Image Courtesy of Mint
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର୍ ତଥା ଦୁଇଥର ବିଶ୍ବକପ୍ ବିଜେତା ଦଳର ସଦସ୍ୟ ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ସହ ଗମ୍ଭୀରଙ୍କୁ ସ୍ବାଗତ ଜଣାଇଥିଲେ । ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବର୍ତ୍ତମାନ ଭାରତୀୟ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବା ପାଇଁ ଜିମ୍ବାୱେ ଗସ୍ତରେ ଅଛି। ଏହି ଗସ୍ତରେ ଭିଭିଏସ୍ ଲକ୍ଷ୍ମଣ ଦଳର କାମଚଳା ପ୍ରଶିକ୍ଷକ ଭାବେ ନିୟୋଜିତ ଅଛନ୍ତି। ତେଣୁ ଶ୍ରୀଲଙ୍କା ଗସ୍ତରୁ ଗମ୍ଭୀର ତାଙ୍କ ଦାୟିତ୍ବ ଗ୍ରହଣ କରିବେ। ଶ୍ରୀଲଙ୍କାରେ ଜୁଲାଇ ୨୭ରୁ ଅଗଷ୍ଟ ୭ ତାରିଖ ମଧ୍ୟରେ ଭାରତ ୩ଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳିବ। ୨୦୨୭ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ରହିବେ। ତେବେ ଗମ୍ଭୀର କେତେ ଟଙ୍କା ଦରମା ପାଇବେ |
ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ବାର୍ଷିକ ୧୨ କୋଟି ଟଙ୍କା ଦରମା ପ୍ରଦାନ କରାଯାଉଥିଲା। ଅର୍ଥାତ୍ ଦ୍ରାବିଡ଼ଙ୍କ ଏକ ମାସର ଦରମା ଥିଲା ୧ କୋଟି ଟଙ୍କା | ଦ୍ରାବିଡ ନଭେମ୍ବର ୨୦୨୧ ରୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଗମ୍ଭୀର ରାହୁଲ ଦ୍ରାବିଡଙ୍କ ଠାରୁ ଅଧିକ ଅର୍ଥ ପାଇପାରନ୍ତି । ତେବେ ନୂତନ ମୁଖ୍ୟ ପ୍ରଶିକ୍ଷକ ହୋଇଥିବା ଗମ୍ଭୀରଙ୍କ ଦରମା ସମ୍ପର୍କରେ ଅଧିକାରିକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ ରାହୁଲ ଦ୍ରାବିଡଙ୍କ ଅପେକ୍ଷା ତାଙ୍କୁ ଅଧିକ ଦରମା ଦିଆଯିବ ବୋଲି ଅନୁମାନ କରାଯାଉଛି। ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହେବ। ଭାରତୀୟ ଦଳ ଆଜିକାଲି ଜିମ୍ବାୱେ ଗସ୍ତରେ ଅଛନ୍ତି।ଗମ୍ଭୀରଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୭ ପର୍ଯ୍ୟନ୍ତ ଚାଲିବ। ଗମ୍ଭୀରଙ୍କ କୋଚିଂ କାର୍ଯ୍ୟକାଳ ମଧ୍ୟରେ, ଇଣ୍ଡିଆ ଟିମ ୨୦୨୬ ଟି -୨୦ ଏବଂ ୨୦୨୭ ଦିନିକିଆ ବିଶ୍ୱକପ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇସିସି ଟୁର୍ନାମେଣ୍ଟ ଖେଳିବ |
Follow Us