ଇଣ୍ଡିଆନ୍ ଆଇଡଲ୍‌ରୁ ଆଇପିଏଲ୍‌: ଚର୍ଚ୍ଚାରେ ପରାଶରଙ୍କ କ୍ରିକେଟ୍ ଯାତ୍ରା

ଦିନେ ଇଣ୍ଡିଆନ୍ ଆଇଡଲ୍ ମଞ୍ଚ‌ରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ। ନିଜ ସୁମଧୁର ସ୍ବରରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ। ଆଜି କିନ୍ତୁ ଆଇପିଏଲ୍ ଅମ୍ପାୟାର ଭାବେ ବିରାଟ ‌କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ମହାନ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି।

WQEWE

ମୁମ୍ବାଇ: ଦିନେ ଇଣ୍ଡିଆନ୍ ଆଇଡଲ୍ ମଞ୍ଚ‌ରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ। ନିଜ ସୁମଧୁର ସ୍ବରରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ। ଆଜି କିନ୍ତୁ ଆଇପିଏଲ୍ ଅମ୍ପାୟାର ଭାବେ ବିରାଟ ‌କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ମହାନ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସେମାନେ ଆଉଟ୍ କି ନୁହେଁ, ସେ କଥା ବାଛୁଛନ୍ତି। ସଂଗୀତ ଦୁନିଆରୁ ଆସି କ୍ରିକେଟ୍ ମ୍ୟାଚ୍ ପରିଚାଳନାରେ ନାଁ କରିବା ଭଳି ଘଟଣା ବହୁଳ ତଥା ପ୍ରେରଣାଦାୟୀ ଯାତ୍ରାର ସଫଳ ନାୟକ ହେଉଛନ୍ତି ମହାରାଷ୍ଟ୍ରର ପରାଶର ଯୋଶୀ। ସେଥିପାଇଁ ତାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗତବର୍ଷର ଡବ୍ଲ୍ୟୁପିଏଲ୍ (ମହିଳା ପ୍ରିମିୟର ଲିଗ୍)ରେ ଅମ୍ପାୟାର ଦାୟିତ୍ବ ତୁଲାଇଲା ବେଳେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ୍ ଆୟରଙ୍କ ଚେହେରା ସହ ଥିବା ସାମଞ୍ଜସ୍ୟ ପାଇଁ ବେଶ୍ ଲୋକପ୍ରିୟତା ସାଉଣ୍ଟି ଥିଲେ ପରାଶର। ଶ୍ରେୟସଙ୍କ ସହ ତାଙ୍କର ଏହି ସଂପର୍କ କିନ୍ତୁ କେବଳ କ୍ରିକେଟ୍ ଭିତରେ ସୀମିତ ନଥିଲା। ଶ୍ରେୟସଙ୍କ ଭଳି ପରାଶର ମଧ୍ୟ ପିଲା ବେଳେ ଢେର ସମୟ କ୍ଲବ୍ କ୍ରିକେଟ୍ ଖେଳିଥିଲେ। ପରେ ଇଣ୍ଡିଆନ୍ ଆଇଡଲ୍‌ର ପ୍ରଥମ ସଂସ୍କରଣ ଲାଗି ଅଡିସନ୍ ଦେଇଥିଲେ। ତିନି ଥର ଅଯୋଗ୍ୟ ଘୋଷିତ ହେବା ପରେ ଚତୁର୍ଥ ଋତୁରେ ଦ୍ବିତୀୟ ରାଉଣ୍ଡ ପର୍ଯ୍ୟନ୍ତ ଯାଇପାରିଥିଲେ। ୨୦୦୮ର ସେହି ସଫଳତାର ଭିଡିଓ ୨୦୨୩ରେ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରି ପ୍ରଶଂସକଙ୍କୁ ଏକଦା ସେ ଇଣ୍ଡିଆନ୍ ଆଇଡଲ୍‌ର ପ୍ରତିଯୋଗୀ ଥିବା ପ୍ରଶଂସକଙ୍କୁ ଜଣାଇଥିଲେ। ଏବେବି ସେ ଦେଶ ସାରା ବୁଲି ବିଭିନ୍ନ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ପୁରୁଣା ବଲିଉଡ୍ ଗୀତ ଗାଇବାକୁ ଭଲ ପାଉଥିବା ପରାଶରଙ୍କର ସ୍ପଟିଫାଏରେ ୪୮ ଦେଶର ୧୩ହଜାର ଅନୁଗାମୀ ରହିଛନ୍ତି।  

ପୁଣେରେ କ୍ଲବ୍ କ୍ରିକେଟ୍ ‌ଖେଳୁଥିଲେ ମଧ୍ୟ ତୀବ୍ର ପ୍ରତିଦ୍ବନ୍ଦ୍ବିତା ପାଇଁ ଏଥିରେ କ୍ୟାରିୟର୍ କରିବା ସହଜ ନୁହେଁ ଭାବି ୨୦୦୫ ମସିହାରେ ସେ ସଂଗୀତ ଆଡ଼କୁ ଢଳିଥିଲେ। ସୌଖୀନ ଭାବେ କ୍ରିକେଟ୍ ଖେଳିବା ଜାରି ରଖିବା ସହ ପରେ ଅମ୍ପାୟାରିଂ କରିବା ଆରମ୍ଭ କରିଥିଲେ।  ଏହାର ୧୦ ବର୍ଷ ପରେ ଅର୍ଥାତ୍ ୨୦୧୫ରେ ସେ ବିସିସିଆଇ ପ୍ୟାନେଲ ଅମ୍ପାୟାର ଭାବେ ସ୍ବୀକୃତି ଲାଭ କରିବା ପରେ ପରାଶରଙ୍କ ଜୀବନ‌ ପୁଣି ଥରେ ଆଉ ଏକ ମୋଡ଼ ନେଇଥିଲା।  ୩୦ ବର୍ଷୀୟ ପରାଶର ଏହା ପରେ ରଣଜୀ ଓ ଦଲୀପ ଟ୍ରଫି ଭଳି ଘରୋଇ ପ୍ରତିଯୋଗିତା ପରିଚାଳନା କରିବାର ଅଭିଜ୍ଞତା ଅର୍ଜନ କରିଥିଲେ। ୨୦୨୪ରେ ଡବ୍ଲ୍ୟୁପିଏଲ୍ ପରିଚାଳନା କରିବା ପରେ ୨୦୨୫ରେ ଆଇପିଏଲ୍ ପରିଚାଳନା ଲାଗି ବିସିସିଆଇ ବାଛିଥିବା ୭ଜଣ ନୂଆ ଅମ୍ପାୟାରଙ୍କ ମଧ୍ୟରେ ସେ ସ୍ଥାନ ପାଇଥିଲେ। ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ‌ଆଇପିଏଲ୍ ପଦାର୍ପଣ କରିଥିଲେ। ଏହା ପରଠାରୁ ଅନ୍ୟୂନ ୬ଟି ଆଇପିଏଲ୍‌ ମ୍ୟାଚ୍‌ର ପରିଚାଳନା କରିସାରିଲେଣି ଏହି ପ୍ରତିଭା ସଂପନ୍ନ ଅମ୍ପାୟାର। ନିଜ ଇନଷ୍ଟାଗ୍ରାମରେ ପରାଶର ଏବେ ଗୀତ ଗାଇବା, ଅମ୍ପାୟାରିଂ କରିବା ଏବଂ ତାରକାଙ୍କ ସହ ମିଶିବାର ଭିଡିଓ ଭରି ଦେଇଛନ୍ତି। ଫଳରେ ତାଙ୍କ ଅନୁଗାମୀ ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe