ପୂର୍ବତନ ଫୁଟ୍‌ବଲର୍‌ ବିଜୟ ବାହାଦୁରଙ୍କ ଦେହାନ୍ତ

ପୂର୍ବତନ ଫୁଟ୍‌ବଲର୍‌ ବିଜୟ ବାହାଦୁରଙ୍କ ଦେହାନ୍ତ

ସମ୍ବଲପୁର/ଝ‌ାରସୁଗୁଡ଼ା: ବିଶିଷ୍ଟ ଫୁଟ୍‌ବଲ ଖେଳାଳି ତଥା ଝାରସୁଗୁଡ଼ା ସ୍ଥିତ ଲକ୍ଷ୍ମୀ ନାରାୟଣ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ବିଜୟ ବାହାଦୁର ସିଂହ (୬୩)ଙ୍କ ପରଲୋକ ହୋଇଯାଇଛି। ସେ ଫୁଟ୍‌ବଲ୍‌ ଜଗତରେ ବଚ୍ଚନ ନାଁରେ ଜଣାଶୁଣା ଥିଲେ। ସମ୍ବଲପୁର ଶାନ୍ତିନଗର ନିବାସୀ ବଚ୍ଚନ ଦୀର୍ଘ ବର୍ଷ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ। ଶନିବାର ମଧ୍ୟାହ୍ନ ପ୍ରାୟ ୨ଟାରେ ତାଙ୍କର ମସ୍ତିଷ୍କାଘାତ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ସମ୍ବଲପୁର ସ୍ଥିତ ଏକାଧିକ ନର୍ସିଂହୋମ ଓ ପରେ ବରଗଡ଼ର ବିକାଶ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସଂଧ୍ୟା ୫ଟାରେ ତାଙ୍କର ପରଲୋକ ହୋଇଯାଇଛି। ଅନ୍ତିମ ଶଯ୍ୟା ନିକଟରେ ଶିକ୍ଷୟିତ୍ରୀ ପତ୍ନୀ ଅମ୍ବିକା ସିଂ, ବନ୍ଧୁ ବିରଜାଶଂକର ହୋତାଙ୍କ ସମେତ ଆତ୍ମୀୟ ପରିଜନମାନେ ଉପସ୍ଥିତ ଥିଲେ। ଏହି ଖବର ପ୍ରଚାରିତ ହେଲାପରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶା ଏବଂ ରାଜ୍ୟ ଫୁଟ୍‌ବଲ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି।

ପଶ୍ଚିମ ଓଡ଼ିଶା ଫୁଟ୍‌ବଲ ଜଗତର ଉଜ୍ଜଳ ତାରକାଙ୍କ ମଧ୍ୟରେ ଅନ୍ୟତମ ବିଜୟ ବାହାଦୁର ସିଂ ବଚ୍ଚନ। ୧୯୮୦ ମସିହାରେ ଓଡ଼ିଶା ତରଫରୁ ସନ୍ତୋଷ ଟ୍ରଫି ଖେଳିଥିବା ବଚ୍ଚନ ଜଣେ ଦକ୍ଷ ରାଇଟ୍ ବ୍ୟାକ୍‌ ଖେଳାଳି ଭାବେ ପ୍ରତିଦ୍ବନ୍ଦ୍ବୀଙ୍କ ଆକ୍ରମଣକୁ ଫିକା କରିଦେଉଥିଲେ। ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ଦିନଠୁ ହିଁ ଲଗାତାର ୪ ଥର ଅନ୍ତଃଜିଲ୍ଲା ଫୁଟ୍‌ବଲ ପ୍ରତିଯୋଗିତାରେ ଖେଳିବା ପାଇଁ ମନୋନୀତ ହୋଇଥିଲେ। ଏହାପରେ ଜିଏମ୍‌ କଲେଜରେ ପଢିବା ସମୟରେ ପ୍ରତିଷ୍ଠିତ କ୍ରୀଡ଼ା ଅନୁଷ୍ଠାନ ମେହେର ଆସୋସିଏସନ ସହିତ ଜଡ଼ିତ ହୋଇଥିଲେ। ସେ ବହୁ ବର୍ଷ ଧରି ଅନ୍ତଃମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଫୁଟ୍‌ବଲ୍‌ରେ ଭାଗ ନେଇଥିଲେ। ୭୦ ଓ ୮୦ ଦଶକରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଆୟୋଜିତ ଫୁଟ୍‌ବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରେ ବୋକାରୋ ଷ୍ଟିଲ୍‌ କପ୍‌, ରାୟ ବାହାଦୁର ଟ୍ରଫି ଆଦି ପ୍ରମୁଖ ଥିଲା। ସେ ମଧ୍ୟ ଜଣେ ଦକ୍ଷ ଆଥ୍‌ଲେଟ୍‌ ଥିଲେ ଓ ୧୦୦ ମିଟର୍‌ ଦୌଡ଼ରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରିଥିଲେ। ତେବେ ପରବର୍ତ୍ତୀ ଜୀବନରେ ସେ ନିଜକୁ ଜଣେ ସୁଶିକ୍ଷକ ଭାବେ ପ୍ରତିଷ୍ଠିତ କରିଥିଲେ। ଇଂରାଜୀରେ ସ୍ନାତକୋତ୍ତର କରି ପ୍ରଥମେ ଶିକ୍ଷକତା ଓ ପରେ ଅଧ୍ୟାପନା ବୃତ୍ତିକୁ ଆପଣାଇ ହୀରାକୁଦ କଲେଜ୍, ପରମାଣପୁର କଲେଜ୍, ରାଜଗାଙ୍ଗପୁରର ଡାଲମିଆ କଲେଜ୍ ଆଦି ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ଶେଷରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ (ଝାରସୁଗୁଡ଼ା)ରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ସ୍ବର୍ଗତ ବିଜୟ ବାହାଦୁର ସିଂହଙ୍କ ବାପା ବିହାରରୁ ଆସିଥିଲେ। ଏକ ଛୋଟ ହୋଟେଲର ମାଲିକ ଥିଲେ। ପୁଅକୁ ଜଣେ ଦକ୍ଷ ଖେଳାଳି ଓ ଉତ୍ତମ ଛାତ୍ର ଭାବେ ଗଢ଼ି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe