ସେହି ବର୍ଷ ଆଜିର ତାରିଖ: ୧୯୯୯ ବିଶ୍ବକପ୍‌ ଗାଙ୍ଗୁଲି-ଦ୍ରାବିଡ଼ଙ୍କ ଟନ୍‌ଟନ୍‌ ତ୍ରିଶତକ

Advertisment
ସେହି ବର୍ଷ ଆଜିର ତାରିଖ: ୧୯୯୯ ବିଶ୍ବକପ୍‌ ଗାଙ୍ଗୁଲି-ଦ୍ରାବିଡ଼ଙ୍କ ଟନ୍‌ଟନ୍‌ ତ୍ରିଶତକ

News18.com

ନୂଆଦିଲ୍ଲୀ: ଆଜକୁ ଠିକ୍‌ ୨୧ ବର୍ଷ ତଳେ (୨୬ ମେ’ ୧୯୯୯) ବିଶ୍ବ କ୍ରିକେଟ୍‌ରେ ଆଶ୍ଚର୍ଯ୍ୟ ହେବା ଭଳି ଏକ ଭାଗୀଦାରି ଦେଖିବାକୁ ମିଳିଥିଲା। ଭାରତୀୟ କ୍ରିକେଟର୍‌ ଦୁଇ ମହାନ ଖେଳାଳି ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ଙ୍କ ବ୍ୟାଟ୍‌ ଯେଭଳି ଭାବେ ଚାଲିଥିଲା ପ୍ରଶଂସକ ବି ନିଜକୁ ବିଶ୍ବାସ କରିପାରିନଥିଲେ। ଦିନିକିଆ କ୍ରିକେଟ୍ ଇତିହାସରେ ପ୍ରଥମ ତ୍ରିଶତକ ଭାଗୀଦାରି ପ୍ରତିଷ୍ଠା କରିଥିଲେ ଏହି ଡାହାଣହାତୀ-ବାମହାତୀ ଯୋଡ଼ି। ସେ ସମୟରେ ବିଶ୍ବ କୀର୍ତ୍ତିମାନ ଥିଲା ଏହି ଭାଗୀଦାରି। ୬ ମାସ ପରେ ଏହାକୁ ଅବଶ୍ୟ ଭାଙ୍ଗି ଦେଇଥିଲେ ସଚିନ ତେନ୍ଦୁଲକର-ରାହୁଲ ଦ୍ରାବିଡ଼।

ଅବସର ଥିଲା ୧୯୯୯ ମସିହାର ବିଶ୍ବକପ୍‌। ଇଂଲଣ୍ଡର ଟନ୍‌ଟନ୍‌ ଷ୍ଟାଡିୟମ୍‌ରେ ଶ୍ରୀଲଙ୍କା ବିପକ୍ଷରେ ହିଁ ଭାରତ ଏହି କୃତିତ୍ବ ଅର୍ଜନ କରିଥିଲା। ପୂର୍ବ ବିଜେତା ଥିଲେ ମଧ୍ୟ ଶ୍ରୀଲଙ୍କା ପାଇଁ କିଛି ଭଲ ଚାଲିନଥିଲା। ଲର୍ଡସରେ ଇଂଲଣ୍ଡ ନିକଟରୁ ହାରିଯାଇଥିଲା। ୧୯୯୬ ବିଜେତା ଶ୍ରୀଲଙ୍କାଠାରୁ ବି ଇଂଲଣ୍ଡ ମଧୁର ପ୍ରତିଶୋଧ ନେଇ ସାରିଥିଲା। ଦକ୍ଷିଣ ଆଫ୍ରିକାଠାରୁ ବି ହାରିଥିଲା ଶ୍ରୀଲଙ୍କା। କେବଳ ଜିମ୍ବାୱେକୁ ହରାଇ ଆସିଥିଲା ଟନ୍‌ଟନ୍‌। ଭାରତର ଆରମ୍ଭ ବି ଭଲ ହୋଇନଥିଲା। ଦକ୍ଷିଣ ଆଫ୍ରିକା ନିକଟରୁ ହାରିଯିବା ପରେ ସଚିନ ତେନ୍ଦୁଲକର ପିତାଙ୍କ ଦେହାନ୍ତ ଖବର ପାଇ ସ୍ବଦେଶ ଫେରି ଆସିଥିଲେ। ଭାରତ ଏହା ଭିତରେ ଜିମ୍ବାୱେଠାରୁ ହାରିଯାଇଥିଲା। କିନ୍ତୁ କେନିଆ ବିପକ୍ଷ ସଚିନ୍‌ଙ୍କ ଫେରନ୍ତା ଶତକ ଭାରତର ଆଶା ଉଜ୍ଜୀବୀତ ରଖିଥିଲା। ଫଳରେ ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ ଥିଲା। ସିଂହଳୀ ଦଳ ବିପକ୍ଷରେ ଭାରତର ବିଶ୍ବକପ୍‌ ସଫଳତା ବି ୦-୩ରେ ନିରାଶାଜନକ ଥିଲା।

ଅର୍ଜୁନ ରଣାତୁଙ୍ଗା ଟସ୍ ଜିତ କ୍ଷେତ୍ରରକ୍ଷଣ କରିବା ପରେ ଚାମିନ୍ଦା ଭାସ୍‌ ସଅଳ ସଦାଗୋପନ ରମେଶଙ୍କ ୱିକେଟ୍ ନେଇଯାଇଥିଲେ। ଏହି ସମୟରେ କିନ୍ତୁ ରାହୁଲ ଦ୍ରାବିଡ଼ ଯୋଗ ଦେଇଥିଲେ ଗାଙ୍ଗୁଲିଙ୍କ ସହ। ଆଉ ଏହି ଦୁଇ ଜଣ ୩୧୮ ରନ୍‌ର ବିଶାଳ ଭାଗୀଦାରି ଗଢ଼ିଥିଲେ। ସୌରଭ ଗାଙ୍ଗୁଲି ବ୍ୟକ୍ତିଗତ ଶ୍ରେଷ୍ଠ ୧୮୩ ରନ୍ (୧୫୮ ବଲ୍‌, ୧୭ ଚୌକା, ୭ ଛକା) ଏବଂ ରାହୁଲ ଦ୍ରାବିଡ଼ ୧୪୫ ରନ୍ (୧୪୩ ବଲ୍‌, ୧୭ ଚୌକା, ୧ ଛକା) ନିଜ ନିଜ ବଡ଼ ଶତକୀୟ ପାଳି ଖେଳିଥିଲେ। ଦ୍ରାବିଡ଼ଙ୍କ ରନ୍‌ ଆଉଟ୍‌ ହିଁ ଏହି ଭାଗୀଦାରିକୁ ଅଲଗା କରିଥିଲା। କେବଳ ଦ୍ବିତୀୟ ୱିକେଟ୍ ପାଇଁ ନୁହେଁ କୌଣସି ୱିକେଟ୍ ଭାଗୀଦାରିରେ ଏହା ଥିଲା ପ୍ରଥମ ତ୍ରିଶତକ (୩୧୮)। ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପାଳି ସହିତ ଗାଙ୍ଗୁଲି ମଧ୍ୟ ବିଶ୍ବକପ୍‌ରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋରର୍‌ କପିଳ ଦେବ (୧୭୫*)ଙ୍କୁ ଅତିକ୍ରମ କରିଥିଲେ ଏହି ମ୍ୟାଚ୍‌ରେ।

ଏହି ମ୍ୟାଚ୍‌କୁ ଭାରତ ୧୫୭ ରନ୍‌ରେ ଜିତିଥିଲା। ଭାରତର ୩୭୩/୬ ଜବାବରେ ଶ୍ରୀଲଙ୍କା ୨୧୬ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। କିନ୍ତୁ ଷଷ୍ଠ ବୋଲର ଭାବେ ବୋଲିଂ କରିଥିବା ରବିନ୍ ସିଂହଙ୍କ ସଫଳତା ସବୁଠାରୁ ‌ଉଲ୍ଲେଖନୀୟ ଥିଲେ ବି ଏହାକୁ କେହି ବିଶେଷ ମନେ ରଖିନଥିବେ। ରବିନ୍‌ ସିଂହଙ୍କ ବୋଲିଂ ଚିତ୍ର ଥିଲା ୯.୩-୦-୩୧-୫। ଯାହାକି ବିଶ୍ବକପ୍‌ରେ ଏବେ ବି ଭାରତୀୟଙ୍କ ପାଇଁ ଶ୍ରେଷ୍ଠ ଚିତ୍ର ହୋଇରହିଛି। ସେ ସମୟରେ କପିଳ ଦେବଙ୍କ ୫/୪୩ ପରେ ଏହା ମଧ୍ୟ ଥିଲା ଦ୍ବିତୀୟ ୫ ୱିକେଟ୍ ସଫଳତା। ସେହି ସଂସ୍କରଣରେ ଭେ‌ଙ୍କଟେଶ ପ୍ରସାଦ (୫/୨୭) ପାକିସ୍ତାନ ବିପକ୍ଷରେ ଭାରତ ପାଇଁ ଶ୍ରେଷ୍ଠ ଚିତ୍ର ପାଇଥିଲେ। କିନ୍ତୁ ଏବେ ଏହି ବିଶ୍ବକପ୍ କୀର୍ତ୍ତିମାନ ଆଶିଷ ନେହେରା (୬/୨୩)ଙ୍କ ନାମରେ ରହିଛି। ଏହା ପରେ ଭାରତ ପାକିସ୍ତାନକୁ ହରାଇବା ସହିତ ସୁପରସିକ୍ସ ଯୋଗ୍ୟତା ବି ଅର୍ଜନ କରିଥିଲା। ଗ୍ରୁପ୍‌ ‘ଏ’ରେ ୫ରୁ ୩ ବିଜୟ ସହିତ ଦ୍ବିତୀୟ ସ୍ଥାନରେ ରହିଥିଲା। କିନ୍ତୁ ସୁପର୍‌ ସିକ୍ସରେ ୫ରୁ ଗୋଟିଏ ବିଜୟ ଯୋଗୁଁ ସେମିଫାଇନାଲ୍ ପହଞ୍ଚିପାରିନଥିଲା। ପ୍ରତିଯୋଗିତାର ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇଥିବା ବେଳେ ଦକ୍ଷିଣ ଆଫ୍ରିକା ସହ ମ୍ୟାଚ୍‌ ଟାଇ ରହିବାରୁ ଅଷ୍ଟ୍ରେଲିଆ ଉଠିଥିଲା। ଫାଇନାଲରେ ପାକିସ୍ତାନକୁ ୧୩୨ ରନ୍‌ରେ ସୀମିତ ରଖି ଅଷ୍ଟ୍ରେଲିଆ ପୁଣି ଥରେ ବିଶ୍ବ ବିଜେତା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe