ରୋହିତଙ୍କ ନେତୃତ୍ବ ସପକ୍ଷରେ ପୂର୍ବତନ ଖେଳାଳି

Advertisment
ରୋହିତ ଫେରିଲେ: ଆଜି ଦ୍ବିତୀୟ ଦିନିକିଆ

ନୂଆଦିଲ୍ଲୀ : ଆସନ୍ତା ବିଶ୍ବକପ୍‌ ପରେ ଟି-୨୦ ଆନ୍ତର୍ଜାତିକ ଅଧିନାୟକ ପଦରୁ ଓହରିଯିବାକୁ ନିଜେ ବିରାଟ କୋହଲି ଗୁରୁବାର ଘୋଷଣା କରିବା ପରେ ତାଙ୍କ ସ୍ଥାନ କିଏ ନେବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନେତୃତ୍ବ ଦକ୍ଷତା ପ୍ରମାଣିତ କରିଥିବା ରୋହିତ ଶର୍ମା‌ କୋହଲିଙ୍କଠୁ ଏହି ଦାୟିତ୍ବ ଗ୍ରହଣ କରିବା ପାଇଁ ସବୁଠୁ ଯୋଗ୍ୟ ବୋଲି ପୂର୍ବତନ ଖେଳାଳିମାନେ ମତ ରଖିଛନ୍ତି। ଭାରତର ପରବର୍ତୀ ଟି-୨୦ ଅଧିନାୟକ ରୋହିତ ହିଁ ହୁଅନ୍ତୁ ବୋଲି ଅଧିକାଂଶ ପୂର୍ବତନ ଖେଳାଳି ଚାହୁଁଛନ୍ତି। ଭାରତୀୟ ଦଳର ଟି-୨୦ ଅଧିନାୟକ ଭାବେ କୋହଲିଙ୍କ ବିଜୟ ଓ ପରାଜୟ ଅନୁପାତ ୨୭-୧୪ ରହିଛି। ହେଲେ ସେ ଆଇପିଏଲ୍‌ରେ ତାଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଥରେ ହେଲେ ଟ୍ରଫି ଦେଇପାରିନାହାନ୍ତି।

ପୂର୍ବତନ ଅଧିନାୟକ ଦିଲିପ ଭେଙ୍ଗ୍‌ସର୍‌କାର କହିଛନ୍ତି ବିସିସିଆଇକୁ ଏନେଇ ବିଶେଷକିଛି ଚିନ୍ତା କରିବାକୁ ପଡ଼ିବନି। କାରଣ ରୋହିତ ହିଁ କୋହଲିଙ୍କ ସ୍ଥାନ ନେବାପାଇଁ ପୂରା ହକ୍‌ଦାର। ରୋହିତ ଯେତେବେଳେ ବି ଭାରତ ପାଇଁ ନେତୃତ୍ବ ନେବାର ସୁଯୋଗ ପାଇଛନ୍ତି ସବୁବେଳେ ଚମତ୍କାର କରିଛନ୍ତି। ତାଙ୍କ ନେତୃତ୍ବରେ ଭାରତ ୨୦୧୮ରେ ଏସିଆ କପ୍‌ ଜିତିଥିଲା। ପୁଣି ରୋହିତ ମୁମ୍ବାଇ ଇଣ୍ଡିଆନ୍‌ସକୁ ୫ ଥର ବିଜେତା କରାଇ ଆଇପିଏଲ୍‌ରେ ସର୍ବାଧିକ ସଫଳ ଅଧିନାୟକ ବିବେଚିତ ହୋଇଛନ୍ତି। ତେଣୁ ସେ ହିଁ ଭାରତର ପରବର୍ତୀ ଟି-୨୦ ଅଧିନାୟକ ହେବା ଉଚିତ ବୋଲି ଭେଙ୍ଗ୍‌ସରକାର କହିଛନ୍ତି।

ଅନ୍ୟତମ ପୂର୍ବତନ ଖେଳାଳି ସନ୍ଦୀପ ପାଟିଲ ମଧ୍ୟ ଆଇପିଏଲ୍‌ର ସଫଳତମ ଅଧିନାୟକ ରୋହିତଙ୍କୁ ଭାରତର ପରବର୍ତୀ ଟି-୨୦ ଅଧିନାୟକ ହେବା ନେଇ ସମର୍ଥନ କରିଛନ୍ତି। ରୋହିତ ତାଙ୍କର ସାମର୍ଥ୍ୟ ଦେଖାଇ ସାରିଛନ୍ତି ବୋଲି ୧୯୮୩ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ସଦସ୍ୟ ପାଟିଲ କହିଛନ୍ତି।

ବିସିସିଆଇ କୋହଲିଙ୍କ ଉତ୍ତରାଧିକାରୀ ଚୟନ ନେଇ କୌଣସି ଅଭାସ ଦେଇନଥିଲେ ମଧ୍ୟ ଏହାର ସଭାପତି ସୌରଭ ଗାଙ୍ଗୁଲିଙ୍କ ମନରେ ରୋହିତ ହିଁ ଥିବା ଜଣାପଡ଼ିଛି। ଭବିଷ୍ୟତ ରୋଡ୍‌ମ୍ୟାପ୍‌କୁ ମନରେ ରଖି କୋହଲିଙ୍କ ସ୍ଥାନ ପୂରଣ କରାଯିବ ବୋଲି ସେ କହିଛନ୍ତି।

ତେବେ ପୂର୍ବତନ ଅଧିନାୟକ ତଥା କିଂବଦନ୍ତି ସୁନିଲ ଗାଭାସ୍କର ‌ଟି-୨୦ ଅଧିନାୟକ ପାଇଁ ରୋହିତ ହିଁ ଶ୍ରେଷ୍ଠ ବିକଳ୍ପ ବୋଲି କହିଥିଲେ ମଧ୍ୟ ଭାରତ କେଏଲ୍‌ ରାହୁଲଙ୍କୁ ଭବିଷ୍ୟତର ସୀମିତ ଓଭର ଅଧିନାୟକ ଭାବେ ତିଆରି କରିବା ଉଚିତ ବୋଲି ମତ ରଖିଛନ୍ତି। ରାହୁଲ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍‌ସର ନେତୃତ୍ବ ନେଇ ଦକ୍ଷତା ପ୍ରମାଣିତ କରୁଛନ୍ତି। ତେଣୁ ତାଙ୍କୁ ନେଇ ଆଗକୁ ଚିନ୍ତା କରିବାକୁ ସେ ପରାମର୍ଶ ଦେଇଛନ୍ତି। ରାହୁଲ ମଧ୍ୟ ଆଇପିଏଲ୍‌ ସାଙ୍ଗକୁ ଦିନିକିଆ ଫର୍ମାଟ୍‌ରେ ଆନ୍ତର୍ଜାତିକସ୍ତରରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏବେଠୁ ତାଙ୍କୁ ଉପଅଧିନାୟକ କରାଯିବା ଉଚିତ ବୋଲି ଗାଭାସ୍କର କହିଛନ୍ତି।

ଟି-୨୦ ବିଶ୍ବକପ୍‌ ଜିତିବା ପାଇଁ କୋହଲି ଦୃଢ଼ମନା ହେବେ: ରାଜ୍‌କୁମାର
ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଟି-୨୦ ବିଶ୍ବକପ୍‌ ଜିତିବା ପାଇଁ ଅଧିକ ଦୃଢ଼ମନା ହେବେ। ଏହାପରଠୁ ସେ ଟି-୨୦ ଫର୍ମାଟ୍‌ରୁ ନେତୃତ୍ବ ପରିତ୍ୟାଗ କରିବାର ଘୋଷଣା କରିଥିବାରୁ ବିଶ୍ବକପ୍‌ ଉପରେ ଅଧିକରୁ ଅଧିକ ଧ୍ୟାନ କେନ୍ଦ୍ରିତ କରିବେ ବୋଲି କୋହଲିଙ୍କ ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମା ଅନୁଭବ କରିଛନ୍ତି। ନୂଆ ଅଧିନାୟକ ନୂଆ କୌଶଳ ଅବଲମ୍ବନ କରିବେ ଏବଂ ମହେନ୍ଦ୍ର ସିଂହ ଧୋନି ଯେଭଳି ପଦ ଛାଡ଼ିବା ପରେ କୋହଲିଙ୍କୁ ସହାୟତା କରୁଥିଲେ ଠିକ୍‌ ସେହିଭଳି କୋହଲି ମଧ୍ୟ ପରବର୍ତୀ ଅଧିନାୟକଙ୍କୁ ପଡ଼ିଆ ଭିତରେ ସହାୟତା କରିବେ ବୋଲି ରାଜକୁମାର କହିଛନ୍ତି। କ୍ରିକେଟ୍‌ର ତିନିଟିଯାକ ଫର୍ମାଟ୍‌ରେ ନେତୃତ୍ବ ଭାର ସମ୍ଭାଳିବା କୌଣସି ବି ଖେଳାଳିଙ୍କ ଉପରେ ଚାପ ପକାଇଥାଏ। କେବଳ ସେଇଥିପାଇଁ କୋହଲି ଟି-୨୦ ନେତୃତ୍ବରୁ ଓହରିଯିବାର ନିଷ୍ପତ୍ତି ନେଲେ। ଏହା ମଧ୍ୟ ତାଙ୍କର ସଠିକ୍‌ ନିଷ୍ପତ୍ତି ଥିଲା ବୋଲି ରାଜକୁମାର କହିଛନ୍ତି। ଏହା ଏକ ପ୍ରମୁଖ ପ୍ରସଙ୍ଗ ଥିବାରୁ ଆମେ ଆଲୋଚନା କରିଥିଲୁ। ମୁଁ ମଧ୍ୟ ନିଶ୍ଚିତ ଥିଲି। ବିରାଟ ଟେଷ୍ଟ୍‌ ଫର୍ମାଟ୍‌କୁ ପସନ୍ଦ କରନ୍ତି ଏବଂ ସେ ଲମ୍ବା ସମୟ ଧରି ଏହି ଫର୍ମାଟ୍‌ରେ ଭାରତକୁ ନେତୃତ୍ବ ଦେବାକୁ ଆଗ୍ରହୀ। ଏଥିସହିତ ଦିନିକିଆ ଫର୍ମାଟ୍‌ରେ ମଧ୍ୟ ନେତୃତ୍ବ ନେବା ଇଛା ଜାହିର କରିଛନ୍ତି। ଟି-୨୦ ନେତୃତ୍ବରୁ ଓହରିଯାଇଥିବାରୁ ଏବେ ଟେ‌ଷ୍ଟ୍‌ ଓ ଦିନିକିଆରେ ତାଙ୍କ ଉପରୁ ଚାପ ହ୍ରାସ ପାଇବ ବୋଲି ରାଜକୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe