୧୯୯୮ ମସିହାର ଫିଫା ବିଶ୍ୱକପ୍ ଜୁନ୍ ୧୦ରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିଲା। ମରୋକ୍କୋକୁ ପଛରେ ପକାଇ ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ଆୟୋଜକ ହୋଇଥିଲା। ଠିକ୍ ୬୦ ବର୍ଷ ତଳେ ୧୯୩୮ରେ ଫ୍ରାନସ ତୃତୀୟ ସଂସ୍କରଣର ଆୟୋଜକ ହୋଇଥିଲା। ତେବେ ଷୋଷଶ ସଂସ୍କରଣକୁ ଆୟୋଜନ କରି ଫ୍ରାନ୍ସ ନିଜର ପ୍ରଥମ ବିଜେତା ହେବାର ସ୍ୱପ୍ନକୁ ଘରୋଇ ମାଟିରେ ସାକାର କରିଥିଲା। ଫୁଟ୍ବଲ୍ ଇତିହାସରେ ଏହାକୁ ଫରାସୀ ବିପ୍ଳବ ଆଖ୍ୟା ଦିଆଯାଇଥାଏ। ନବମ ଥର ପାଇଁ ୟୁରୋପ ମାଟିରେ ଆୟୋଜିତ ଏହି ବିଶ୍ୱ ଚର୍ଚିତ ପ୍ରତିଯୋଗିତାର ଫାଇନାଲ୍ରେ ଫ୍ରାନ୍ସ ପୂର୍ବ ବିଜେତା ବ୍ରାଜିଲ୍କୁ ୩-୦ରେ ହରାଇ ଦେଇଥିଲା। ବିଶ୍ୱକପ୍ ଜିତିବାରେ ଫ୍ରାନ୍ସ ସପ୍ତମ ଦେଶ ହୋଇଥିଲା। କିନ୍ତୁ ଘରୋଇ ମାଟିରେ ଜିତିବାର ଗୌରବ ହାସଲରେ ଏହି ଦେଶ ଷଷ୍ଠ ହୋଇଥିଲା। ପୂର୍ବରୁ ନିଜ ମାଟିରେ ଆୟୋଜକ ଭାବେ ୟୁରୁଗୁଏ, ଇଟାଲି, ଇଂଲଣ୍ଡ, ପଶ୍ଚିମ ଜର୍ମାନି, ଆର୍ଜେଣ୍ଟିନା ଏଭଳି କୃତିତ୍ୱ ଅର୍ଜନ କରିଥିଲେ। ଏହି ସଂସ୍କରଣରେ କ୍ରୋଏସିଆ, ଜାପାନ, ଜାମାଇକା, ଦକ୍ଷିଣ ଆଫ୍ରିକା ପ୍ରଥମ ପଦାର୍ପଣ କରିଥିଲେ।
କ୍ରୋଏସିଆ କିନ୍ତୁ ପଦାର୍ପଣରେ ଚମତ୍କାରିତା ଦେଖାଇ କାଂସ୍ୟ ପଦକ ହାସଲ କରିବା ଏବଂ ଡାଭୋର ସୁକେର୍ (୬ ଗୋଲ୍) ସର୍ବାଧିକ ଗୋଲ୍ ସ୍କୋରର୍ ଭାବେ ସ୍ୱର୍ଣ୍ଣ ଜୋତା ଜିତିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ନେଦରଲାଣ୍ଡ୍କୁ ହରାଇ କ୍ରୋଏସିଆ ତୃତୀୟ ସ୍ଥାନ ଦଖଲ କରିଥିଲା। ରୋନାଲ୍ଡୋ ଶ୍ରେଷ୍ଠ ଖେଳାଳି ଭାବେ ସ୍ୱର୍ଣ୍ଣ ବଲ୍, ଇଂଲଣ୍ଡର ମାଇକେଲ୍ ଓଏନ୍ ଶ୍ରେଷ୍ଠ ଯୁବ ଖେଳାଳି ଏବଂ ଫ୍ରାନସର ଫାବିଏନ୍ ବାର୍ଥେଜ୍ ଶ୍ରେଷ୍ଠ ଗୋଲରକ୍ଷକ ପୁରସ୍କାର ପାଇଥିଲେ। ୫ ମହାଦେଶରୁ ମୋଟ ୩୨ ଦେଶକୁ ନେଇ ଖେଳାଯାଇଥିବା ଏହି ୩୩ ଦିନିଆ ପ୍ରତିଯୋଗିତା ସେଣ୍ଟ ଡାନିସ୍, ମର୍ସେଲି, ପ୍ୟାରିସ୍ ଏବଂ ଲିଅନ୍ରେ ଖେଳାଯାଇଥିଲା। ମୋଟ ୬୪ ମ୍ୟାଚ୍ରୁ ୨.୬୭ ହାରରେ ୧୭୧ ଗୋଲ୍ ସ୍କୋର୍ ହୋଇଥିଲା। ନୂଆ ଶତାବ୍ଦୀର ପାଦ ଦେବା ପୂର୍ବରୁ ଏହା ଥିଲା ଉନ୍ନବିଂଶ ଶତାବ୍ଦୀର ଶେଷ ଫୁଟ୍ବଲ୍ ବିଶ୍ୱକପ୍।
Follow Us