Hindustan Times
ପ୍ୟାରିସ୍: ଫ୍ରେଞ୍ଚ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ପୂର୍ବତନ ବିଜୟିନୀ ଫ୍ରାନ୍ସିସ୍କା ସିଆଭନ୍ ଜୀବନ ଯୁଦ୍ଧରେ କର୍କଟ ଭଳି ମାରାତ୍ମକ ରୋଗକୁ ହରାଇ ଦେଇଛନ୍ତି। ଟେନିସ୍ କୋର୍ଟରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିବା ଏହି ୩୯ ବର୍ଷୀୟା ଇଟାଲି ତାରକାଙ୍କୁ କର୍କଟ ହୋଇଥିବା ବର୍ଷକ ତଳେ ଜଣା ପଡ଼ିଥିଲା। ସେଥିପାଇଁ ସେ ଟେନିସ୍ ସହ ସାଧାରଣ ଜୀବନରୁ ବି ସମସ୍ତଙ୍କଠାରୁ ଦୂରେଇ ଯାଇଥିଲେ। ତେବେ ସଂପ୍ରତି ସେ କର୍କଟ ମୁକ୍ତ ଥିବା ଶୁକ୍ରବାର ଟ୍ବିଟ୍ କରି ସିଆଭନ ଜଣାଇଛନ୍ତି। ସିଆଭନ ଲେଖିଛନ୍ତି କିଛି ମାସ ତଳେ ମୋତେ କର୍କଟ ହୋଇଥିବା ଜଣାପଡ଼ିଥିଲା। ମୁଁ ଏଥିଲାଗି କେମୋଥେରାପି ନେଇଥିଲି । କଡ଼ା ସଂଘର୍ଷ ପରେ ଏବେ ମୁଁ ସୁସ୍ଥ। ମୁଁ ଏହି ଯୁଦ୍ଧ ଜିତି ଯାଇଛି। ଏବେ ଟେନିସ୍ କୋର୍ଟକୁ ଫେରିବାକୁ ବ୍ୟଗ୍ର। ପଞ୍ଚମ ଇଟାଲୀୟ ଭାବେ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତା ଜିତିଥିବା ସିଆଭନ୍ ୨୦୧୧ରେ ଖେଳ ଜୀବନର ଶ୍ରେଷ୍ଠ ମାନ୍ୟତା ଚତୁର୍ଥ ସ୍ଥାନରେ ପହଞ୍ଚିଥିଲେ। ସେ ମଧ୍ୟ ୮ଟି ଏକକ ଟ୍ରଫି ଜିତିଥିଲେ। ୨୨ ଋତୁ ପରେ ୨୦୧୮ରେ ସେ ଟେନିସରୁ ଅବସର ଘୋଷଣା କରିଥିଲେ।
Follow Us