରେରଣାକୁ ମନେପକାଇଲେ ବିନ୍ନି

‘ସବୁ ଭୁଲିଯାଅ; ଚାଲ ସେମାନଙ୍କୁ ଆଉଟ୍‌ କରିବା’

ନୂଆଦିଲ୍ଲୀ: ଦୁର୍ଦ୍ଦର୍ଶ ୱେଷ୍ଟଇଣ୍ଡିଜ୍‌ ଦଳକୁ ଫାଇନାଲ୍‌ରେ ହରାଇ ଭାରତ ୧୯୮୩ ବିଶ୍ବକପ୍‌ ଜିତି ନୂଆ ଇତିହାସ ରଚିଥିଲା। ମାଲକମ ମାର୍ସାଲ, ମାଇକେଲ୍‌ ହୋଲ୍‌ଡିଂ ଓ ଆଣ୍ଡି ରବର୍ଟସଙ୍କ ଭଳି ଘାତକ ବୋଲରଙ୍କୁ ସାମ୍‌ନା କରିନପାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୮୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଦୁଇ ଥର ବିଶ୍ବ ବିଜେତା ୱେଷ୍ଟଇଣ୍ଡିଜ୍‌ ପାଇଁ ଏହି ଲକ୍ଷ୍ୟ ଅତି ମାମୁଲି ଭଳି ଲାଗୁଥିଲା। ପୁଣି ଗର୍ଡନ୍‌ ଗ୍ରିନିଜ୍‌, ଦେଶମଣ୍ଡ ହେନ୍‌ସ, ଭିଭିଆନ୍‌ ରିଚାର୍ଡସ ଏବଂ ଅଧିନାୟକ କ୍ଲାଇଭ୍‌ ଲୟଡ୍‌ଙ୍କ ଭଳି ମାରାତ୍ମକ ବ୍ୟାଟ୍ସମ୍ୟାନ୍‌ ଥିବାରୁ ଭାରତୀୟ ଡ୍ରେସିଂରୁମ୍‌ରେ ବିଜୟ ନେଇ ସମସ୍ତେ ଆଶଙ୍କାରେ ଥିଲେ। ଏହି ସମୟ‌ରେ ଅଧିନାୟକ କପିଳ ଦେବ ଏବଂ ଅଭିଜ୍ଞ ସୁନିଲ ଗାଭାସ୍କର ଡ୍ରେସିଂ ରୁମ୍‌ରେ ପ୍ରେରଣାଦାୟୀ ମନ୍ତବ୍ୟ ଜରିଆରେ ଭାରତୀୟ ଖେଳାଳିଙ୍କ ମନୋବଳକୁ ବଢ଼ାଇଥିଲେ। କପିଳ କହିଥିଲେ, ଆମ ପାଳି କଥା ପୂରା ଭୁଲିଯାଅ, ଚାଲ ସେମାନଙ୍କୁ ଆଉଟ୍‌ କରିଦେବା। ଏହି କଥାରେ ଗାଭାସ୍କର ମଧ୍ୟ ହଁ ମାରି ଡ୍ରେସିଂ ରୁମ୍‌ର ଗୁମ୍‌ସୁମ୍‌ ପରିବେଶକୁ ହାଲ୍‌କା କରିବାର ପ୍ରୟାସ କରିଥିଲେ। ଏହି ଦୁଇ ରଥୀଙ୍କ ପ୍ରେରଣା ହିଁ ସାଥୀ ଖେଳାଳିମାନଙ୍କ ମନରେ ଉତ୍ସାହ ଭରିଦେଇଥିଲା। ସମସ୍ତେ ପୂରା ଜୋସ୍‌ରେ ପଡ଼ିଆକୁ ଓହ୍ଲାଇଥିଲେ। ଆଉ ଶେଷରେ ଯାହା ଘଟିଲା ତାହା ଇତିହାସ ପାଲଟିଗଲା ବୋଲି ୧୯୮୩ ବିଶ୍ବକପ୍‌ର ସର୍ବାଧିକ ୱିକେଟ୍‌ ହାସଲକାରୀ ଭାରତୀୟ ମଧ୍ୟମଗତି ବୋଲର ରୋଜର ବିନ୍ନି ସ୍ପୋର୍ଟ୍ସକୀଡା ଫେସବୁକ୍‌ ଲାଇଭ୍‌ ସାକ୍ଷାତକାରରେ ପୁରୁଣା ସ୍ମୃତିକୁ ମନେ ପକାଇ କହିଛନ୍ତି।

ମୁଁ କେବେ ବି ଭାବିନଥିଲି ୮ ମ୍ୟାଚ୍‌ରୁ ୧୮ ୱିକେଟ୍‌‌ ନେବି ଏବଂ ଆମେ ବିଶ୍ବକପ୍‌ ଜିତିବୁ। ଇଂଲଣ୍ଡରେ ଏହା ‌ମୋର ବଡ଼ ସ୍ମୃତି। ବିଶ୍ବକପ୍‌ରେ ଏହା ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ପରାଜୟ ଥିଲା। ଏହିଭଳି ଦଳକୁ ହରାଇବାରେ ଦଳୀୟ ଏକତା ହିଁ ବଡ଼ ବଳ ଥିଲା ବୋଲି ବିନ୍ନି କହିଛନ୍ତି। ଆମ କ୍ଷେତ୍ରରକ୍ଷଣ ଭଲ ନଥିଲା କିନ୍ତୁ ସେଠାରେ ଭଲ କରିଥିଲୁ। ଗାଭାସ୍କର ଭଲ ବ୍ୟାଟିଂ କରିନଥିଲେ ହେଲେ ପଡ଼ିଆରେ ତାଙ୍କ ଉପଲବ୍ଧି କାର୍ଯ୍ୟରେ ଲାଗିଥିଲା। ଇଂଲଣ୍ଡ ପରେ ଭାରତ ଏକ ଦଳ ବୋଲି ସେଠାରେ ସମସ୍ତେ କହିଥିଲେ। ବିଜୟ ପରେ ଆମେ ନିଜକୁ ବିଶ୍ବାସ କରିପାରିନଥିଲୁ ବୋଲି ବିନ୍ନି କହିଛନ୍ତି। ଫାଇନାଲ୍‌ର ସକାଳ ଆମ ପାଇଁ ବହୁତ ଦୁଃଖଦ ଥିଲା। ୨୨୦ରୁ ୨୪୦ ରନ୍‌ ଏଠାରେ ଆହ୍ବାନପୂର୍ଣ୍ଣ ହୋଇପାରେ ବୋଲି ଆଶା ରଖିଥିଲୁ। ହେଲେ ଆମେ ୧୮୩ କରିପାରିଥିଲୁ। ଏହା ପରେ ଆମେ ଡ୍ରେସିଂ ରୁମ୍‌ରେ ୪୦ ମିନିଟ୍‌ ବସି ରହିଲୁ। କେହି କାହା ସହ କଥାବାର୍ତ୍ତା କଲୁନି। ସେତିକି ବେଳେ କପିଳ ଉଠି କହିଲେ, ‘ଏହାକୁ ଭୁଲି ଯାଅ, ଚାଲ ସେମାନଙ୍କୁ ଆଉଟ୍‌ କରିବା’। ତାଙ୍କ ସହ ତାଳ ଦେଇ ଗାଭାସ୍କର ହଁ ମାରିଲେ। କମ୍‌ ସ୍କୋର୍‌ ନିଶ୍ଚିତ ପ୍ରତିଦ୍ବନ୍ଦ୍ବିତାମୂଳକ ହେବ। ଯଦି ଆମେ ୨୭୦ ରନ୍‌ କରିଥା’ନ୍ତୁ ତାହାଲେ ବି ସେମାନେ ଆମକୁ ପରାସ୍ତ କରିପାରିଥା’ନ୍ତେ ବୋଲି ପୁରୁଣା ସ୍ମୃତି ଚାରଣ କରି ବିନ୍ନି କହିଛନ୍ତି। ହେଲେ ତାହା ସମ୍ଭବ ହେବାକୁ ଦେଲୁନି ଏବଂ ୧୯୮୩ ବିଶ୍ବକପ୍‌ ଫାଇନାଲ୍‌ ବିଜୟ କ୍ରିକେଟ୍‌ ଇତିହାସରେ ଆମ ପାଇଁ ସର୍ବବୃହତ୍‌ ସଫଳତା ଭାବେ ସ୍ମୃତି ହୋଇ ରହିଗଲା ବୋଲି ବିନ୍ନି କହିଛନ୍ତି। ଅବଶ୍ୟ ଏହାର ୨୮ ବର୍ଷ ବରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବ‌ରେ ଭାରତ ଦ୍ବିତୀୟ ଥର ବିଶ୍ବକପ୍‌ ବିଜେତା ହୋଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe