ସାର୍‌ଜା ଷ୍ଟାଡିୟମ୍‌ ଅନୁଧ୍ୟାନ କଲେ ଦାଦା

Advertisment
ସାର୍‌ଜା ଷ୍ଟାଡିୟମ୍‌ ଅନୁଧ୍ୟାନ କଲେ ଦାଦା

ସାର୍‌ଜା: ଆଉ ୪ ଦିନ ପରେ ୟୁଏଇରେ ଆରମ୍ଭ ହୋଇଯିବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ। ୧୯ ତାରିଖରେ ଉଦ୍‌ଘାଟନୀ ମୁକାବିଲା ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ଉପବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ହେବ। ଏହା ପୂର୍ବରୁ ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି (ଦାଦା) ସାର୍‌ଜା ଷ୍ଟାଡିୟମ୍‌ ଅନୁଧ୍ୟାନ କରି ଆଇପିଏଲ୍‌ ପ୍ରସ୍ତୁତିପର୍ବ ବୁଲି ଦେଖିଛନ୍ତି। ଦାଦାଙ୍କ ସହ ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏବଂ ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଲା ଷ୍ଟାଡିୟମ୍‌ ବୁଲିଥିଲେ। ପ୍ରସ୍ତୁତିକୁ ନେଇ ସନ୍ତୋଷ ପ୍ରକଟ କରିଥିବା ଦାଦା ‘‘ପ୍ରସିଦ୍ଧ ସାର୍‌ଜା ଷ୍ଟାଡିୟମ୍‌ ଆଇପିଏଲ୍‌ ପାଇଁ ପୂରା ପ୍ରସ୍ତୁତ’’ ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ଘୋଷଣା କରିଛନ୍ତି। ସେ ମଧ୍ୟ ତାଙ୍କ ପରିଦର୍ଶନର ଫଟୋ ପୋଷ୍ଟ୍‌ କରିଛନ୍ତି। ୟୁଏଇରେ ପହଞ୍ଚିବା ପ‌ରେ ନିୟମ ଅନୁଯାୟୀ ୬ ଦିନିଆ ସଂଗରୋଧ ଅବଧି ପୂରଣ କରିବା ପରେ ମଙ୍ଗଳବାର ଦାଦା ଷ୍ଟାଡିୟମ୍‌ ଅନୁଧ୍ୟାନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ୟୁଏଇର ତିନିଟି ଭେନ୍ୟୁ ଦୁବାଇ, ସାର୍‌ଜା ଓ ଆବୁଧାବିରେ ଏଥର ଆଇପିଏଲ୍‌ ଖେଳାଯିବ। ସେମଧ୍ୟରୁ ଗୋଟିଏ ଭେନ୍ୟୁରେ ସର୍ବାଧିକ ସଂଖ୍ୟକ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ (୨୧୮) ଆୟୋଜନ କରିବାର କୀର୍ତ୍ତିମାନ ସାର୍‌ଜା ରଖିଛି। ଗାଙ୍ଗୁଲି ମଧ୍ୟ ସେହି ସାର୍‌ଜା ଷ୍ଟାଡିୟମ୍‌ରେ ୨୬ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୨୯ ହାରରେ ୭୨୫ ରନ୍‌ କରିଛନ୍ତି। ସେଥିରେ ଗୋଟିଏ ଶତକ ଏବଂ ୫ ଅର୍ଧଶତକ ସାମିଲ ରହିଛି। ସାର୍‌ଜା ଷ୍ଟାଡିୟମ୍‌ ଚଳିତ ଆଇପିଏଲ୍‌ ସଂସ୍କରଣରେ ୧୨ ମ୍ୟାଚ୍‌ ଆୟୋଜନ କରିବ। ଏହି ଭେନ୍ୟୁରେ ପ୍ରଥମ ମ୍ୟାଚ୍‌ ୨୨ ତାରିଖ ଦିନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯିବ। ତେବେ ଆଇପିଏଲ୍‌ ଆରମ୍ଭରୁ ଷ୍ଟାଡିୟମ୍‌ ଭିତରକୁ କୌଣସି ଦର୍ଶକଙ୍କୁ ଅନୁମତି ମିଳିବନି। କିନ୍ତୁ ପରେ କରୋନା ସ୍ଥିତିର ସମୀକ୍ଷା କରାଯାଇ ସମ୍ଭବ ହେଲେ କିଛି ଦର୍ଶକଙ୍କୁ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଉପଭୋଗ କରିବାର ସୁଯୋଗ ମିଳିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe