ମୁମ୍ବାଇ: କରୋନା ମହାମାରୀ ସଂକଟ ଯୋଗୁଁ ଚଳିତ ବର୍ଷର ଆଇପିଏଲ୍ ଅଧାରୁ ସ୍ଥଗିତ ରହିବା ପରେ ୮ ଇଂଲଣ୍ଡ ଖେଳାଳି ବୁଧବାର ନିଜ ଦେଶକୁ ଫେରିଯାଇଛନ୍ତି। ମଙ୍ଗଳବାର ବିସିସିଆଇ ଦ୍ବାରା ସ୍ଥଗିତ ଘୋଷଣା ମାତ୍ରେ ଦିଲ୍ଲୀ କ୍ୟାପିଟାଲ୍ସର ଇଂଲିସ୍ ଖେଳାଳିମାନେ ତୁରନ୍ତ ଅହମଦାବାଦରୁ ଦିଲ୍ଲୀ ଯାଇ ସେଠାରୁ ହିଥ୍ରୋ ଅଭିମୁଖେ ଏକ ବିମାନ ଧରିଥିଲେ। ଜନି ବେୟାରଷ୍ଟୋ, ଜୋସ୍ ବଟଲର୍, ସାମ୍ ବିଲିଙ୍ଗ୍ସ, କ୍ରିସ୍ ୱକ୍ସ, ମୋଇନ୍ ଅଲ୍ଲୀ, ଜାସନ୍ ରୟ ଏବଂ କରନ ଭ୍ରାତା ସାମ୍ ଓ ଟମ୍ ବୁଧବାର ପୂର୍ବାହ୍ନରେ ଲଣ୍ଡରେ ପହଞ୍ଚିଥିବା ଜଣେ ଇଂଲଣ୍ଡ ମୁଖପାତ୍ର କହିଛନ୍ତି। ତେବେ ସେମାନେ ସମସ୍ତେ ଏବେ ତାଙ୍କ ଦେଶର ସରକାରଙ୍କ ଦ୍ବାରା ଅନୁମୋଦିତ ହୋଟେଲରେ ସଂଗରୋଧରେ ରହିବେ ବୋଲି ମୁଖପାତ୍ର ଜଣଙ୍କ କହିଛନ୍ତି। ଅନ୍ୟ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରୁ ସୀମିତ ଓଭର ଦଳର ଅଧିନାୟକ ଇଅନ ମୋର୍ଗାନ, ବ୍ୟାଟ୍ସମ୍ୟାନ୍ ଦାୱିଦ୍ ମଲାନ ଏବଂ ଅଲ୍ରାଉଣ୍ଡର କ୍ରିସ୍ ଜୋର୍ଡାନ୍ ପରବର୍ତୀ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବେ ବୋଲି ସେ କହିଛନ୍ତି।
ମାଳଦୀପରେ ପହଞ୍ଚିଲେ ଅଷ୍ଟ୍ରେଲୀୟ
କରୋନା ସଂକଟ ଯୋଗୁଁ ଆଇପିଏଲ୍ ସ୍ଥଗିତ ଘୋଷଣା ହେବା ପରେ ଅଧିକାଂଶ ବିଦେଶୀ ଖେଳାଳି ବୁଧବାର ନିଜ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି। ତେବେ ବିଶେଷକରି ଅଷ୍ଟ୍ରେଲିଆ ସରକାରଙ୍କ କଟକଣା ଯୋଗୁଁ ସେହି ଦେଶର ଖେଳାଳିମାନେ ଘୋର ମନସ୍ତାପ ମଧ୍ୟରେ ରହିଛନ୍ତି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ ଅଷ୍ଟ୍ରେଲିଆ ଫେରିବା ଉପରେ କଡ଼ା କଟକଣା ଜାରି ରହିଥିବାରୁ ଅଷ୍ଟ୍ରେଲୀୟ ଖେଳାଳି ସ୍ବଦେଶ ଫେରିପାରୁନାହାନ୍ତି। ସେମାନଙ୍କୁ ତାଙ୍କ ସରକାର ଫେରାଇ ନେବାର ବ୍ୟବସ୍ଥା କରୁନି କି ଫେରିବା ପାଇଁ ଅନୁମତି ଦେଉନି। ଏପରିସ୍ଥଳେ ଅଷ୍ଟ୍ରେଲୀୟ ଖେଳାଳିମାନେ କିପରି ସୁରକ୍ଷିତ ଭାବେ ସ୍ବଦେଶ ଫେରିବେ ସେନେଇ ଆଇପିଏଲ୍ ଆୟୋଜକ ବିସିସିଆଇ ଏବଂ ବିଭିନ୍ନ ଫ୍ରାଞ୍ଚାଇଜ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ଭାରତରେ ସଂପ୍ରତି କରୋନା କରାଳ ରୂପ ଦେଖାଉଥିବାରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ କେଉଁଠାରେ ସୁରକ୍ଷିତ ଭାବେ ରଖାଯାଇପାରିବ ସେ ବ୍ୟବସ୍ଥା ବିସିସିଆଇ କରିଛି। ମିଳିଥିବା ଏକ ସୂଚନା ମୁତାବକ ଆଇପିଏଲ୍ରେ ଭାଗ ନେଇଥିବା ୩୮ ଜଣିଆ ଅଷ୍ଟ୍ରେଲୀୟ ସଦସ୍ୟ (ଖେଳାଳି, ପ୍ରଶିକ୍ଷକ, ଅମ୍ପାୟାର ଏବଂ ଗଣମାଧ୍ୟମ ପ୍ରତିନିଧି) ଘରକୁ ଫେରିବା ପାଇଁ ୧୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ସେମାନଙ୍କୁ ବୁଧବାର ଏକ ସ୍ବତନ୍ତ୍ର ବିମାନରେ ମାଳଦୀପ ପଠାଯାଇଛି। ସେହିଠାରେ ସେମାନେ ୧୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବେ। ଆଜି ସବୁ ଅଷ୍ଟ୍ରେଲୀୟ ଦିଲ୍ଲୀରେ ଏକାଠି ହୋଇଥିଲେ। ସେଠାରୁ ସେମାନେ ମାଳଦୀପ ଯାତ୍ରା କରିଛନ୍ତି ବୋଲି କୋଲ୍କାତା ନାଇଟ୍ ରାଇଡର୍ସ ଦଳର ଜଣେ ଅଧିକାରୀ କହିଛନ୍ତି।
କଟକଣା ଉଠିବାର ଆଶା ରଖିଛନ୍ତି କମିନ୍ସ
ଅଷ୍ଟ୍ରେଲିଆକୁ ଭାରତରୁ ଯାତ୍ରା ଉପରେ ଲଗାଯାଇଥିବା କଟକଣା ଆଇପିଏଲ୍ରେ ଖେଳିଥିବା ଏହାର ଖେଳାଳିମାନଙ୍କୁ ଚିନ୍ତାରେ ପକାଇଦେଇଛି। ତେବେ ଅଧାରୁ ଆଇପିଏଲ୍ ସ୍ଥଗିତ ରହିବା ପରେ ଖେଳାଳିମାନେ ସ୍ବଦେଶ ଫେରିବାକୁ ବ୍ୟାକୁଳ ହୋଇପଡ଼ିଛନ୍ତି। କରୋନା ସଂକଟ ପାଇଁ ଭାରତରେ ରହିଥିବା ଅଷ୍ଟ୍ରେଲୀୟମାନେ ବୁଧବାର କୌଣସି ଏସୀୟ ରାଷ୍ଟ୍ରରେ ସଂଗରୋଧରେ ରହିଛନ୍ତି। କୋଲ୍କାତା ନାଇଟ୍ ରାଇଡର୍ସର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ମଧ୍ୟ ଅହମଦାବାଦରେ ହୋଟେଲରେ ସଂଗରୋଧରେ ଅଛନ୍ତି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସରକାରଙ୍କ କଟକଣା ନୀତି ଆମକୁ ବ୍ୟତିବ୍ୟସ୍ତ କରିଛି। ଆଗରୁ କଦାପି ଏଭଳି ଅସୁବିଧାର ସାମ୍ନା କରିନଥିଲୁ। ତଥାପି ୧୫ ତାରିଖ ପରେ କଟକଣା ଉଠିଯିବା ନେଇ ଅଷ୍ଟ୍ରେଲୀୟ ଆଇପିଏଲ୍ କ୍ରିକେଟର୍ମାନେ ଆଶା ବାନ୍ଧିଛନ୍ତି ବୋଲି କମିନ୍ସ କହିଛନ୍ତି।
Follow Us